ବାର୍‌ରେ ପିଇଲେ ମଦ, କେନାଲରେ ଫିଙ୍ଗିଲେ ବୋତଲ: ଚାଷୀ ମହଲରେ ଉତ୍ତେଜନା

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ୱାର୍ଡ ନଂ ୯/୧୦ରେ ଥିବା ଠିପି ଖୋଲା ମଦ ବାର୍‌ରେ ମଦ ପିଇ ଚାଷୀଙ୍କ ବିଲକୁ ପାଣି ଯାଉଥିବା କେନାଲରେ ଗଦା କରୁଛନ୍ତି ବୋତଲ। ଫଳରେ ବିଲକୁ ପାଣି ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି। ଚାଷୀମାନେ ଏନେଇ ଦୀର୍ଘ ଦିନରୁ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଚାଷୀଙ୍କ ବିଲକୁ ପାଣି ପହଞ୍ଚି ନ ପାରିବାରୁ ଫସଲ ନଷ୍ଟ ହେଉଛି। ଚାଷୀମାନେ ରବିବାର ସାମାନ୍ୟ ନଜର ପକାଇଥିବାବେଳେ କେନାଲ ପାଣି ଅନ୍ୟ ପଟକୁ ଚାଲି ଯାଇ ବିଲକୁ ପାଣି ପହଞ୍ଚି ପାରୁ ନଥିବା ଦେଖିବାକୁ ପାଇଥିଲେ। ଏହାକୁ ସଫା କରିବା ପାଇଁ ଚାଷୀମାନେ ରବିବାର ଏକତ୍ରିତ ହୋଇ ପ୍ରୟାସ କରିଥିଲେ। ହେଲେ ବହୁ ମାତ୍ରାରେ ଭଙ୍ଗା ଦଦରା କାଚ ବୋତଲ, ଅଳିଆ ଆବର୍ଜନାଗୁଡ଼ିକ ପଡ଼ି ରହି ବିପଦକୁ ଆମନ୍ତ୍ରଣ କରୁଥିବା ଯୋଗୁଁଁ ଲୋକଙ୍କ ପାଇଁ କାଳ ସାଜିବା ସହ ସଫେଇ କାର୍ଯ୍ୟ ହୋଇ ପାରିନଥିଲା। ଯାହାକୁ ନେଇ ଧୀରେ ଧୀରେ ଚାଷୀ ମହଲରେ ଉତ୍ତେଜନା ସୃଷ୍ଟି ହୋଇ ଠିପି ଖୋଲା ମଦ ବାର୍‌କୁ ଘେରି ବାର୍ ମାଲିକଙ୍କ ସହିତ ଯୁକ୍ତିତର୍କ ହୋଇଥିଲା।

ଏହି ଆବର୍ଜନା ପାଣି ଦ୍ବାରା ଚାଷ ନଷ୍ଟ ହେବା ସହ ଲାଦରପାଲି ଗ୍ରାମରେ ବ୍ୟବହାର ହେଉଥିବା ପୋଖରୀ ନଷ୍ଟ ହେବାକୁ ବସିଲାଣି। ଏଣୁ ତୁରନ୍ତ ଏହି ବାର୍‌କୁ ବନ୍ଦ କରିବା ସହ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଚେତାବନୀ ଦେଇଥିଲେ। ବାର୍ କର୍ତ୍ତୃପକ୍ଷ ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ସହ କେନାଲରେ ପଡ଼ିଥିବା ବାର୍‌ର ମଦ ବୋତଲ ଓ ଆବର୍ଜନା ସଫେଇ କରି ଆଉ ପକାଇବି ନାହିଁ ବୋଲି ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଶାନ୍ତ ହୋଇ ନିଜ ଅଞ୍ଚଳକୁ ଯାଇଥିବା ଶାଖା କେନାଲର ସଫେଇ ଆରମ୍ଭ କରିଥିଲେ। ଏହା ବ୍ୟତୀତ କେନାଲ ବିଭାଗର କନିଷ୍ଠ ଯନ୍ତ୍ରୀ ଏହି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କେନାଲ ପରିଦର୍ଶନ କରିବା ସହ ବାର୍ କର୍ତ୍ତୃପକ୍ଷଙ୍କୁ କଡାକଡି ତାଗିଦ୍ କରିଥିଲେ ଓ କେନାଲରେ ମଦ ବୋତଲ ଫିଙ୍ଗିବା ଏକ ନିନ୍ଦନୀୟ ଘଟଣା ବୋଲି ଚାଷୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। କାରଣ ଏହି ପାଣିକୁ ଅନେକ ଲୋକ ସ୍ନାନ ଶୌଚ, ପାନୀୟ ଜଳ ଭାବେ ବ୍ୟବହାର କରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ଚାଷୀ ବିଲକୁ ପାଣି ମାଡ଼ି ପାରୁନାହିଁ। ଯାହା ଦ୍ବାରା ଫସଲ ନଷ୍ଟ ସାଙ୍ଗକୁ ଅନେକ ରୋଗରେ ଲୋକେ ପୀଡ଼ିତ ହେଉଥିବା ଉତ୍ୟକ୍ତ ଚାଷୀମାନେ ପ୍ରକାଶ କରିଥିଲେ।

Comments are closed.