Patra electronics

୫ ବର୍ଷରେ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ

ଭୁବନେଶ୍ବର : ନୂତନ ସରକାର ଦ୍ବାରା ପ୍ରଥମ ୧୦୦ ଦିନରେ ୪୫ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଆଗାମୀ ୫ ବର୍ଷରେ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ବର୍ଷକ ପିଛା ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ତାହାର ୯୦ ପ୍ରତିଶତ (୪୪,୬୮୨.୯୨ କୋଟି ଟଙ୍କା) ଲକ୍ଷ୍ୟକୁ ସରକାର ପ୍ରଥମ ୧୦୦ ଦିନରେ ହାସଲ କରିଛନ୍ତି। ଏହାଦ୍ବାରା ୩୬,୪୬୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ‌ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ)ର ୩୬ତମ ବୈଠକରେ ୩୯,୨୭୧.୫୦ କୋଟି ଟଙ୍କାର ୧୨ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୭,୦୯୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, କଟକ, ସମ୍ବଲପୁର, ଗଞ୍ଜାମ, ବାଲେଶ୍ବର ଏବଂ କେନ୍ଦୁଝର ଆଦି ୮ଟି ଜିଲାରେ ସ୍ଥାପନ କରାଯିବ। ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ହେଲା- ସିଲେକ୍ଟ୍ରିକ୍ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ପକ୍ଷରୁ ଖୋର୍ଦ୍ଧାରେ ୩୦୩୪ କୋଟି ଟଙ୍କା ନିବେଶରେ ଏକ ସିଲିକନ୍ କାର୍ବାଇଡ୍‌ ଡିଭାଇସ୍‌ କାରଖାନା ସ୍ଥାପନ କରାଯିବ। ଖୋର୍ଦ୍ଧାରେ କେନିସ୍ ସର୍କିଟ୍‌ସ ଇଣ୍ଡିଆ ୧୩୯୫ କୋଟି ଟଙ୍କା ଓ ହେଟେରୋଜେନସ୍‌ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ ୧୯୨୬ କୋଟି ଟଙ୍କା ନିବେଶ କରିବ।  ଜଗତ୍‌ସିଂହପୁରରେ ଇପିଗ୍ରାଲ୍ ଲି. ୨୮୦୦ କୋଟି ଟଙ୍କା ଓ ଲକ୍ଷ୍ମୀ ଅର୍ଗାନିକ୍ ୨୫୫୫ କୋଟି ଟଙ୍କା ନିବେଶ କରିବ। ଇଲେକ୍ଟ୍ରୋ‌ଷ୍ଟିଲ୍ କାଷ୍ଟିଙ୍ଗ୍‌ସ ‌ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ନିବେଶ କରି ୫,୦୦,୦୦୦ ଏମ୍‌ଟିର ଡକ୍ଟାଇଲ୍‌ ଆଇରନ୍ ପାଇପ୍ କାରଖାନା ସ୍ଥାପନ କରିବ। ଜିନ୍ଦଲ (ଇଣ୍ଡିଆ) ଲି. ଢେଙ୍କାନାଳରେ ୫୬୯୧ କୋଟି ଟଙ୍କା ନିବେଶ କରି ଇଆରଡବ୍ଲ୍ୟୁ ପାଇପ୍ ମାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା କରିବ। ସେହିପରି ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲି. ସମ୍ବଲପୁରରେ ୩୫୦୦ କୋଟି ଟଙ୍କା ନିବେଶ କରି ଇସ୍ପାତ ଡାଉନ୍‌ଷ୍ଟ୍ରିମ୍‌ କମ୍ପ୍ଲେକ୍ସ ସ୍ଥାପନ କରିବ। କେନ୍ଦୁଝରରେ ଶ୍ୟାମ ଷ୍ଟିଲ୍ ମାନୁଫାକ୍‌ଚରିଂ ତରଫରୁ ୨୫୧୦ କୋଟି ଟଙ୍କା ନିବେଶରେ ଏକ ୦.୫ ଏମ୍‌ଟିପିଏର ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରାଯିବ। କଟକରେ ଅମ୍ବୁଜା କଙ୍କ୍ରିଟ୍‌ ନର୍ଥ ପକ୍ଷରୁ ୧୪୦୦ କୋଟି ଟଙ୍କା ନିବେଶ କରାଯାଇ ସିମେଣ୍ଟ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରାଯିବ। ଟରେଣ୍ଟ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରା.ଲି. ୧୦୨୬୦ କୋଟି ଟଙ୍କା ବ୍ୟୟରେ ଗଞ୍ଜାମରେ ଏକ ୪,୩୦,୦୦୦ ଏମ୍‌ଟିର ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ବାଲେଶ୍ବରରେ ଡାଲମିଆ ଭାରତ ରିଫ୍ରା‌‌କ୍ଟୋରିଜ୍ ପକ୍ଷରୁ ୧୨୦୦ କୋଟି ଟଙ୍କା ନିବେଶରେ ଟାୟାର, ଟ୍ୟୁବ୍ ଓ ଫ୍ଲାପ୍‌ସ କାରଖାନା ସ୍ଥାପନ କରାଯିବ।

Comments are closed.