www.samajalive.in
Sunday, December 14, 2025
18.1 C
Bhubaneswar

ଆଲୋଚନା ପରେ ବିଜେଡିର କକ୍ଷତ୍ୟାଗ

ନୂଆଦିଲ୍ଲୀ : ସଂସଦରେ ଯେଭଳି ଢ଼ଙ୍ଗରେ ତିନି ତଲାକ ବିଧେୟକକୁ ଆଗତ କରାଯାଇଛି ସେଥିରେ ରାଜନୀତିର ଗନ୍ଧ ବାରି ହୋଇପଡ଼ୁଛି ବୋଲି ବିଜେଡ଼ି ଅଭିଯୋଗ କରିଛି। ତିନି ତଲାକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ମୁସଲିମ ସମାଜରେ ଲିଙ୍ଗଗତ ପ୍ରଭେଦ ସୃଷ୍ଟି କରିପାରେ ବୋଲି ବିଜେଡ଼ି ଆଶଙ୍କା ମଧ୍ୟ କରିଛି। ତିନି ତଲାକ ଆଇନ ବଦଳରେ ମୁସଲିମ ପର୍ସନାଲ ଆଇନରେ ସଂଶୋଧନ କରିବା ପାଇଁ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଲୋକସଭା ଆଲୋଚନାରେ ଭାଗ ନେଇ ଶ୍ରୀ ଜେନା ଦର୍ଶାଇଛନ୍ତି ଯେ ବିଧେୟକକୁ ସଂସଦରେ ପାରିତ କରାଗଲେ ଆଗାମୀ ଦିନରେ ସମାଜ ପାଇଁ କ୍ଷତିକାରକ ହେବ। ଜେଲଦଣ୍ଡ ଭୟରେ ମୁସଲିମ ପୁରୁଷ ତଲାକ ନଦେଇ ତାଙ୍କ ପତ୍ନୀଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେବାର ସମ୍ଭାବନା ରହିଛି। ସେହିପରି ବିଧେୟକରେ ନିଜ ସ୍ୱାମୀଙ୍କ ଠାରୁ ସ୍ତ୍ରୀ ଭରଣପୋଷଣ ପାଇବାର ବ୍ୟବସ୍ଥା ରହିଛି। ଥରେ ଗିରଫ ହୋଇ ସ୍ୱାମୀ ଜେଲ ଗଲେ ପତ୍ନୀ କିପରି ଭରଣପୋଷଣ ପାଇବ ବୋଲି ବାଲେଶ୍ୱର ସାଂସଦ ପ୍ରଶ୍ନ କରିଥିଲେ। ଦେଶର ପ୍ରଚଳିତ ଆଇନ ବ୍ୟବସ୍ଥାରେ ଦେଶଦ୍ରୋହୀ, ଦଙ୍ଗାକାରୀ ଓ ନକଲି ମୁଦ୍ରା ପ୍ରସ୍ତୁତକାରୀ ଭଳି ସଂଙ୍ଗୀନ ଅପରାଧିଙ୍କୁ ତିନି ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ତିନି ତଲାକ ଦେଉଥିବା ମୁସଲିମ ପୁରୁଷଙ୍କୁ ମଧ୍ୟ ବିଧେୟକରେ ତିନି ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଏଭଳି ଅପରାଧ ପାଇଁ ତିନି ବର୍ଷ ଜେଲଦଣ୍ଡ ବ୍ୟବସ୍ଥା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଂସଦ ଶ୍ରୀ ଜେନା ପ୍ରଶ୍ନ କରିଥିଲେ। ବିବାହ ଭଳି ଚୁକ୍ତିନାମାକୁ ଖିଲାପ କରିବା ଏକ ବ୍ୟକ୍ତିଗତ ଅପରାଧ। ଏଭଳି ଅପରାଧ ପାଇଁ ଫୌଜଦାରୀ ଆଇନକୁ ଲାଗୁ କରାଯିବା ଆଦୌ ଠିକ୍‍ ନୁହେଁ ବୋଲି ସାଂସଦ ଶ୍ରୀ ଜେନା କହିଥିଲେ। ସେହିପରି ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଏଣିକି ମୁସଲିମ ପୁରୁଷ ତିନି ତଲାକ ଦେଲେ ମଧ୍ୟ ଛାଡ଼ପତ୍ର ହୋଇ ପାରିବ ନାହିଁ। ଯେତେବେଳେ ତିନି ତଲାକ ଅନୁଯାୟୀ ଛାଡ଼ପତ୍ର ବୈଧ ନୁହେଁ ସେତେବେଳ ଆଇନ ଅନୁଯାୟୀ ଅପରାଧ କେଉଁ ଠାରେ ଘଟିଲା ବୋଲି କେନ୍ଦ୍ର ସରକାରଙ୍କ ଠାରୁ ସାଂସଦ ଶ୍ରୀ ଜେନା ଜାଣିବାକୁ ଚାହିଁଥିଲେ। ସୁପ୍ରିମକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ତିନି ତଲାକ ଛାଡ଼ପତ୍ର ଆଇନ ଅନୁଯାୟୀ ବୈଧ ନୁହେଁ ସେତେବେଳେ କେନ୍ଦ୍ର ସରକାର ବିଧେୟକ ମାଧ୍ୟମରେ ସମାନ କଥାକୁ ପୁଣି ଥରେ ଦୋହରାଇବାର ଯଥାର୍ଥତା ନେଇ ପ୍ରଶ୍ନ କରିଥିଲେ।
କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ଆଗତ ତିନି ତଲାକ ବିଧେୟକ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟକୁ ଟାର୍ଗେଟ କରାଯାଇ ଅଣାଯାଇଛି ଦର୍ଶାଇ ଶ୍ରୀ ଜେନା କହିଥିଲେ ଯେ ବିଧେୟକରେ ରହିଥିବା ଧାରା ଗୁଡ଼ିକ ସଂବିଧାନର ଧାରା ୧୫ ଓ ୧୬କୁ ଉଲ୍ଲଙ୍ଘନ କରୁଛି। ଅପବ୍ୟବହାରକୁ ରୋକିବା ନେଇ ବିଧେୟକରେ କୌଣସି ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନାହିଁ। ୨୦୧୪ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଜରିଆରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଷୟରେ ସଂସଦର ମିଳିତ ଅଧିବେଶନକୁ ଦେଇଥିବା ପ୍ରତିଶୃତିକୁ ମନେପକାଇ ଦେଇ ସାଂସଦ ଶ୍ରୀ ଜେନା କହିଥିଲେ ଯେ ଯଦି ମହିଳା ସ୍ଥାନ ସଂରକ୍ଷଣ ବିଧେୟକକୁ ପାରିତ କରି ମହିଳାଙ୍କୁ ସଶକ୍ତିକରଣ କରାଯାଏ; ତେବେ ସଂସଦୀୟ ବ୍ୟବସ୍ଥାରେ ପୁରୁଷଙ୍କ ବଦଳରେ ମହିଳା ନିଜ ସ୍ୱାର୍ଥ ବିଷୟରେ ନିଜେ ଉତ୍ଥାପନ କରିପାରିବେ। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା କେନ୍ଦ୍ର ସରକାରଙ୍କୁ ଆହ୍ୱାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories