www.samajalive.in
Wednesday, December 10, 2025
23.1 C
Bhubaneswar

ଆଧୁନିକ ଜ୍ଞାନକୌଶଳ ଓ କୃତି୍ରମ ବୁଦ୍ଧିମତ୍ତାର ବ୍ୟବହାର ଦ୍ୱାରା ଓଡ଼ିଆ ଭାଷାକୁ ବିଶ୍ୱସ୍ତରୀୟ କରିହେବ

ଭୁବନେଶ୍ୱର : ଓଡ଼ିଆ ଭାଷା ହେଉଛି ସର୍ବପ୍ରାଚୀନ ଭାଷା। ଆମ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଆଜି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେଣୁ ଭାଷାର ସୁରକ୍ଷା ପାଇଁ ସୂଚନା ପ୍ରଯୁକ୍ତିର ଉପଯୋଗୀ ବ୍ୟବହାର ନିତାନ୍ତ ଆବଶ୍ୟକ। ଏଥି ସହ ବିଭିନ୍ନ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଓଡ଼ିଆ ଭାଷାକୁ କିପରି ବିଶ୍ୱସ୍ତରରେ ପହଞ୍ଚାଇହେବ ସେଥିନେଇ ଅଧିକ ଗବେଷଣା ଜରୁରୀ ବୋଲି ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ଆୟୋଜିତ ‘ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା: ସୁଯୋଗ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

ବିଶିଷ୍ଟ ପ୍ରଯୁକ୍ତି ବିଶେଷଜ୍ଞ ସେନ୍ଥୀଲ ଶଙ୍କର ସୁବ୍ରମନିୟାନ୍‌ ଆଲୋଚନାରେ ଅଧ୍ୟକ୍ଷତା କରିବା ସହ ସାରଳା ଦାସଙ୍କ ଉଦାହରଣ ଦେଇ କହିଲେ ଯେ ଓଡ଼ିଆ ଭାଷାର ଗୌରବ ଏହାର ସଂରକ୍ଷଣରେ ନିହିତ ଅଛି। ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରସାର ଦିଗରେ ନେଉଥିବା ବିଭିନ୍ନ ପଦକ୍ଷେପର ସେ ପ୍ରଶଂସା କରିଥିଲେ। ଏହି ଆଲୋଚନାରେ ଯୋଗଦେଇ ଆଇଏସ୍‌ଜିର ମୁଖ୍ୟ ଭାବେ କାର୍ଯ୍ୟରତ ରେଖା ଆଚାର୍ଯ୍ୟ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ‘ଏଆଇ’ର ଯୁଗ। ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଖୁବ୍‌ କମ୍‌ ସମୟରେ ଓଡ଼ିଆ ଭାଷାକୁ ଇଂରାଜୀ ତଥା ଅନ୍ୟ ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରାଯାଇପାରୁଛି। ଓଡ଼ିଆରେ ତଥ୍ୟ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ପାଇଁ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗର ଆବଶ୍ୟକତା ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ଓଡ଼ିଆ ଭାଷା ସୂଚନା ପ୍ରଯୁକ୍ତିର ଭାଷା ହୋଇପାରିବ ବୋଲି ସେ କହିଥିଲେ।

- Advertisement -

ସେହିପରି ଏଆଇ/ଏମ୍‌ଏଲ୍‌, ରିଲାଏନ୍ସ ଜିଓ ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ଡାଟା ବୈଜ୍ଞାନିକ ଭାବେ କାର୍ଯ୍ୟରତ ଶୈଳେନ୍ଦ୍ର କୁମାର ଭାଷାକୁ ଷଷ୍ଠ ଇନ୍ଦି୍ରୟ ଭାବରେ ଅଭିହିତ କରିବା ସହ ଭାଷାର କ୍ରମବିକାଶ ବିଷୟରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ କୃତି୍ରମ ବୁଦ୍ଧିମତ୍ତାର ପରିଭାଷା ବଦଳିବା ସହିତ ଆଗାମୀ ଦିନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ହେବ ଏବଂ ଓଡ଼ିଆ ଭାଷା ସୂଚନା ପ୍ରଯୁକ୍ତିକୁ ବ୍ୟବହାର କରି ଶୀର୍ଷସ୍ତରରେ ପହଞ୍ଚିବ।

କେପିଏମ୍‌ଜି ଇଣ୍ଡିଆର ସହଭାଗୀ ବିଜେନ୍ଦ୍ର କୁମାର କହିଲେ ଯେ ଭାରତରେ ମାତ୍ର ୧୦ ପ୍ରତିଶତ ଲୋକ ଇଂରାଜୀ ଭାଷାରେ ଯୋଗାଯୋଗ କ୍ଷମତା ରଖୁଥିବାରୁ ଓଡ଼ିଆ ଭାଷାରେ ଜ୍ଞାନ ଆହରଣରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରୁଛି। ଇଂରାଜୀ ଭାଷାରେ ଅଧିକ ନିର୍ଭରଶୀଳ ଓଡ଼ିଆ ଭାଷାକୁ ସଂକୁଚିତ କରୁଛି । ତେଣୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆଞ୍ଚଳିକ ଭାଷାକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ସେ କହିଥିଲେ।
ରେଭରି ଲାଙ୍ଗୁଏଜ୍‌ ଟେକ୍‌ନୋଲୋଜିର ସହପ୍ରତିଷ୍ଠାତା ବିବେକାନନ୍ଦ ପାଣି କହିଲେ ଯେ ଅନଲାଇନ୍‌ ଦୁନିଆରେ କ୍ରମାଗତ ଭାବେ ଭାଷାର ବ୍ୟବଧାନ ପରିଲକ୍ଷିତ ହେଉଛି। ଏଥି ସହିତ ଇଣ୍ଟରନେଟ୍‌ରେ ଓଡ଼ିଆ ତଥ୍ୟର ଅନୁପସ୍ଥିତି ପରିଲକ୍ଷିତ ହେଉଛି। ତେଣୁ ଓଡ଼ିଆ ଭାଷାର ବିକାଶ ପାଇଁ ଏହାର ନିରାକରଣ ଆବଶ୍ୟକ ବୋଲି ସେ କହିଥିଲେ । ଆଲୋଚନାରେ ଅରବିନ୍ଦ ପାଣି ଓଡ଼ିଆ ଭାଷାର ବିକାଶ ପାଇଁ ମାନସିକ ପ୍ରସ୍ତୁତି ଏବଂ ଭାଷା ପ୍ରତି ଆନ୍ତରିକତା ଜରୁରୀ ବୋଲି କହିଥିଲେ।

ଛାତ୍ରବକ୍ତା ଭାବେ ଋତିକ୍‌ କୁମାର ପଣ୍ଡା ଓଡ଼ିଆ ଭାଷାର ବିକାଶ ପାଇଁ ସୂଚନା ପ୍ରଯୁକ୍ତି ବ୍ୟବହାରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଇଲେକ୍‌ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଯୋଗଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ସିଇଓ, ଓକାକ୍‌ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories