ଗୋପାଳପୁର : ରାଜ୍ୟରେ ବିଭିନ୍ନ ରାହାଜାନୀ ଓ ଡକାୟତି ମାମଲାରେ ପୁରୁଷ ସମ୍ପୃକ୍ତ ରହୁଥିବା ବେଳେ ମହିଳା ଲୁଟେରା ମଧ୍ୟ ସକ୍ରିୟ ହେଉଥିବା ଅଭିଯୋଗ ହେଉଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି- ବ୍ରହ୍ମପୁରକୁ ସଂଯୋଗ କରୁଥିବା ଘଟକେଶ୍ବର ରାସ୍ତାରେ ଏକ ଟାଟା ଏସି ଗାଡିକୁ ଜଣେ ମହିଳା ଅଟକାଇବା ସହ ତାହାର ଅନ୍ୟ ସହଯୋଗୀମାନେ ଟାଟା ଏସିର ଡ୍ରାଇଭରର ମୁଣ୍ଡରେ ବନ୍ଧୁକ ଓ ଖଣ୍ଡା ଲଗାଇ ୨ ଲକ୍ଷ ୧୦ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇ ନେଇଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ପାଣି ଟାଙ୍କି ରୋଡରେ ଥିବା ଏକ ଦୋକାନରୁ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିର ଡ୍ରାଇଭର ବିରହ ବସନ୍ତ ଶତପଥୀ ଏକ ଟାଟା ଏସି ଗାଡି ଯୋଗେ ଲୁହା ପାଇପ ଧରି ଜୟନ୍ତୀପୁର ଯାଇ ଥିଲେ। ରାତିରେ ଘଟକେଶ୍ବର ରାସ୍ତାରେ ବ୍ରହ୍ମପୁର ଫେରୁଥିବା ବେଳେ ରାସ୍ତାରେ ଜଣେ ମହିଳା ଗାଡ଼ି ଅଟକାଇ ଥିଲେ। ଡ୍ରାଇଭର ଗାଡି ଅଟକାଇବା ପରେ ଛପି ରହିଥିବା ୬ ମୁଖା ପିନ୍ଧା ଯୁବକ ସେଠାରେ ପହଞ୍ଚି ବିରହ ବସନ୍ତଙ୍କ ମୁଣ୍ଡରେ ବନ୍ଧୁକ ସହ ଖଣ୍ଡା ଲଗାଇ ୨ ଲକ୍ଷ ୧୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଛଡାଇ ନେଇ ଚାଲି ଯାଇଥିଲେ। ଘଟଣା ନେଇ ବିରହ ବସନ୍ତ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ବୁଧବାର ଅଭିଯୋଗକାରୀ ବିରହ ବସନ୍ତକୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଗୋଳନ୍ଥରା ଥାନା ଇଲାକାରେ ନୂଆ ରୂପରେ ମହିଳା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ଘଟଣା ପୁଲିସର ମୁଣ୍ଡ ବ୍ୟଥା ର କାରଣ ସାଜିଥିବା ଦେଖିବାକୁ ମିଳିଛି।
Comments are closed.