ଆଜି ଶେଷ ଦୁଇ ଲିଗ୍ ମ୍ୟାଚ୍: ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରାଜସ୍ଥାନ
ଗୌହ୍ବାଟି : ଆଇପିଏଲ୍ ମହାସମର। ଆଜି ଗୌହ୍ବାଟିରେ କଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଶେଷ ଲିଗ୍ ମ୍ୟାଚ ଖେଳାଯିବ। ଦୁଇ ଦଳ ପ୍ଲେ ଅଫରେ ପହଞ୍ଚି ସାରିଥିବାରୁ ଶୀର୍ଷ ସ୍ଥାନ ହାସଲ ନେଇ ମୁହାଁମୁହିଁ ହେବେ। କଲକାତା ୧୩ଟି ମ୍ୟାଚରୁ ୯ଟି ବିଜୟ ଓ ୪ଟି ପରାଜିତ ହୋଇଥିବାବେଳେ ରାଜସ୍ଥାନ ୧୩ଟି ମ୍ୟାଚରୁ ୮ଟି ବିଜୟ ଓ ୫ଟି ପରାଜିତ ହୋଇଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୨ ୱିକେଟରେ କଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। କଲକାତା ନିକଟରେ ଉକ୍ତ ପରାଜୟର ପ୍ରତିଶୋଧ ନେଇ ସୁଯୋଗ ରହିଥିବା ବେଳେ ରାଜସ୍ଥାନ ଉକ୍ତ ସଫଳତାକୁ ବଜାୟ ରଖିବାକୁ ଚେଷ୍ଟା କରିବ।
ଶ୍ରେୟାସ ଆୟରଙ୍କ ନେତୃତ୍ବାଧିନ କଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଫର୍ମରେ ରହିଛି। ରାଜସ୍ଥାନକୁ ହରାଇ ଶୀର୍ଷ ସ୍ଥାନ ବଜାୟ ରଖିବା ଲକ୍ଷ୍ୟ ନେଇ କଲକାତା ଖେଳିବ। ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ପ୍ରଥମ ୮ଟି ମ୍ୟାଚରୁ ୭ଟି ବିଜୟୀ ହୋଇଥିବା ବେଳେ ଶେଷ ୫ଟି ମ୍ୟାଚରୁ ୪ଟି ପରାଜିତ ହୋଇଛି। ଜୋଶ ବଟ୍ଲର ସ୍ବଦେଶ ଫେରିଯିବା ପରେ ବ୍ୟାଟିଂ ବିଭାଗରେ ଦଳ ଦୁର୍ବଳ ହୋଇପଡ଼ିଛି। ଯଶସ୍ବୀ ଜୟସୱାଲ, ସଞ୍ଜୁ ସାମସନ ଓ ରିୟାନ ପରାଗଙ୍କ ଉପରେ ଏବେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। ଉକ୍ତ ୩ ବ୍ୟାଟ୍ସମ୍ୟାନ ଯେଉଁ ମ୍ୟାଚରେ ବିଫଳ ହେଉଛନ୍ତି ଦଳ ବଡ଼ ରନ ସ୍କୋର କରିବାରେ ମଧ୍ୟ ବିଫଳ ହେଉଛି। ସିମରନ ହେତମେୟାର ଓ ରୋଭମାନ ପାୱେଲ ରହିଥିଲେ ମଧ୍ୟ ଠିକଣା ସମୟରେ ଉପଯୁକ୍ତ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ, ଯୁଜୁବେନ୍ଦ୍ର ଚହଲ, ଆଭେଶ ଖାନ, ସନ୍ଦୀପ ଶର୍ମା, ତନୁଷ କୋଟିଆନ ପ୍ରମୁଖ ରହିଛନ୍ତି। ଦଳ ପ୍ଲେ ଅଫ ପୂର୍ବରୁ ଶେଷ ଲିଗ୍ ମ୍ୟାଚକୁ ଜିତି ମାନସିକ ସ୍ତରରେ ପ୍ରସ୍ତୁତ ହେବା ନେଇ ଲକ୍ଷ୍ୟ ରଖିଛି।
Comments are closed.