www.samajalive.in
Friday, December 5, 2025
20.1 C
Bhubaneswar

ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି, ସ୍ୱାଭାବିକ ହେଉଛି ସ୍ଥିତି

ଡେସ୍କ: ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି ଦେଖାଦେବା ଯୋଗୁଁ ଗତକାଲି ଅନେକ ସମୟ ଧରି ବିଶ୍ୱର ଅନେକ ଦେଶରେ ବିମାନ ସେବା, ସ୍ୱାସ୍ଥ୍ୟସେବା ଓ ବ୍ୟାଙ୍କ୍‌ସେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏବେ ତ୍ରୁଟିରେ ସୁଧାର ଆସିବା ପରେ ସେହିସବୁ ବ୍ୟବସ୍ଥାଗୁଡ଼ିକ ସ୍ୱାଭାବିକ ହେଉଛି। ସାରା ବିଶ୍ୱରେ ମାଇକ୍ରୋସଫ୍ଟ ବ୍ୟବହାର କରୁଥିବା ବିଭିନ୍ନ ସଂସ୍ଥା ଅନ୍‌ଲାଇନ୍‌ ଜରିଆରେ କାର୍ଯ୍ୟ କରିବା ସମ୍ଭବ ନ ହେବାରୁ କୋଟି କୋଟି ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁଯାୟୀ ଆମେରିକାର ସାଇବର ସୁରକ୍ଷା ସଂସ୍ଥା କ୍ରାଉଡ୍‌ ଷ୍ଟ୍ରାଇକ୍‌ ଏକ ସଫ୍ଟୱେୟାର ଅପ୍‌ଡେଟ୍‌ ପାଇଁ ଦେଇଥିବା ପ୍ୟାଚ୍‌ରେ ବୈଷୟିକ ତ୍ରୁଟି ରହିଥିବାରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ପରିଚାଳନା ବ୍ୟବସ୍ଥା ଅଚଳ ହୋଇପଡ଼ିଥିଲା। ଫଳରେ ସାରା ବିଶ୍ୱରେ ବ୍ୟାବସାୟିକ, ବ୍ୟାଙ୍କିଙ୍ଗ୍‌, ଡାକ୍ତରଖାନା ଏବଂ ବିମାନ ପରିଚାଳନାରେ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହୋଇଥିଲା।

ଇତିମଧ୍ୟରେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟନାରାୟଣ ନଡେଲା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, କ୍ରାଉଡ୍‌ ଷ୍ଟ୍ରାଇକ୍‌ ସହ ମିଳିତ ଭାବେ ଏହି ଅସୁବିଧା ଦୂର କରିବା ଲାଗି ପଦକ୍ଷେପ ନିଆଯାଇଛି ଏବଂ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ଲାଗି ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ କ୍ରାଉଡ୍‌ ଷ୍ଟ୍ରାଇକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଳି ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଇଥିବା କହିଛନ୍ତି। ତେବେ ସମ୍ପୂର୍ଣ୍ଣଭାବେ ମାଇକ୍ରୋସଫ୍ଟ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ କିଛି ସମୟ ଲାଗିବ ବୋଲି ସେ କହିଛନ୍ତି।

- Advertisement -

ଗତକାଲି ଏହି ତ୍ରୁଟି ଦେଖାଦେବା ପରେ ହଜାର ହଜାର ସଂଖ୍ୟାର ବିମାନ ଉଡ଼ାଣ ବାତିଲ୍‌ କରାଯିବା ସହ କେତେକ କ୍ଷେତ୍ରରେ ଏକ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣ ବାତିଲ୍‌ କରାଯାଇଛି। ଭାରତରେ କେତେକ ବିମାନ ସେବା ଅନ୍‌ଲାଇନ୍‌ ପରିବର୍ତ୍ତେ ଅଫ୍‌ଲାଇନ୍‌ ଜରିଆରେ ପରିଚାଳନା କରାଯାଇଥିବାବେଳେ ଚେକି – ଇନ୍‌ ଏବଂ ବୋର୍ଡ଼ିଂ ପାଇଁ ଯାତ୍ରୀମାନଙ୍କୁ ବହୁ ପୂର୍ବରୁ ଆସିବାକୁ କୁହାଯାଇଥିଲା। ନୂଆଦିଲ୍ଲୀର ଇନ୍ଦିରାଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଥିଲା।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକାର ମାଇକ୍ରୋସଫ୍ଟ ସହ ଯୋଗାଯୋଗରେ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ଇଣ୍ଡିଆନ୍‌ କମ୍ପୁ୍ୟଟର ଇମର୍ଜେନ୍‌ସି ରେସ୍‌ପନ୍ସ ଟିମ୍‌ ଅନ୍ୟ ବୈଷୟିକ ସଂସ୍ଥାଗୁଡ଼ିକ ସହ ଏକତ୍ର କାର୍ଯ୍ୟ କରୁଛନ୍ତି। କେତେକ କ୍ଷେତ୍ରରେ ଆଂଶିକ ଭାବେ ସୁଧାର ଆସିଥିବା ସେ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories