ବୌଦ୍ଧ ଜିଲ୍ଲାରେ ଆଜିଠୁ ଘରୋଇ ବସ ଚଳାଚଳ ବନ୍ଦ
ବୌଦ୍ଧ: ଆଗରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ(ପୂର୍ବର ଲକ୍ଷ୍ମୀ ବସ) ବ୍ଲକ ମୁଖ୍ୟାଳୟରୁ ପଞ୍ଚାୟତଗୁଡିକୁ ଚଳାଚଳ କରୁଥିଲା। ଏହା ଦ୍ୱାରା ଘରୋଇ ବସ ମାଲିକମାନେ ବହୁ କ୍ଷତି ସହୁଥିଲେ। । କିନ୍ତୁ ଶୁକ୍ରବାରଠାରୁ ଉକ୍ତ ବସଗୁଡିକ ପଞ୍ଚାୟତଗୁଡିକରୁ ବ୍ଲକ ମୁଖ୍ୟାଳୟକୁ ଚଳାଚଳ ଆରମ୍ଭ କରିଛି । ଯାହାଫଳରେ ବର୍ତ୍ତମାନ ଘରୋଇ ବସ ଚାଲିବା ସମ୍ଭବ ହୋଇପାରିବ ନାହିଁ ବୋଲି ବୌଦ୍ଧ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ୨୦ ତାରିଖଠାରୁ ଜିଲାରେ ଘରୋଇ ବସ ଚଳାଳଚ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ସମସ୍ତ ଘରୋଇ ବସ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆଗରେ ରଖି ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ଏ ନେଇ ସଂଘ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଦାବି ପତ୍ରରେ ମୁଖ୍ୟମନ୍ତ୍ରୀ ବସକୁ ବିରୋଧ କରାଯାଉ ନ ଥିବା ଉଲ୍ଲେଖ ଥିବା ବେଳେ, ଉକ୍ତ ବସଗୁଡିକୁ ଧାର୍ଯ୍ୟ ସମୟରେ ଚଳାଚଳ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ସଂଘ ସଭାପତି ପ୍ରସନ୍ନ କୁମାର ସାହୁ, ସମ୍ପାଦକ ଚିତ୍ତରଞ୍ଜନ ରାଜ ଓ ଅନ୍ୟ ସଦସ୍ୟ ସାମିଲ ଥିଲେ । ଏହି ଆନ୍ଦୋଳନକୁ ମାଁ ଭୈରବୀ ବସ କର୍ମଚାରୀ ସଂଘ ପକ୍ଷରୁ ସମର୍ଥନ କରିବା ସହ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଏକ ପ୍ରେସ ବିବୃତ୍ତିରେ ସଂଗଠନର ସଭାପତି ଅବକାଶ ସାହୁ, ସାଧାରଣ ସମ୍ପାଦକ ଦିଲୀପ ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ବେହେରା, ଶ୍ରବଣ ବେହେରା, ସୁବ୍ରତ ଭଂଜ, ରଂଜନ ମହାପାତ୍ର , ହରିଶଙ୍କର ପାଣିଗ୍ରାହୀ, ହୃଷିକେଶ ଭୋଇ ଜଣାଇଛନ୍ତି।
Comments are closed.