ଧରଣୀଧର ବିଶ୍ୱବିଦ୍ୟାଳୟରେ ଆଲୋଚନାଚକ୍ର

କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ଉତ୍ତର ପରିସରରେ ସମାଜବିଜ୍ଞାନ ଓ ନୃତତ୍ତ୍ୱ ବିଭାଗ ମିଳିତ ଆନୁକୂଲ୍ୟରେ ଲିଙ୍ଗ ଓ ସାମାଜିକ ସଂପର୍କ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ଆଲୋଚକ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରଫେସର ମୀରା ସ୍ୱାଇଁ ଯୋଗଦେଇ ଲିଙ୍ଗଗତ ସମସ୍ୟା, ପ୍ରଭାବ ଓ ପାରିବାରିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଲିଙ୍ଗଗତ ବୈଷମ୍ୟ, ସାଂସ୍କୃତିକ ପରିବର୍ତ୍ତନ ଓ ସାମାଜିକ ଅସମାନତା ସମ୍ପର୍କରେ ଅତିଥି ଆଲୋଚକ ଡ. ସ୍ୱାଇଁ ସବିଶେଷ ବିଶ୍ଲେଷଣ କରିଥିଲେ। ପ୍ରାରମ୍ଭରେ ଆଲୋଚନାଚକ୍ରର ଆୟୋଜକ ତଥା ସମାଜବିଜ୍ଞାନ ବିଭାଗ ଅଧ୍ୟାପିକା ଡ. ସଙ୍ଗୀତା ସୁଶ୍ରୀ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ନୃତତ୍ତ୍ୱ ବିଭାଗ ଅଧ୍ୟାପକ ଚନ୍ଦନ କୁମାର ଦାସ ଆଲୋଚନାଚକ୍ର ସଂଯୋଜନା କରିଥିବା ବେଳେ କୁଳପତି ପ୍ରଫେସର ମହାନ୍ତି ନିଜ ଅଭିଭାଷଣରେ ସମାଜବିଜ୍ଞାନ ଓ ନୃତତ୍ତ୍ୱ ମଧ୍ୟରେ ଥିବା ସାମଞ୍ଜସ୍ୟ ଉପସ୍ଥାପନ କରିବା ସହିତ ଏହାର ସାମାଜିକ ପ୍ରଭାବ ଓ ଉପାଦେୟତା ବିଷୟରେ ମତ ରଖିଥିଲେ। ଉଭୟ ବିଭାଗର ଛାତ୍ରଛାତ୍ରୀ ବହୁସଂଖ୍ୟାରେ ଯୋଗଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.