ଲଗାଣ ବର୍ଷାରେ ଗଛ ପଡି ଭାଙ୍ଗିଲା ଦୋକାନ, ଅଳ୍ପକେ ବର୍ତ୍ତିଲେ ଦମ୍ପତି
ଫୁଲବାଣୀ : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ ଗତ ୫ ଦିନ ହେବ ବର୍ଷା ଲାଗିରହିଛି । ବର୍ଷାରେ ଜନ ଜୀବନ ଅସ୍ତବ୍ୟବସ୍ତ ହୋଇପଡିଛି । ଜିଲ୍ଲାର ଅନେକ ଜାଗାରେ ନଦୀନାଳ ମାନଙ୍କରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ନୂଆପଦର ଗାଁରେ ଏକ ବିରାଟ ଆମ୍ବଗଛ ଉପୁଡି ଯାଇ ବହୁ କ୍ଷୟ କ୍ଷତି ହୋଇଥିବା ବେଳେ ରାସ୍ତା ପାର୍ଶ୍ୱରେ ଥିବା ୨ ଟି ଦୋକାନ ଉପରେ ଗଛ ପଡିଯିବାରୁ ଦୋକାନ ଗୃହ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଦୋକାନ ମାନଙ୍କରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଦୋକାନ ଭିତରେ ରାତିରେ ଶୋଇଥିବା ଦୋକାନ ମାଲିକ ଓ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଛଟି ଉପୁଡି ପଞ୍ଚାୟତ ସମ୍ମୁଖରେ ଥିବା ଦୋକାନ ଘରମାନଙ୍କରେ ପଡିଯାଇଥିଲା । ତେବେ ଦୋକାନ ମାଲିକମାନଙ୍କ ମଧ୍ୟରେ ଜଣେ ବିଲୁପଦର ଗାଁର ଚନ୍ଦ୍ରଶେଖର ସାହାଣୀ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଦୋକାନୀ ସେହି ବିଲୁପଦର ଗାଁର ପ୍ରଦୀପ ବେହେରା ବୋଲି ଜଣାପଡିଛି । ଏହି ଘଟଣାରେ ଦୋକାନ ଭିତରେ ଶୋଇଥିବା ଦୋକାନ ମାଲିକ ପ୍ରଦୀପ ବେହେରାଙ୍କ ସ୍ତ୍ରୀ ଟୁନି ବେହେରା ସାମାନ୍ୟ ଆହତ ମଧ୍ୟ୍ୟ ହୋଇଥିବା ଜଣାପଡିଛି । ଏହି ଦୁଇ ଦୋକାନ ମାଲିକ ବିଭିନ୍ନ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କଠାରୁ ଋଣ କରି ଦୋକାନ କରିଥିବାବେଳେ ଏବେ ସେମାନେ ସର୍ବସ୍ଵାନ୍ତ ହୋଇଯାଇଛନ୍ତି । ଯାହାପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି ।
Comments are closed.