ପୁଲିସ ଏକ କର୍ମ କିମ୍ବା ବୃତ୍ତି ନୁହେଁ ବରଂ ଧର୍ମ-ଡିଜିପି
ରାଜ୍ୟ ପୁଲିସ ବାହିନୀରେ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ
ଭୁବନେଶ୍ବର: ରାଜ୍ୟ ପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ୟ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି ଷଷ୍ଠ ବାଟାଲିୟନ ପରିସରରେ ୬୮ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦେଶକ(ଡିଜିପି) ଅରୁଣ କୁମାର ଷଡଙ୍ଗୀ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ ଜିଲା ଓ ପ୍ରତିଷ୍ଠାନରୁ୨୧୫ ଜଣ ପ୍ରତିଯୋଗୀ ଓ ୩୪ ଟି ପୁଲିସ ଶ୍ଵାନ ଅଂଶ ଗ୍ରହଣ କରିଛନ୍ତି । ୪୫ ଜଣ ଇନ୍ସପେକ୍ଟର, ୫୧ ଜଣ ଏସଆଇ, ୫୬ ଜଣ ଏଏସଆଇ ଏବଂ ୬୩ ଜଣ କନଷ୍ଟେବଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।
ଏହି ଅବସରରେ ଡ଼ିଜିପି ଶ୍ରୀ ଷଡଙ୍ଗୀ ସତ୍ୟ ଓ ନ୍ୟାୟର ପରିଭାଷା ପୁଲିସ ପାଖରୁ ଆରମ୍ଭ ହୁଏ ଏବଂ ନ୍ୟାୟ ଦେବାର ମୂଳ ପିଣ୍ଡ ହେଉଛି ପୁଲିସ ବୋଲି ନିଜ ଉଦବୋଧନରେ ମତବ୍ୟକ୍ତ କରିଥିଲେ । ପୁଲିସ ଏକ କର୍ମ କିମ୍ବା ବୃତ୍ତି ନୁହେଁ ବରଂ ଧର୍ମ ବୋଲି ଡ଼ିଜିପି କହିବା ସହ ଅପରାଧ ନିରାକରଣ ଏବଂ ଅପରାଧ ଅନୁସନ୍ଧାନ ସଠିକ ହେବା ଉଚିତ ବୋଲି ଗୁରୁତ୍ଵାରୋପ କରିଥିଲେ । ଦୋଷୀଟିଏ ଉପଯୁକ୍ତ ଦଣ୍ଡ ପାଇବାରେ ପୁଲିସର ମୁଖ୍ୟ ଭୂମିକା ରହିଥାଏ, ତେଣୁ ପୁଲିସ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଏବଂ ଭରସାକୁ ସବୁବେଳେ ବଜାୟ ରଖିବାକୁ ପଡିବ ବୋଲି ସେ ମତପ୍ରକାଶ କରିଥିଲେ ।ଜ୍ଞାନ ଆରୋହଣ, ଦକ୍ଷତା ବୃଦ୍ଧି, ମନୋଭାବରେ ପରିବର୍ତ୍ତନ ତଥା ଶାରୀରିକ ଓ ମାନସିକ ସ୍ତରରେ ସକ୍ଷମ ହେବାକୁ ଡ଼ିଜିପି ପରାମର୍ଶ ଦେଇଥିଲେ । ପୁଲିସର ତଦନ୍ତ ସଠିକ ହୋଇନଥିଲେ ଦୋଷୀଟିଏ ଖସି ଯିବାର ବହୁତ ସମ୍ଭାବନା ଥାଏ ତେଣୁ ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ଦୋଷୀ ସାବ୍ୟସ୍ତ ହାରରେ ଉନ୍ନତି ସଂକ୍ରାନ୍ତରେ ସେ ଗୁରୁତ୍ଵାରୋପ କରିଥିଲେ ।
ବର୍ତ୍ତମାନ ପରିସ୍ଥିତିରେ ଅପରାଧର ପରିଭାଷାରେ ପରିବର୍ତ୍ତନ ହୋଇଛି । ସାଇବର ଅପରାଧ, ସୋସିଆଲ ମିଡିଆ ଅପରାଧ, ବ୍ୟାଙ୍କ ଠକେଇ, ନାରୀ ଉପରେ ହେଉଥିବା ଅତ୍ୟାଚାର ଭଳି ଅପରାଧକୁ ଯଥା ଶୀଘ୍ର ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦେବା ଆମ ସମସ୍ତଙ୍କର ପ୍ରାଥମିକତା କର୍ତ୍ତବ୍ୟ ହେବା ଉଚିତ ବୋଲି ସେ କହିଥିଲେ । ଆଗାମୀ ଦିନରେ ପୁଲିସର ବୃତ୍ତିଗତ ଦକ୍ଷତା ବୃଦ୍ଧି, ଫରେନସିକ ତଦନ୍ତ ଏବଂ ସାଇବର ଅପରାଧରେ ଦକ୍ଷତା ହାସଲ ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । କେବଳ ରାଜ୍ୟ ସ୍ତରରେ ସଫଳତା ହାସଲ କଲେ ଏହା ଆମପାଇଁ ଯଥେଷ୍ଟ ହେବ ନାହିଁ, ଆମକୁ ସର୍ବଭାରତୀୟ ବୃତ୍ତିଗତ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ପ୍ରଚେଷ୍ଟା କରିବା ଦରକାର ବୋଲି ପ୍ରତିଯୋଗିଙ୍କ ଉଦ୍ଦେଶ୍ୟରେ ଡିଜିପି ଶ୍ରୀ ଷଡଙ୍ଗୀ ମତପ୍ରକାଶ କରିଥିଲେ ।
ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଆଙ୍ଗୁଳି ଛାପ, କମ୍ପୁଟର ଜ୍ଞାନ କୌଶଳର ଦକ୍ଷତା, ଫଟୋଗ୍ରାଫି, ନିରୀକ୍ଷଣ ପରୀକ୍ଷା, ସାଇବର ଅପରାଧ ଓ ସଂନିରୀକ୍ଷଣ, ପୁଲିସ ଆଇନ କାନୁନ, ପୁଲିସ ରୂପଚିତ୍ର, ମେଡିକୋ-ଲିଗାଲ, ପୁଲିସ ଶ୍ଵାନଙ୍କ କୌଶଳ ପ୍ରଦର୍ଶନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ରାଜ୍ୟ ଅପରାଧ ଅନୁସନ୍ଧାନ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ବୋଥ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ଅବସରରେ ଶ୍ରୀ ବୋଥ୍ରା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଜି ସଫିନ ଅହମ୍ମଦ କେ. ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ପୁଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed.