ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲ ଗ୍ରାମ ଦେଇ ଯାଇଥିବା ପୂର୍ବତଟ ରେଳପଥର ଖୁଣ୍ଟି ନଂ ୫୯୩ ,୨୮/୩୦ ମଧ୍ୟରେ ରେଳ ଧାରଣା ମଝିରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ସମ୍ବଲପୁର ରେଲୱେ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଅତାବିରା ଥାନା ଅନ୍ତର୍ଗତ ମନାପଡ଼ା, କଦମ ଟିକ୍ରାର ସୁଧାଂଶୁ ହର(୧୯) ବୋଲି ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ୮ଟାରେ ଖାଇ ସାରି ସୁଧାଂଶୁ କୁଆଡ଼େ ଚାଲି ଯାଇଥିଲେ। କିନ୍ତୁ ରାତି ବିଳମ୍ବରେ ମଧ୍ୟ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ। ପଡ଼ାର ଅନତିଦୂରରେ ଥିବା ରେଳ ଧାରଣା ମଝିରେ ତାଙ୍କ ମୃତଦେହ ଖଣ୍ତ ବିଖଣ୍ଡିତ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ରାତିରେ ମୁହଁ କଟିଯାଇ ବିକୃତ ଦେଖାଯାଉଥିବାରୁ ଚିହ୍ନି ନ ପାରି ପରିବାର ଲୋକେ ସୁଧାଂଶୁ ହୋଇ ନଥିବା ଭାବି ଫେରିଯାଇଥିଲେ। ଆଜି ସକାଳ ୬ଟାରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ମାଲଗାଡ଼ିର ଲୋକୋ ପାଇଲଟ୍ ସଞ୍ଜୟ ତିର୍କି ଦେବାହଲ ଷ୍ଟେସନକୁ ଖବର ଦେଇଥିଲେ ଲାଇନ ମଝିରେ ଏକ ମୃତଦେହ ପଡ଼ିଛି ବୋଲି। ଏହି ଖବର ପାଇ ଦେବାହାଲ୍ ଷ୍ଟେସନ ମାଷ୍ଟର ସମ୍ବଲପୁର ରେଲୱେ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ରେଲୱେ ଏସଆଇ ବି ବି ନାଗ ନିଜ ଦଳ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକମାନଙ୍କୁ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ କହିଥିଲେ। ପରେ ମୃତ ସୁଧାଂଶୁଙ୍କ ପରିବାର ପୁଣି ଆସି ମୃତଦେହକୁ ଦେଖି ଚିହ୍ନିଥିଲେ ଏବଂ ତାଙ୍କ ମସ୍ତିସ୍କ ସାମାନ୍ୟ ଠିକ୍ ନ ଥିବା ସୁଧାଂଶୁଙ୍କ ବାପା ପୁଲିସ ଆଗରେ ପ୍ରକାଶ କରିଥିଲେ। ଏହାପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ରହିଛି ।



