ଭୁବନେଶ୍ୱର: ୭୬ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତାକାଲି ୧୩ ଅପ୍ରେଲ ୨୦୨୪ (ଶନିବାର) ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ପାଳନ କରାଯିବ। ଏହି ଅବସରରେ ସକାଳ ୭ ଟା ୩୦ ମିନିଟ୍ ରେ ମୁଖ୍ୟଅତିଥି ପ୍ରଦୀପ କୁମାର ଜେନା, ମୁଖ୍ୟ ଶାସନ ସଚିବ ଏବଂ ସମ୍ମାନନୀୟ ଅତିଥି ଅରୁଣ କୁମାର ଷଡଙ୍ଗୀ, ପୁଲିସ ମହାନିର୍ଦ୍ଦେଶକ, ସଂଜୀବ ପଣ୍ଡା, ପୋଲିସ କମିଶନର, ରାଜେଶ ପ୍ରଭାକର ପାଟିଲ, କମିଶନର, ଭୁବନେଶ୍ୱର ମହାନଗର ନିଗମ, ବଲୱନ୍ତ ସିଂ, ଉପାଧ୍ୟକ୍ଷ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ, ସରୋଜ କୁମାର ସାମଲ, ନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଚଞ୍ଚଳ ରାଣା, ଜିଲ୍ଲାପାଳ ଖୋର୍ଦ୍ଧା, ପ୍ରତୀକ ସିଂ, ଡିସିପି ଭୁବନେଶ୍ୱର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସମ୍ପାଦକ ସନତ ମିଶ୍ର ପ୍ରମୁଖ ଯୋଗଦେଇ ବିଧାନସୌଧ ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହିତ ମୁଖ୍ୟଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି। ଏହାପରେ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି।
ସେହିପରି ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥିରୂପେ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦାନ କରିବେ।ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ।



