www.samajalive.in
Sunday, December 7, 2025
14.1 C
Bhubaneswar

ଖୁବ୍‍ଶୀଘ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ ଆରମ୍ଭ ହେବ : ମନ୍ତ୍ରୀ

ପୁରୀ : ଖୁବ୍‍ଶୀଘ୍ର ଆରମ୍ଭ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ। ଉଚ୍ଚଶିକ୍ଷା ବିଭାଗ ନାମକୁ ଜମି ହସ୍ତାନ୍ତର କରାଯିବ। ଚତୁଃପାର୍ଶ୍ବ ପ୍ରାଚୀର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରକାଶ କରିଛନ୍ତି। ରବିବାର ପୁରୀ ଗସ୍ତରେ ଆସି ସେ ଜମି ହସ୍ତାନ୍ତର ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଦିଲ୍ଲୀର ଏକ ବୈଷୟିକ ସଂସ୍ଥାକୁ ବିଶ୍ୱବିଦ୍ୟାଳୟ ନକ୍ସା ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ପ୍ରସ୍ତାବିତ ଜମିରେ ରହିଥିବା ଅନାବନା ଘାସ ସଫା କରିବାକୁ ସେ ନିର୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପାଇଁ ଚଳିତବର୍ଷ ବଜେଟରେ ରହିଥିବା ଅର୍ଥ ଜମି କିଣିବାକୁ ଯଥେଷ୍ଟ ହୋଇନଥିବାରୁ ଅଧିକ ଅର୍ଥ ମଞ୍ଜୁର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଲେ ସତ୍ୟବାଦୀ ବକୁଳବନ ନିକଟସ୍ଥ ଶ୍ରୀଗୋପୀନାଥଦେବଙ୍କ ଜମିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏଥିପାଇଁ ମନ୍ଦିର ଟ୍ରଷ୍ଟବୋର୍ଡଠାରୁ ୨୯ଏକର ଜମି କିଣାଯିବ। ରାଜ୍ୟ ଦେବୋତ୍ତର କମିଶନର ଜମି ହସ୍ତାନ୍ତର ପାଇଁ ଅନୁମତି ଦେଇସାରିଛନ୍ତି। ଫୁଲଅଳସା ରାଜସ୍ୱ ମୌଜାରେ ଏହି ଦେବୋତ୍ତର ଜମି ରହିଛି। ବକୁଳବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଗଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୯ତାରିଖରେ ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟ ସମେତ ପ୍ରଶାସନିକ ଭବନ ଏବଂ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ ପ୍ରସ୍ତାବ ରହିଛି। ପୁରୀ ରାସ୍ତା ଓ ଗୃହନିର୍ମାଣ ଡିଭିଜନ ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନ, ଶ୍ରୀଗୋପୀନାଥଦେବ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ବୈଠକରେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟ ପାଇଁ ଜମି କିଣିବାକୁ ଅଧିକ ଅର୍ଥ ମଞ୍ଜୁର କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ବ୍ରୋଞ୍ଜ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବା ପ୍ରସ୍ତାବ ରହିଛି।

Hot this week

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

Related Articles

Popular Categories