ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୨, ୩୨୧ମାମଲା ଫଇସଲା; ୯.୭୦କୋଟି ଟଙ୍କା ଜୋରିମାନା ଓ କ୍ଷତିପୂରଣ ଆଦାୟ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲା କୋର୍ଟ ଏବଂ ବଡବିଲ, ହାଟଡିହି ଓ ତେଲକୋଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମଗ୍ର ଜିଲାର ବିଭିନ୍ନ ଅଦାଲତରେ ସମୁଦାୟ ୧୨୩୨୧ଟି ମକଦ୍ଦମାର ଚୂଡାନ୍ତ ଫଇସଲା କରାଯାଇ ୯କୋଟି ୭୦ଲକ୍ଷ ୧ହଜାର ୯୦୬ଟଙ୍କା ଜୋରିମାନା ଓ କ୍ଷତିପୁରଣ ଆଦାୟ ହୋଇଛି। ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡା ଶୁଭାରମ୍ଭ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ।

ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲା ଓ ଦୌରାଜଜ ମମିତା ଦାଶ, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଇ. ବିଘ୍ନେଶ୍ୱର ରାଓ, ମହିଳା ଅଦାଲତ ତଥା ବରିଷ୍ଠ ଦେୱାନୀ ବିଚାରପତି ସ୍ନେହା ଦାସ, ରେଜିଷ୍ଟ୍ରାର ସିଭିଲ କୋର୍ଟ ସୁଚେତା କ୍ରିପାଳିନୀ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ, ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ନାୟକ, ଉପଖଣ୍ଡୀୟ ବିଚାରପତି ସୁମିତ୍ରା ଦାଶ, ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଆଦ୍ୟାଶା ମିଶ୍ର ଓ ଅମ୍ବିକେଶ ପାଣିଗ୍ରାହୀ ପ୍ରମୁଖ ନିଜ ନିଜ କୋର୍ଟ ପରିଚାଳନା କରିଥିଲେ। ଜିଲା ଆଇନସେବା ପ୍ରାଧିକରଣ ସଚିବ ମାମୀ ବେହେରା ସମସ୍ତ କୋର୍ଟର ତଦାରଖ ଦାୟିତ୍ୱ ସହ ନିଜ କୋର୍ଟ ପରିଚାଳନା କରିଥିଲେ।

କୋର୍ଟ ମ୍ୟାନେଜର ଅଚ୍ୟୁତାନନ୍ଦ ସାମନ୍ତରା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ ଓ ପରିଚାଳନାର ସଂଯୋଜନା କରିଥିଲେ। ଦେଶର ଅଦାଲତ ଗୁଡିକରେ ବହୁ ମାମଲା ବିଚାର ନିମନ୍ତେ ପଡ଼ି ରହିଥିବାରୁ ତାହାର ଆଶୁ ସମାଧାନ, ବହୁମୂଲ୍ୟ ସମୟ ସହ ଅର୍ଥ ସଞ୍ଚୟ ଏବଂ ଗରିବ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଜାତୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଆସୁଛି ବୋଲି ଜିଲା ଓ ଦୌରାଜଜ୍‌‌ ଶ୍ରୀ ପଣ୍ଡା କହିଛନ୍ତି। ବିଶେଷକରି ଉଭୟପକ୍ଷଙ୍କ ସହମତିଭିତ୍ତିରେ ପାରିବାରିକ ବିବାଦର ଆପୋଷ ସମାଧାନ, ଛାଡପତ୍ର ସମ୍ବନ୍ଧୀୟ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟା, ଜମିଜମା ସଂକ୍ରାନ୍ତୀୟ ମାମଲାର ଫଇସଲା, ବ୍ୟାଙ୍କ ଋଣ ଖିଲାପକାରୀଙ୍କ ଆଶୁ ସମାଧାନ ଏହି ଲୋକ ଅଦାଲତରେ ଫଇସଲା କରାଯାଇ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏହି ଅଦାଲତର ମୂଳ ଲକ୍ଷ୍ୟ ବୋଲି ଜିଲା ଓ ଦୌରାଜଜ୍‌‌ ଶ୍ରୀ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ ଯେ,ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୫୬ଟି ପ୍ରାକ୍‌‌ ବ୍ୟାଙ୍କ ମକଦ୍ଦମାର ସମାଧାନ କରାଯାଇ ୩୭ଲକ୍ଷ ୬୭ହଜାର ୭୪୮ଟଙ୍କା ଓ ବିଏସ୍‌‌ଏନ୍‌‌ଏଲର ୨୧ଟି ମାମଲାର ଚୂଡାନ୍ତ ବିଚାର କରାଯାଇ ୪୭ହଜାର ୩ଟଙ୍କା, ୫୪ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ଚୂଡାନ୍ତ ବିଚାର କରାଯାଇ ୫କୋଟି ୧୮ଲକ୍ଷ ୩୫ହଜାର କ୍ଷତିପୂରଣ ପ୍ରଦାନ ନିମନ୍ତେ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ହୋଇଛି। ୧୪୫ଟି ଫୌଜଦାରୀ ମକଦ୍ଦମାର ଚୂଡାନ୍ତ ଫଇସଲା କରାଯାଇ ୧କୋଟ ୯୬ଲକ୍ଷ ୭୩ହଜାର ୨୬୩ଟଙ୍କା ଜୋରିମାନା ଆଦାୟ କରାଯାଇଛି।

