www.samajalive.in
Saturday, December 13, 2025
21.1 C
Bhubaneswar

ବର୍ତ୍ତିଲେ ୪୦ ଯବାନ

ରାୟଗଡ଼ା  : ରାୟଗଡ଼ା ସହର ଉପକଣ୍ଠସ୍ଥ ବାରିଝୋଲା ଫାୟାରିଂ ରେଞ୍ଜରେ ଲ୍ୟାଣ୍ଡମାଇନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୦ଜଣ ସିଆରପିଏଫ ଯବାନ। ଫାୟାରିଂ ରେଞ୍ଜରେ ପ୍ରାୟ ୨କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିଲା। ଏହା ନଜରକୁ ଆସିବା ପରେ ଉକ୍ତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଛି। ଯାହାକି ସମଗ୍ର ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, ପୂର୍ବଭଳି ସିଆରପିଏଫ ଚତୁର୍ଥ ବାଟାଲିୟନର ୪୦ଜଣ ଯବାନ ଗତକାଲି ସକାଳୁ ଫାୟାରିଂ ଅଭ୍ୟାସ ପାଇଁ ବାରିଝୋଲାସ୍ଥିତ ରେଞ୍ଜକୁ ଯାଇଥିଲେ। ସେଠାକୁ ଯିବା ପରେ ରେଞ୍ଜ ପଡିଆଠାରେ କିଛି ବିଦ୍ୟୁତ ତାର ମାଟି ଉପରେ ରହିଥିବା ଯବାନଙ୍କ ନଜରକୁ ଆସିଥିଲା। ଏହା ନଜରକୁ ଆସିବା ପରେ ଆଉ ଆଗକୁ ନ ବଢ଼ି ଯବାନମାନେ ପୂରା ସେହି ପଡିଆ ଚତୁଃପାର୍ଶ୍ବରେ କର୍ଡନ କରିଦେଇଥିଲେ। ସେଠାରୁ ସିଆରପିଏଫ ମୁଖ୍ୟାଳୟ ଓ ଜିଲା ପୁଲିସ ମୁଖ୍ୟାଳୟକୁ ସୂଚନା ଦିଆଯାଇଥିଲା। ସୂଚନା ମିଳିବା ପରେ ସନ୍ଧାନୀ କୁକୁରକୁ ସେହି ସ୍ଥାନକୁ ନିଆଯାଇଥିଲା। ସିଆରପିଏଫ ଓ ଜିଲା ପୁଲିସର ସନ୍ଧାନୀ କୁକୁର ମିଳିତ ଭାବେ ଫାୟାରିଂ ପଡ଼ିଆର ମଧ୍ୟଭାଗରେ ଲ୍ୟାଣ୍ଡମାଇନ ଠାବ କରିଥିଲେ। ଲ୍ୟାଣ୍ଡମାଇନ ସୋଲାର ପ୍ଲେଟରେ ଏକ କଂକ୍ରିଟ ସ୍ଥାନରେ ଖଞ୍ଜାଯାଇଥିଲା। ଏହାପରେ ବୋମା ନିରୋଧକ ଦଳ ଯାଇ ମଧ୍ୟାହ୍ନରେ ଲ୍ୟାଣ୍ଡମାଇନକୁ ସତର୍କତାର ସହ ନିଷ୍କ୍ରିୟ କରିଥିଲେ। ଏହି ଘଟଣାରେ କାହାରି କିଛି କ୍ଷତି ଘଟିନାହିଁ ବୋଲି ସିଆରପିଏଫ ପକ୍ଷରୁ ସେକେଣ୍ଡ ଇନ କମାଣ୍ଡାଣ୍ଟ ମିତୁ ରୟ କହିଛନ୍ତି। ଠିକ୍‍ ସମୟରେ ଏହା ଜଣାପଡିବାରୁ ଏକ ବ ଅଘଟଣରୁ ଯବାନ ବର୍ତ୍ତିଯାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏହା କିଏ ଖଞ୍ଜିଛି ତାହା ଜଣାପଡ଼ିନାହିଁ। ଏହା ମାଓବଦୀଙ୍କ କାମ ବୋଲି ଅନୁମାନ କରାଯାଉଛି। ଯବାନଙ୍କୁ ନିଶାଣ କରି ମାଓବାଦୀ ଏଭଳି ଲ୍ୟାଣ୍ଡମାଇନ ଖଞ୍ଜିଥାଇପାରନ୍ତି। ସବୁଠାରୁ ବଡ଼ କଥା ହେଲା ଘଟଣାସ୍ଥଳରୁ ମାତ୍ର ୩୦୦ମିଟର ଦୂରରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ରହିଛି। ବିଦ୍ୟାଳୟରେ ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କହିବାକୁ ଗଲେ ଯଦି କୌଣସି ପିଲା ପୂର୍ବରୁ ଯାଇଥା’ନ୍ତେ ତେବେ କିଛି ବଡ଼ ଅଘଟଣ ଘଟିଥା’ନ୍ତା। ଅପରପକ୍ଷରେ ଜିଲା ପୁଲିସ ଏହି ଘଟଣାରେ ମୁଁହ ଖୋଲୁନାହିଁ। କୌଣସି ବରିଷ୍ଠ ପୁଲିସ ଅଧିକାରୀ ମତାମତ କିମ୍ବା ସୂଚନା ପ୍ରଦାନ କରୁନାହାନ୍ତି। ଗୁଇନ୍ଦା ବିଫଳତା ପଦାରେ ପଡ଼ିଯିବା ଆଶଙ୍କାରେ କେହି ମୁହଁ ଖୋଲୁ ନ ଥିବା ଚର୍ଚ୍ଚା ହେଉଛି। କାରଣ ମାଓବାଦୀଙ୍କ ବ୍ୟତୀତ ଲ୍ୟାଣ୍ଡମାଇନ ଖଞ୍ଜିବା ଆଉ କାହାରି କାର୍ଯ୍ୟ ହୋଇ ନ ପାରେ। ଯଦି ଏହା ସତ ତେବେ ସାଂଘାତିକ। ମାଓବାଦୀମାନେ ଜଙ୍ଗଲ ଛାଡ଼ି ଏବେ ସହର ନିକଟରେ ନିଜର ସ୍ଥିତି ଜାହିର କଲେଣି। ରାୟଗଡ଼ା ଥାନା ଅଧୀନ ତଥା ସହରଠାରୁ ମାତ୍ର ୧କିଲୋମିଟର ଦୂରରେ ଲ୍ୟାଣ୍ଡମାଇନ ଖଞ୍ଜିବା ଘଟଣା ଜଣାପଡ଼ିବା ପରେ ଏବେ ଏ ନେଇ ସମଗ୍ର ସହରରେ ଆତଙ୍କ ଖେଳିଯାଇଛି। ଏହି ଲ୍ୟାଣ୍ଡମାଇନ କେବେ ଖଞ୍ଜାଯାଇଥିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ, ଯାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ମାଓବାଦୀ କିଭଳି ନିଜର ନେଟୱାର୍କ ବଢ଼ାଇଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି। ଏଭଳି ଘଟଣା ଆଗାମୀ ଦିନରେ ପୁଲିସ ଓ ସୁରକ୍ଷା କର୍ମୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories