୨୩ ଲକ୍ଷ କର୍ମଚାରୀଙ୍କୁ ଉପକୃତ କରିବ ୟୁନିଫାଏଡ୍ ପେନସନ୍ ସ୍କିମ୍
ଭୁବନେଶ୍ବର : ୟୁନିଅନ କ୍ୟାବିନେଟ୍ ଦ୍ୱାରା ନିକଟରେ ୟୁନିଫାଏଡ୍ ପେନସନ୍ ସ୍କିମ୍ (ୟୁପିଏସ୍) କୁ ଅନୁମୋଦନ କରାଯାଇଛି, ଯାହାକି ନୂତନ ପେନସନ୍ ଯୋଜନା (ଏନ୍ ପି ଏସ୍) ଅଧୀନରେ ଥିବା ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଉପକୃତ କରିବ। ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍ ଏସ ବାଜ୍ଵା, ନୂତନ ଭାବରେ ପରିଚିତ ୟୁନିଫାଏଡ୍ ପେନସନ୍ ଯୋଜନାର ବିଭିନ୍ନ ବୈଶିଷ୍ଟ୍ୟ ବିଷୟରେ ସୂଚନା ଦେଇଛନ୍ତି।
ସୁବିଧା
- ସୁନିଶ୍ଚିତ ପେନସନ୍ ଯୋଜନା
- କର୍ମଚାରୀଙ୍କ ମୃତ୍ୟୁ ପରେ ପେନସନର ୬୦% ପାରିବାରିକ ପେନସନ
- ସର୍ବନିମ୍ନ ୧୦ ବର୍ଷ ସେବା ପରେ ଅବସରପ୍ରାପ୍ତ ହେଲେ ନିଶ୍ଚିତ ସର୍ବନିମ୍ନ ପେନସନ୍ ମାସକୁ ୧୦ ହଜାର ଟଙ୍କା
- ଗ୍ରାଚ୍ୟୁଇଟି ବ୍ୟତୀତ ଅବସରପ୍ରାପ୍ତ ସମୟରେ ଏକ ମୋଟା ଅଙ୍କର ଦେୟ ମିଳିବ
- ବର୍ତ୍ତମାନ ତଥା ଭବିଷ୍ୟତର କର୍ମଚାରୀମାନେ ଏନ୍.ପି.ଏସ୍ କିମ୍ବା ୟୁ.ପି.ଏସରେ ଯୋଗଦେବାର ଏକ ଥର ବିକଳ୍ପ ପାଇଁ ସୁଯୋଗ ପାଇବେ
- କର୍ମଚାରୀଙ୍କ ଅବଦାନ ବୃଦ୍ଧି ପାଇବ ନାହିଁ । ୟୁନିଫାଏଡ୍ ପେନସନ୍ ସ୍କିମ୍ ଅଧୀନରେ ସରକାରଙ୍କ ଅବଦାନ ୧୪% ରୁ ୧୮.୫% କୁ ବୃଦ୍ଧି ପାଇଛି
ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା କହିଛନ୍ତି ଯେ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ବର୍ତ୍ତମାନ ମୋଟ ୧୮,୮୯୩ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେଥିମଧ୍ୟରୁ ୧୩୮୫୨ କର୍ମଚାରୀ ନୂତନ ପେନସନ୍ ସ୍କିମ୍ ଅଧୀନରେ ଅଛନ୍ତି। ବର୍ତ୍ତମାନ ଏହି କର୍ମଚାରୀମାନେ ୟୁନିଫାଏଡ୍ ପେନସନ୍ ସ୍କିମ୍ ଚୟନ କରିବାକୁ ଯୋଗ୍ୟ ହେବେ, ଯେଉଁଥିପାଇଁ ସେମାନେ ନିଶ୍ଚିତ ପେନ୍ସନ୍ର ସୁବିଧା ପାଇବେ । ସାମ୍ବାଦିକ ସମ୍ମିଳନୀରେ ପୂର୍ବ ତଟ ରେଳବାଇ ଶ୍ରମିକ ୟୁନିଅନର ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସ, ପୂର୍ବ ତଟ ରେଳବାଇ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Comments are closed.