ବୌଦ୍ଧ ଜିଲାରେ କ୍ଷତି ସହୁଛନ୍ତି ତରଭୁଜ ଚାଷୀ
ଚାଷୀଠୁ ଶାଗମାଛ ଦରରେ କିଣି ଚଢା ଦରରେ ବିକୁଛନ୍ତି ବେପାରୀ
ବୌଦ୍ଧ: ବୌଦ୍ଧ ଏକ କୃଷି ପ୍ରଧାନ ଜିଲା ହୋଇଥିବାବେଳେ ଜିଲାର ଚାଷୀ ଧାନ ଚାଷ ସହିତ ବିଭିନ୍ନ ଫଳ, ପନିପରିବା, ଡାଲିଜାତୀୟ ଚାଷ କରିଥାନ୍ତି। ସେଥିମଧ୍ୟରୁ ତରଭୁଜ ଚାଷ ଅନ୍ୟତମ ଅର୍ଥକାରୀ ଫସଲ ଭାବରେ ବହୁଳ ଭାବରେ ଚାଷୀଙ୍କ ଦ୍ୱାରା କରାଯାଇ ବାହାର ବଜାରକୁ ପଠାଯାଇଥାଏ। ଜିଲାରେ ଚଳିତ ବର୍ଷ ବ୍ୟାପକ ଭାବରେ ଚାଷୀମାନେ ତରଭୁଜ ଚାଷ କରିଥିବା ଜଣାପଡ଼ିଛି। ହେଲେ ତରଭୁଜ ଚାଷୀ ପ୍ରକୃତ ଲାଭ ପାଇ ପାରୁନଥିବାବେଳେ ବେପାରୀମାନେ ଚାଷୀଙ୍କଠାରୁ କମ ଦରରେ କିଣି ଅଧିକ ଲାଭ ବାନ ହେଉଛନ୍ତି। ବେପାରୀ ଚାଷୀଙ୍କଠାରୁ ବହୁ କମ ଦରରେ ଗୋଟାରେ ତରଭୁଜ କିଣି କିଲୋରେ ବିକ୍ରି କରି ମାଲେମାଲ ହେଉଛନ୍ତି। ଜିଲାରେ ତରଭୁଜ ଚାଷ ପାଇଁ ପର୍ଯ୍ୟାପ୍ତ ସୁବିଧା ଥିଲେ ମଧ୍ୟ ବିକ୍ରି ପାଇଁ ଆବଶ୍ୟକ ବଜାରର ଅଭାବ ଯୋଗୁଁ ଚାଷୀ ଉଚିତ ଦରରେ ବିକ୍ରି କରି ପାରୁନାହିଁ। ଯାହାଫଳରେ ଆସ୍ତେ ଆସ୍ତେ ତରଭୁଜ ଚାଷୀ ଚାଷରୁ ବିମୁଖ ହେବାରେ ଲାଗିଲେଣି। ଚାଷୀ ତରଭୂଜ ଚାଷ କରି ଭଲ ଦି ପଇସା ରୋଜଗାର କରିବା ଆଶା କରିଥିବାବେଳେ କମ ଦରରେ ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଅନେକ ଚାଷୀ ତରଭୁଜ ଚାଷ ପାଇଁ ଋଣ ମଧ୍ୟ କରି ଚାଷ କରିଥାନ୍ତି। ଯାହାକି ସେମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କରଣ ହୋଇଛି। ଜିଲାରେ ମହାନଦୀ, ବାଘନଦୀ, ସାଲୁଙ୍କି, ତେଲନଦୀ ଆଦି ବୋହି ଯାଇଥିବାବେଳେ ପର୍ଯ୍ୟାପ୍ତ ଉଠାଜଳସେଚନର ସୁବିଧା ଯୋଗୁଁ ଏହି ନଦୀ କୂଳରେ ଚାଷୀମାନେ ଆଟ ଜମିଗୁଡିକରେ ତରଭୁଜ ସହିତ ଅନ୍ୟାନ୍ୟ ଅର୍ଥକାରୀ ପନିପରିବା ଚାଷ କରୁଛନ୍ତି। ଯେଉଁଠାରେ ଜଳସେଚନର ସୁବିଧା ନାହିଁ ଚାଷୀମାନେ କୂଅରୁ ମଟର ସାହାଯ୍ୟରେ ପାଣି ଉଠାଇ ଚାଷ କରୁଛନ୍ତି। ଦିନ ଥିଲା ଜିଲାର ହରଭଙ୍ଗା ବ୍ଲକର କୃଷ୍ଣମୋହନପୁରଠାରୁ ଆରମ୍ଭ କରି ହରଭଙ୍ଗା ପର୍ଯ୍ୟନ୍ତ ତରଭୁଜ ଚାଷ କରାଯାଉଥିଲା। ଜିଲାରେ ଏତେ ପରିମାଣରେ ଚାଷ ହେଉଥିଲା ଯେ ଜିଲାର ଚାହିଦା ମେଣ୍ଟାଇ ଚାଷୀମାନେ ତରଭୁଜକୁ ଜିଲା ବାହାରକୁ ପଠାଇ ଭଲ ଦି ପଇସା ରୋଜଗାର କରୁଥିଲେ। ହେଲେ ଏବେ ଜିଲା ବାହାରୁ ଜିଲାକୁ ତରଭୁଜ ଆସୁଛି। ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାଇ, ବୌଦ୍ଧ ଜିଲାରେ ସର୍ବାଧିକ ତରଭୂଜ ଚାଷ ହରଭଙ୍ଗା ବ୍ଲକରେ କରାଯାଇଥାଏ। ହରଭଙ୍ଗା ବ୍ଲକରେ ଦୁଇ ଶହରୁ ଅଧିକ ଜାଗାରେ ତରଭୂଜ ଚାଷ କରାଯାଉଥିବାବେଳେ ବୌଦ୍ଧ ବ୍ଲକରେ ଶହେରୁ ଊର୍ଦ୍ଧ୍ବ ଓ କଣ୍ଟାମାଳ ବ୍ଲକରେ ଶହେରୁ ଊର୍ଦ୍ଧ୍ବ ଏକର ଜମିରେ ତରଭୁଜ ଚାଷ କରାଯାଉଛି। ଏକରକୁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏକ ଏକରରେ ପ୍ରାୟ ୫୦ କ୍ୱିଣ୍ଟାଲ ତରଭୂଜ ଅମଳ ହେଉଥିବାର ଜଣାପଡ଼ିଛି। ବେପାରୀ ଚାଷୀଙ୍କ ଠାରୁ ଗୋଟାଏ ତରଭୂଜକୁ ୫ରୁ୧୦ ଟଙ୍କାରେ କିଣି ବଜାରରେ କିଲୋ ୨୦ରୁ ୨୫ ଟଙ୍କା ଦରରେ ବିକ୍ରି କରୁଛନ୍ତି। ଗୋଟିଏ ତରଭୂଜ ପ୍ରାୟ ୫ କିଲୋରୁ ଊର୍ଦ୍ଧ୍ବ ହୋଇଥାଏ। ଜିଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏପରି ସ୍ଥଳେ ଥଣ୍ଡା ପାନୀୟ ସହିତ ତରଭୁଜର ଚାହିଦା ଅଧିକ ରହିଛି। ଦୋକାନ ଗୁଡିକରେ ତରଭୁଜ ପାଇଁ ଲମ୍ବା ଧାଡି ମଧ୍ୟ ଦେଖିବାକୁ ମିଳୁଛି।
ସେହିପରି ଜିଲାର ପ୍ରତ୍ୟକ ଗାଁ ଗୁଡିକରେ ଦଣ୍ଡଯାତ୍ରା ସମୟରେ ତରଭୁଜର ଅଧିକ ଚାହିଦା ରହିଥାଏ। ଦଣ୍ଡୁଆମାନଙ୍କ ଠାରୁ ଆରମ୍ଭ କରି ଭକ୍ତ ମାନଙ୍କ ପାଇଁ ସବୁଠି ତରଭୁଜ ଆବଶ୍ୟକତା ଦେଖାଦେଇଥାଏ। ଏପରିସ୍ଥଳେ ଚାଷୀଙ୍କଠାରୁ ସ୍ୱଳ୍ପ ଦରରେ କିଣି ଅଧିକ ଦରରେ ବେପାରୀ ଗ୍ରାହକମାନଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଚାଷୀ ଖରାରେ ଖଟି ଖଟି ଚାଷ କରି କ୍ଷତି ସହୁଛି। ଜିଲାରେ ଗୋଟିଏ ମଧ୍ୟ ଶିତଳ ଭଣ୍ଡାର ନଥିବା ପନିପରିବା ଓ ଫଳ ଚାଷୀଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛି। ଯଦି ଜିଲାର ଚାଷୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶିତଳ ଭଣ୍ଡାର ସହିତ ପର୍ଯ୍ୟାପ୍ତ ବଜାର ସୁବିଧା କରାଇଦିଆଯାନ୍ତା ତାହାହେଲେ ଚାଷୀ ଉଚିତ ଦରରେ ନିଜର ଉତ୍ପାଦିତ ଫସଲକୁ ବିକ୍ରି କରିପାରନ୍ତା ଓ ଭଲ ରୋଜଗାର କରିପାରନ୍ତା।
Comments are closed.