www.samajalive.in
Thursday, December 11, 2025
18.1 C
Bhubaneswar

ଥରାଉଛି ଜାଡ଼

ଭୁବନେଶ୍ବର : ସମଗ୍ର ରାଜ୍ୟରେ ଶୀତ ଲହରୀ ଲାଗିରହିଛି। ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ବନ୍ଦର ସହରଗୁଡ଼ିକୁ ବାଦ ଦେଲେ ସାରା ଓଡ଼ିଶା ପ୍ରଚଣ୍ଡ ଜାଡ଼ରେ ଥରୁଛି। ଶୀତପ୍ରକୋପ ଅସମ୍ଭାଳ ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। କ୍ରମାଗତ ଭାବେ ତିନି ଦିନ ଧରି ଫୁଲବାଣୀର ତାପମାତ୍ରା ସବୁଠୁ କମ ୭ଡ଼ିଗ୍ରୀ ସେଲସିୟସରେ ଅପରିବର୍ତ୍ତିତ ଥିବାବେଳେ ଦାରିଙ୍ଗବାଡ଼ିରେ ବି ୮ଡ଼ିଗ୍ରୀ ଭିତରେ ରହିଛି। ଶନିବାର ରାଜ୍ୟର ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀ ସେଲସିୟସ ତଳେ ଥିବାବେଳେ ୧୪ଟି ସ୍ଥାନରେ ପାରଦ ୧୨ଡ଼ିଗ୍ରୀ ତଳକୁ ଖସିଛି। କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ସମ୍ବଲପୁର ଓ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮ରୁ ୧୦ଡ଼ିଗ୍ରୀ ଭିତରେ ରହିଛି। ମାଲକାନଗିରି, ଗୋପାଳପୁର ଓ ପୁରୀକୁ ବାଦ ଦେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ଡ଼ିଗ୍ରୀ ତଳେ ରହିଛି।
ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ ଅବ୍ୟାହତ ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ନିର୍ମଳ ଆକାଶ ଓ ଉତ୍ତର ଦିଗରୁ ଥଣ୍ଡା ପବନ ବହୁଥିବାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ଶୀତ ଲହରୀ ସହିତ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ଶୀତ ଲହରୀକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସବୁ ଜିଲାପାଳଙ୍କୁ ନିର୍ଦେଶ ଜାରି କରିଛନ୍ତି। ଶୀତପ୍ରକୋପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋସମ୍ପଦ ପ୍ରଭାବିତ ହେଉଥିବାବେଳେ ବାସସ୍ଥାନ ନଥିବା ଲୋକେ ହଇରାଣ ହେଉଛନ୍ତି। ବାସସ୍ଥାନ ନଥିବା ଲୋକଙ୍କୁ ରାତି ସମୟରେ ବିଦ୍ୟାଳୟ ଓ ଅନ୍ୟ ସରକାରୀ କୋଠାରେ ଆଶ୍ରୟ ଦେବା ସହିତ ସହରାଞ୍ଚଳରେ ନିରାଶ୍ରୟ ଲୋକଙ୍କୁ ସହରାଞ୍ଚଳ ରାତ୍ରି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଜରିଆରେ ଜନସାଧାରଣ ଓ ଗୋସମ୍ପଦର ନିରାପତ୍ତା ନିମନ୍ତେ ଆବଶ୍ୟକ ସତର୍କ ସୂଚନା ଜାରି କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପ୍ରାଣୀ ସମ୍ପଦ ବିଭାଗକୁ ନିର୍ଦେଶ ଦିଆଯାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories