‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ପଛରେ ପକାଇଲା ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍’
ମୁମ୍ବଇ : ୨୦୧୯ ପ୍ରାରମ୍ଭରୁ ମୁକ୍ତିଲାଭ କରିଛି ସତ୍ୟ ଘଟଣା ଉପରେ ଆଧାରିତ ଦୁଇଟି ଚଳଚ୍ଚିତ୍ର। ପ୍ରଥମଟି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନ ଉପରେ ଆଧାରିତ, ଅନୁପମ ଖେର ଅଭିନୀତ ଚଳଚ୍ଚିତ୍ର ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’। ସେହିପରି ଅନ୍ୟଟି ହେଉଛି ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଆଧାରିତ, ଭିକି କୌଶଲ ଅଭିନୀତ ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍’। ତେବେ ବକ୍ସ ଅଫିସରେ ଦୁଇ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପ୍ରଥମ ଦିନରୁ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ପଛରେ ପକାଇ ଆଶାନୁରୂପ ଆୟ କରିଛି ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍’।
ସୂଚନା ଅନୁସାରେ, ଭିକି କୌଶଲ ଓ ୟାମୀ ଗୌତମ ଅଭିନୀତ ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍’ ପ୍ରଥମ ଦିନରେ ୮.୨୦କୋଟି ଆୟ କରିଛି। ଅନ୍ୟ ପକ୍ଷରେ ଅନୁପମଙ୍କ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ପ୍ରଥମ ଦିନରେ ୩.୨୫ ରୁ ୩.୫୦କୋଟି ଆୟ କରିଛି। ସେହିପରି ଦୁଇଟି ଯାକ ଚଳଚ୍ଚିତ୍ରର ଦ୍ୱିତୀୟ ଦିନର ଆୟ ସାମ୍ନାକୁ ଆସିଛି। ଦ୍ୱିତୀୟ ଦିନରେ ଭିକିଙ୍କ ଚଳଚ୍ଚିତ୍ର ପ୍ରାୟ ୧୦କୋଟିର ଆୟ କରିଛି। ଏହିପରି ଭାବେ ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍’ର ୨ଦିନର ମୋଟ୍ ଆୟ ୧୮କୋଟିରୁ ଊର୍ଦ୍ଧ୍ବ ହୋଇଛି। ଅପର ପକ୍ଷରେ ଦ୍ୱିତୀୟ ଦିନରେ ଅନୁପମଙ୍କ ଚଳଚ୍ଚିତ୍ର ପ୍ରାୟ ୪କୋଟି ଟଙ୍କା ଆୟ କରିଛି।
ବିଜୟ ଗୁଡ୍ଡେଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ମନମୋହନ ସିଂହଙ୍କ ମିଡିଆ ଉପଦେଷ୍ଟା ସଞ୍ଜୟ ବାରୁଙ୍କ ଲିଖିତ ପୁସ୍ତକ ଉପରେ ଆଧାରିତ। ଚଳଚ୍ଚିତ୍ରରେ ଅକ୍ଷୟ ଖନ୍ନା ସଞ୍ଜୟ ବାରୁଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବା ଦିନରୁ ହିଁ ଏହା ବିବାଦ ଘେରରେ ରହିଥିଲା। ସେହିପରି ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍’ ୨୮ ସେପ୍ଟେମ୍ବର ୨୦୧୬ରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଆଧାରିତ। ଉଲ୍ଲେଖଯୋଗ୍ୟ, ଉରୀ ଠାରେ ସେନା ଶିବିର ଉପରେ ହୋଇଥିବା ଆକ୍ରମଣର କଡ଼ା ଜବାବ ଦେଇ ଭାରତୀୟ ସେନା ଏହି ଅପରେସନ କରିଥିଲା। ଉରୀ ଆକ୍ରମଣରେ ୨୦ଭାରତୀୟ ଯବାନ ସହିଦ ହୋଇଥିଲେ। ତେବେ ଚଳଚ୍ଚିତ୍ରକୁ ଦର୍ଶକ ଓ ସମୀକ୍ଷକଙ୍କ ଭଲ ସମର୍ଥନ ମିଳିଥିବା ଜଣାପଡ଼ିଛି।