www.samajalive.in
Wednesday, December 10, 2025
16.1 C
Bhubaneswar

ବିଜେଡି ବିରୋଧରେ ବିଜେପିର ଚାର୍ଜସିଟ୍‌‌

କେନ୍ଦୁଝରଗଡ଼: ୨୫ବର୍ଷର ବିଜେଡି ଶାସନରେ କୃଷକ, ମହିଳା, ରୋଜଗାର, ଆଇନଶୃଙ୍ଖଳା, ସଂସ୍କୃତି ଓ ଗୌରବ ଆଦି କ୍ଷେତ୍ରରେ ଓଡ଼ିଶାର ଗ୍ରାଫ୍‌‌ ତଳକୁ ତଳ ଖସିଛି। ୨୫ବର୍ଷର ଅପାରଗ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଚାର୍ଜସିଟ୍‌‌ ଦାଖଲ କରିଛନ୍ତି। ‘କେତେ ଦିନ ସହିବା, ପରିବର୍ତନ ଆଣିବା’ ନାଁରେ ବିଜେପି ପକ୍ଷରୁ ବିଜେଡି ସରକାର ବିରୋଧରେ ଆଣିଛି ଲମ୍ବା ଅଭିଯୋଗଫର୍ଦ୍ଦ। ଏହି ଅଭିଯୋଗ ଫର୍ଦ୍ଦରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦିଆଯାଇ ପଞ୍ଚାୟତରୁ ସହର ପର୍ଯ୍ୟନ୍ତ ପ୍ରତି ଘରେ ଘରେ କିଭଳି ଏହା ପହଞ୍ଚାଯିବ ସେ ନେଇ ବିଜେପି ରଣନୀତି ଆପଣାଇଥିବା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା ରବିବାର ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ବିଜେପି ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ ଏଥିରେ ଯୋଗଦେଇ ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା, ଜିଲାରେ ଡିଏମ୍‌‌ଏଫ୍‌‌ ଓ ଓମ୍ବାଡସି ଫାଣ୍ଠିର ଦୁରୁପଯୋଗ, ଧରଣୀଧର ଭେଷଜ ମହାବିଦ୍ୟାଳୟ ଥାଇ ମଧ୍ୟ ଜିଲାବାସୀ ଚିକିତ୍ସାସେବାରୁ ବଞ୍ଚିତ ଏବଂ ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠାର ସ୍ୱପ୍ନ ଦେଖାଇ ନବୀନ ସରକାର ଜିଲା ଓ ରାଜ୍ୟବାସୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗର ଜବାବ ଦେବାକୁ ଦାବି କରିଛନ୍ତି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗଦେଇ ବିକାଶ ନାମରେ ଜିଲା ଓ ରାଜ୍ୟକୁ ବିଜେଡି ସରକାର ଲୁଟ୍‌‌ କରିଥିବା ବେଳେ ବିକାଶ ନାମରେ ଏଠାରେ ବିଜେଡି କୁଜିନେତାଙ୍କୁ ପ୍ରଶାସନ ମାଧ୍ୟମରେ ଥଇଥାନ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ରାଜ୍ୟ ସରକାରଙ୍କର ଅପାରଗତା ଯୋଗୁଁ କାନପୁର ବୃହତ୍‌‌ ଜଳସେଚନ ପ୍ରକଳ୍ପ ନିର୍ମାଣର ୪୦ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇନପାରିବା ଚାଷୀକୂଳଙ୍କୁ ହତାଶ କରିଥିବା ବେଳେ ଦେଓ ପ୍ରକଳ୍ପ ଏବଂ ବିଭିନ୍ନ ବ୍ୟାରେଜ ନିର୍ମାଣରେ ଶିଥିଳତା ଓ ରେଙ୍ଗାଲି ବାମ ପାର୍ଶ୍ୱ କେନାଲ କାର୍ଯ୍ୟକ୍ଷମ ହୋଇନପାରିବା ବିଷୟରେ ଶ୍ରୀ ମାଝୀ ଅଭିଯୋଗ ଆଣିଛନ୍ତି। ତେଲକୋଇ ବିଧାନସଭା ପ୍ରାର୍ଥୀ ଡାକ୍ତର ଫକୀର ମୋହନ ନାଏକ ଯୋଗଦେଇ ଦୀର୍ଘ ୨୫ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହି ଆଦିବାସୀ ଅଧ୍ୟୁଷିତ ତେଲକୋଇ ନିର୍ବାଚନମଣ୍ଡଳୀର ସାମାନ୍ୟ ବିକାଶ ହୋଇନପାରିବା ଭଳି ଅଭିଯୋଗ ଆଣିଛନ୍ତି। ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ଯୋଗାଣ, ରାଜ୍ୟର ୩୧୪ ବ୍ଲକରେ ଶୀତଳଭଣ୍ଡାର ଖୋଲିବା, କାଳିଆ ଯୋଜନା ନାମରେ ଚାଷୀଙ୍କୁ ବିଜେଡି ସରକାର ଶୋଷଣ କରିଥିବାରୁ ଓଡ଼ିଶାରେ କୃଷକଙ୍କ ଆୟ ସର୍ବଭାରତୀୟସ୍ତରରେ ସର୍ବନିମ୍ନ ବୋଲି ଅଭିଯୋଗଫର୍ଦ୍ଦରେ ବିଜେପି ଦର୍ଶାଇଛି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଗଲା ନାହିଁ। ଶିଶୁ ଅପହରଣରେ ଓଡ଼ିଶା ଢେର ଆଗରେ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ୪୩୦୦ ଅଧ୍ୟାପକ ପଦ ଖାଲି ପଡ଼ିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କାରଣରୁ ଗରୀବ ବାସହୀନ ପକ୍କା ଘର ପାଇବାରୁ ବଞ୍ଚିତ ହେବା, ରାଜ୍ୟରେ ୬୧୩ ପ୍ରତିଶତ ଆତ୍ମହତ୍ୟା ହାର ବୃଦ୍ଧି, ୬୧୨୪ ଗାଁକୁ ରାସ୍ତା ନଥିବାରୁ ଆଦିବାସୀବହୁଳ ଅଞ୍ଚଳରେ ଗମନାଗମନ ପାଇଁ ରାସ୍ତା ନାହିଁ। ପାନୀୟ ଜଳ ସମସ୍ୟା, ଅପପୃଷ୍ଟି, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ରୋକିବାରେ ବିଫଳ ହୋଇଛି ବିଜେଡି ସରକାର। ଓଡ଼ିଶାବାସୀ ବିଜୁଳି ୟୁନିଟ୍‌‌ ପିଛା ୨ଟଙ୍କା ୮୩ପଇସା ଦେଉଥିବା ବେଳେ ତାମିଲନାଡୁରେ ୟୁନିଟ୍‌‌ ପିଛା ୨ଟା ୫୩ପଇସା ଦେବାକୁ ପଡୁଛି। ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି, ତାହାର ଉତ୍ତର ଶାସନ ମୁଖିଆ ନବୀନ ବାବୁ ଦେବେ କି ବୋଲି ସାଂସଦ ପ୍ରାର୍ଥୀ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ରାଜ୍ୟର ବିଜେଡି ସରକାରଙ୍କ ବିରୋଧରେ ଉପରୋକ୍ତ ଅଭିଯୋଗଫର୍ଦ୍ଦ ଗାଁ ଗାଁରେ ସଭା କରି ଲୋକଙ୍କ ପାଖକୁ ବିଜେପି ପହଞ୍ଚାଇବା ସହ ସାରା ଦେଶରେ ‘ମୋଦି ଗ୍ୟାରେଣ୍ଟି’କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହ ଆଗାମୀ ନିର୍ବାଚନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି କରିଛି ବିଜେପି। ପ୍ରାରମ୍ଭରେ ବିଜେଡି ମିଡିଆ ସେଲ ଜିଲା ସଂଯୋଜକ ବ୍ରଜ କିଶୋର ରାୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଗତ କରିଥିବା ବେଳେ ଜିଲା କୃଷକ ନେତା ରାଜେଶ କୁମାର ସିଂହ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories