ସମ୍ବଲପୁର: ଆକାଶବାଣୀ, ସମ୍ବଲପୁର କେନ୍ଦ୍ରର ସଂଗୀତ ସଂଯୋଜକ ବିଜୟ କୁମାର ବେହେରା ଶୁକ୍ରବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ବେହେରା ଏଠାରେ ୨୦ ନଭେମ୍ବର ୧୯୯୮ରେ ନିଜର ଚାକିରି ଜୀବନ ଆରମ୍ଭ କରି ଦୀର୍ଘ ୨୬ ବର୍ଷ ଏହି କେନ୍ଦ୍ରରେ ଅବସ୍ଥାପିତ ରହି ଅନେକ ସଂଗୀତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ତାଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଅନେକ ସଂଗୀତ କାର୍ଯ୍ୟକ୍ରମ ଆକାଶବାଣୀ ବାର୍ଷିକ ପୁରସ୍କାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ଲାଭ କରିଥିଲା । ଏହି ଅବସରରେ କେନ୍ଦ୍ର ପରିସରରେ ଆଜି ଏକ ବିଦାୟକାଳୀନ ସଭା ଆୟୋଜିତ ହୋଇଯାଇଛି । ଆକାଶବାଣୀ ରିକ୍ରିଏସନ୍ କ୍ଲବ ଦ୍ୱାରା ଆୟୋଜିତ ସଭାରେ ଶ୍ରୀ ବେହେରାଙ୍କୁ କ୍ଲବର ସଭାପତି ତଥା ଅଭିଯାନ୍ତ୍ରିକୀ ମୁଖ୍ୟ ପ୍ରଦୀପ୍ତ କୁମାର ମିଶ୍ର ଏବଂ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଜୀ ପୁଷ୍ପଗୁଚ୍ଛ, ସ୍ମାରକୀ, ଉପଢୌକନ ଏବଂ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କ୍ଲବ ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟରଞ୍ଜନ ପଣ୍ଡା, ଜ୍ୟୋତି ପ୍ରକାଶ ମିଶ୍ର, ଦୀପକ ଓରାମ, ସୋମନାଥ ଜାଲ ପ୍ରମୁଖ ସହଯୋଗ କରିଥିଲେ।
Popular Categories



