Patra electronics

କଲେଜ ଅଧ୍ୟକ୍ଷଙ୍କ ପୁଅକୁ ୪ଘଣ୍ଟା ବାକ୍ସରେ ପୁରାଇ ରଖିଲା ଛାତ୍ର!

ନୀଳଗିରି: କଲେଜ ଅଧ୍ୟକ୍ଷଙ୍କ ପୁଅକୁ ଜଣେ ଛାତ୍ର ଦୀର୍ଘ ୪ଘଣ୍ଟା କାଳ ବାକ୍ସ ଭିତରେ ପୁରାଇ ରଖିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ୬ନଂ ୱାର୍ଡ଼ ଅଧୀନ ମଙ୍ଗଳାସାହି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଷ୍ଟମଶ୍ରେଣୀରେ ପାଠ ପଢ଼ୁଥିବା ଜଣେ କଲେଜ ଅଧ୍ୟକ୍ଷଙ୍କ ପୁଅ ପାଖ ପଡ଼ୋଶୀଙ୍କ ଘରକୁ ଅପରାହ୍ନ ସାଢ଼େ ୪ଟାରେ ବୁଲିବାକୁ ଯାଇଥିଲା । କୌଣସି କଥାକୁ ନେଇ ପଡ଼ୋଶୀ ତଥା ଯୁକ୍ତଦୁଇ ଛାତ୍ର ଜଣକ କଲେଜ ଅଧ୍ୟକ୍ଷଙ୍କ ପୁଅକୁ ଏକ ବଡ଼ ବାକ୍ସ ଭିତରେ ପୁରାଇ ତାଲା ଝୁଲାଇ ଦେଇଥିଲା ।

ପୁଅକୁ ନପାଇ କଲେଜ ଅଧ୍ୟକ୍ଷ ଏବଂ ତାଙ୍କ ପରିବାର ଚାରିଆଡ଼େ ଖୋଜା ଖୋଜି କରିଥିଲେ । ସନ୍ଦେହ ହେବାରୁ ସମସ୍ତ ପରିବାର ପାଖ ପଡ଼ୋଶୀଙ୍କ ଘରକୁ ୩ଥର ଯାଇ ଫେରି ଆସିଥିଲେ । ୪ର୍ଥ ଥର ଜୋର ଜବରଦସ୍ତ ଉକ୍ତ ଘର ଭିତରକୁ ପଶି ଖୋଜା ଖୋଜି କରିଥିଲେ । ଅନ୍ଧାରିଆ କୋଠରୀ ଭିତରେ ଥିବା ଏକ ବଡ଼ ବାକ୍ସ ଭିତରୁ ନାବାଳକ ଜଣକ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲେ । ଆଉ କିଛି କ୍ଷଣ ଯାଇଥିଲେ ହୁଏତ ନାବାଳକଙ୍କ ଅବସ୍ଥା ସାଂଘାତିକ ହୋଇଥାନ୍ତା । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେପଟେ ଅଭିଯୁକ୍ତ ଛାତ୍ରଙ୍କୁ ମଧ୍ୟ ନୀଳଗିରି ଥାନାରେ ଜିମା ଦିଆଯାଇଥିଲା । ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Comments are closed.