ଫୁଲବାଣୀ: ରବିବାର ବନାନୀ କଳା ସଂଗମ ପରିସରରେ କନ୍ଧମାଳ ଜିଲ୍ଲା ସିଟିଜେନ ଫୋରମ ପକ୍ଷରୁ ଏକ ବୈଠକ ସଭାପତି ଅରୂପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାଧାରଣ ସମ୍ପାଦକ ସୁନୀଲ ପଟ୍ଟନାୟକ ବୈଠକର ଲକ୍ଷ୍ୟ, ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସଭାପତି ଅରୂପ ଜେନା ବିଶେଷ କରି ବର୍ତ୍ତମାନ ସରକାର ଗତ ୬ ତାରିଖ ଦିନ ଜବରଦଖଲ ଉଛେଦ କରିବା ଲାଗି ସମସ୍ତ ଜିଲାପାଳମାନଙ୍କୁ ଦେଇଥିବା ଚିଠି ଓ ଗୋପାଳପୁର -ରେଢ଼ାଖୋଲ ଭାୟା ଫୁଲବାଣୀ ରେଳ ଲାଇନ, ମେଡିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ କରିବା ସମ୍ପର୍କିତ ଉପୁଜିଥିବା ସମସ୍ୟା ଓ ସମାଧାନ ନେଇ ମତ ରଖିବା ଲାଗି ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ନବୀନ କିଶୋର ପଣ୍ଡା,ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପ୍ରଣବ ମଣ୍ଡଳ, ବଂଶୀଧର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ଡିଗାଲ, ଉପସଭାପତି ବ୍ରଜକିଶୋର ପଟ୍ଟନାୟକ, କନ୍ଧମାଳ ପିପୁଲସ ଫୋରମ ସଭାପତି ରାଧାମୋହନ ମହାପାତ୍ର, ସାମ୍ବାଦିକ ପ୍ରଶାନ୍ତ ବେହେରା, ସମାଜସେବୀ ସତ୍ୟ ପ୍ରିୟ ମହାନ୍ତି, ଉପସଭାପତି ନବ କିଶୋର ରଥ, ପ୍ରଫୁଲ ଦାସ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଜବରଦଖଲ ଉଛେଦ ପ୍ରକ୍ରିୟାକୁ ବିରୋଧ କରିବା ସହ ଜବରଦଖଲ କରି ସରକାରୀ ଜମି ର ଘର କରି ରହିଥିବା ଗରିବ ଲୋକଙ୍କୁ ଘରବାରୀ ପଟା ଯୋଗାଇଦେବାକୁ କହିଥିଲେ। ଏ ସମ୍ପର୍କରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ମତ ଦେଇଥିଲେ।
ଏହାବ୍ୟତୀତ ଅତିଶୀଘ୍ର ବିଭିନ୍ନ ସଂଗଠନ ର କର୍ମକର୍ତ୍ତାଙ୍କୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରି ଶାନ୍ତିପୂର୍ଣ ଆନ୍ଦୋଳନ କରିବାଲାଗି ମତ ପୋଷଣ କରିଥିଲେ।
ସେହିପରି ନିର୍ମାଣ ଧୀନ ମେଡିକାଲ କଲେଜ କାର୍ଯ୍ୟ ଶୀଘ୍ର ସାରିବାଲାଗି ନାଗରିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିବା ପାଇଁ ସଦସ୍ୟ ମାନେ ମତ ଦେଇଥିଲେ। ଏହାବ୍ୟତୀତ ଗୋପାଳପୁର -ରେଢ଼ାଖୋଲ ଭାୟା ଫୁଲବାଣୀ ପୁନର୍ବାର ସର୍ଭେ ପାଇଁ ଚଳିତ ରେଳବାଇ ବଜେଟ ରେ ଅଧିକ ଅର୍ଥ ଅନୁଦାନ ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଙ୍କୁ ଚିଠି ଲେଖିବାପାଇଁ ମତ ପ୍ରକାଶ ପାଇଥିଲା।ଏଥିସହ ସର୍ଭେ କରୁଥିବା ଓରିଡେଲ
କତୃପକ୍ଷ ଙ୍କ ସହଜିଲ୍ଲା ନାଗରିକ ମଞ୍ଚ ପ୍ରତିନିଧି ଦଳ ଆଲୋଚନା କରିବା ନେଇ ସତ୍ୟପ୍ରିୟ ମହାନ୍ତି ମତ ରଖିଥିଲେ। କୁନ୍ଦନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।