୫୦ଟି ଦେୱାନୀ ମକଦ୍ଦମାର ଫଇସଲା କରାଯାଇ ୧କୋଟି ୯୬ଲକ୍ଷ ୮ହଜାର ୧୬୪ଟଙ୍କା ଜୋରିମାନା ଓ ରାଜସ୍ୱ ଆଦାୟ ହୋଇଥିବା ବେଳେ ପରିବାର ଅଦାଲତର ୧୩ଟି ମକଦ୍ଦମା ସମାଧାନ କରାଯାଇଛି। ଖାଉଟି ଅଦାଲତରେ ଦୁଇଟି ମାମଲାର ଚୂଡାନ୍ତ ଫଇସଲା କରାଯାଇଛି। ସ୍ଥାୟୀ ଲୋକ ଅଦାଲରେ ଲୋକ ଉପଯୋଗୀ ସେବାର ୫୬ଟି ମକଦ୍ଦମାର ଚୂଡାନ୍ତ ଫଇସଲା ହୋଇ ୧୧ଲକ୍ଷ ୩୭ହଜାର ୨୮୯ଟଙ୍କା ଏବଂ ୧୧୯୨୪ଟି ରାଜସ୍ୱ ମାମଲାର ଚୂଡାନ୍ତ ଫଇସଲା କରାଯାଇ ୯ଲକ୍ଷ ୩୩ହଜାର ୪୩୯ଟଙ୍କା ଜୋରିମାନା ଆଦାୟ କରାଯାଇଛି।

କୋର୍ଟ ସହକାରୀ ନାଜିର ନିର୍ମଳ କୁମାର ନାଏକ, ପ୍ୟାନେଲ ଅଧିବକ୍ତା ଅର୍ଚ୍ଚନା ଦାଶ, କରୁଣାକର ବ୍ରହ୍ମ, ତାରିଣୀ ପ୍ରସାଦ ପୋଥାଳ, ରମଣୀରଞ୍ଜନ ସେଠୀ, ରେଣୁଦେବୀ ସିଂହ, ସମ୍ରାଟ କେଶରୀ ରାଜ, ସୁଶାନ୍ତ ସିଂ ମିଶ୍ର ଓ ମନୋଜ କୁମାର ମହାକୁଡ, ପ୍ରାଧିକରଣକର୍ମୀ ସତ୍ୟରଞ୍ଜନ ଦାସ, ଦେବବ୍ରତ କୁମାର ଦାସ, ସ୍ନେହଲତା ବାସ୍କେ, ମାନସ ରଞ୍ଜନ ନାଏକ, ଶିଶିର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଅଦାଲତ ପରିଚାଳନାରେ ସହାୟତା କରିଥିଲେ।

Comments are closed.