ଆସ ବୁଲିଯିବା : ପୁରାଣ ପ୍ରସିଦ୍ଧ ତ୍ରୀକୁଟ ଧାମ
କଳାପଥର : କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବୈଦ୍ୟେଶ୍ୱର ଗ୍ରାମର ମହାନଦୀକୂଳରେ ଓ ଗର୍ଭରେ ଅବସ୍ଥିତ ଏହି ମନ୍ଦିର ତ୍ରୟ। ନୈସର୍ଗକ ସୁଷମା ରାଜି ପରିବେଷ୍ଠିତ ତ୍ରୀକୁଟ ଧାମ ଅତ୍ୟନ୍ତ ମନରୋମ ଶୋଭା ସମ୍ଭାରରେ ବିମଣ୍ଡିତ ବୈଦ୍ୟେଶ୍ୱର ଉପଖଣ୍ଡ ଓ ଏହାର ବର୍ଣ୍ଣାଢ୍ୟ ପରିବେଶ ଜନତା ଜନାର୍ଦ୍ଦନଙ୍କ ମନ ଆକର୍ଷଣ କରେ। ‘‘ରାମନାଥ, ବୈଦ୍ୟନାଥଦେବ, ସିଂହନାଥ ‘ତ୍ରୀକୁଟ’ ନାମେ ଯା ଖ୍ୟାତି ଉତ୍କଳେ ବିଦିତ’’
ତିନିଗୋଟି ପର୍ବତରେ ତିନିଠାକୁର ତିନିଜଣଙ୍କ ଦ୍ୱାରା ସ୍ଥାପିତ ହୋଇ ପୁରାଣ ଯୁଗରୁ ପୂଜାପାଇ ଆସୁଛନ୍ତି। ପ୍ରାନ୍ତୀୟ କବି ଅନଙ୍ଗ ନରେନ୍ଦ୍ର କୁତ ରାମାୟଣର ଅରଣ୍ୟ କାଣ୍ଡରେ ଶ୍ରୀରାମ ଚନ୍ଦ୍ରଙ୍କ ର ତୀର୍ଥ ଭ୍ରମଣ ସମୟରେ ଯଥା କ୍ରମେ ରାମ,ସୀତା ଓ ଲକ୍ଷ୍ମଣଙ୍କ ଦ୍ୱାରା ଶ୍ରୀରାମନାଥ, ବୈଦ୍ୟନାଥ ଓ ସିଂହନାଥ ଶଙ୍କର ସ୍ଥାପନ କରିବା କଥା ବର୍ଣ୍ଣନା ହୋଇଛି ।
ବାଙ୍କୀ ଗଡରେ ଡାହାଳିଆ ରାଜାଙ୍କର କୀର୍ତ୍ତି। ଏଠାରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅଶ୍ୱତଥାମା ତପସ୍ୟା କjରି ସିଦ୍ଧି ଲାଭ କରିଥିବାର ପ୍ରବାଦ ଅଛି । ବନବାସ ସମୟରେ ରଘୁବଂଶ ଭୁଷଣ ଶ୍ରୀ ରାମଚନ୍ଦ୍ର ତାଙ୍କର ପ୍ରିୟତମ ଆତ୍ମା ସ୍ୱରୂପ ଭୂତନାଥ ଶଙ୍କରଙ୍କୁ ସ୍ଥାପନ କରିଥିଲେ। ତେଣୁ ନାମ ହେଲା ରାମନାଥ । ପୁନଶ୍ଚ ପଣ୍ଡିତମାନେ ‘ରାମନାଥ’ ନାମରେ ତିନିପ୍ରକାର ଅର୍ଥଗତ ତାତ୍ପର୍ଯ୍ୟ ବୁଝାଇଲେ। ଦ୍ୱନ୍ଦ ସମାସରେ ନାମକରଣ କଲେ। ଜନ ଶ୍ରୁତିରୁ ଜଣାପଡେ ଏହି ମହିମା ମଣ୍ଡିତ ମହାଦେବଙ୍କ ପୀଠରେ ଅନେକ ଭକ୍ତ ଗୁହାରିଆ ପଡି ଅପ୍ରାପ୍ତ ବସ୍ତୁକୁ ପ୍ରାପ୍ତ ହୋଇଛନ୍ତି ଓ ଅସାଧ୍ୟ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଶାର୍ଦ୍ଧୁଳ ପର୍ବତ ଉପରେ ବିରାଜିତ ରାମନାଥଙ୍କର ଦକ୍ଷିଣ ପାଶ୍ୱର୍ର ପାଦଦେଶରେ ଦୁର୍ଗତିନାସିନି ମା’ ଦୁର୍ଗାଦେବୀଙ୍କର ମନ୍ଦିର ଅନତୀ ଦୂରରେ ଲୋଭୀ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ।
ପ୍ରଭୁଙ୍କର ଦକ୍ଷିଣ ଦ୍ୱାର ପାଦଦେଶର ଦକ୍ଷିଣ ପାର୍ଶ୍ୱରେ ପ୍ରସିଦ୍ଧ ସନ୍ଥ କଇଁଫୁଲିଆ ବାବଙ୍କର ପ୍ରତୀମୂର୍ତ୍ତି ଅବସ୍ଥିତ। ପବିତ୍ର କାର୍ତ୍ତୀକ ମାସ ରାସ ପୂର୍ଣ୍ଣିମା ଦିନ ଶ୍ରୀ ଶ୍ରୀ ରାମନାଥଙ୍କ ପୀଠରେ ବିରାଟ ଯାତ୍ରା ଅନୁଷ୍ଠିତ ହୁଏ । ଆଖାପାଖ ଅଞ୍ଚଳ ତଥା ବହୁ ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ନିଜନିଜର ଶିଶୁପୁତ୍ର ଓ କନ୍ୟାଙ୍କର ମୁଣ୍ଡଲଣ୍ଡା କରି ଚୁଟି ପକାଇଥା’ନ୍ତି। ହାତିଆ ପାହାଡର ଉତ୍ତର ପାର୍ଶ୍ବରେ ବୈଦୈହୀ ବୈଦ୍ୟନାଥଙ୍କୁ ସ୍ଥାପନ କଲେ। ପଥ ବାଧା ଦୂରକରିବା ପାଇଁ ବା ଶରୀର ପୀଡା ପ୍ରଶମନ ନିମିତ୍ତ ମହାରାଣୀ ଜାନକୀ ଜଳାଭିଷେକ କରିଥିଲେ। ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ମହାଦେବଙ୍କ ଲିଙ୍ଗରେ ଜଳାଭିଷେକ ବା କ୍ଷୀରାଭିଷେକ କଲେ ଲୋକ ରୋଗରୁ ଆରୋଗ୍ୟ ଲାଭ କରନ୍ତି । ଏହି ପୀଠରେ ରୁଦ୍ରାଭିଷେକ କରି ଅନେକ ରୋଗୀ ସୁସ୍ଥ ହେବା କଥା ସମ୍ମୁଖରେ ବର୍ଣ୍ଣନା କରିଛନ୍ତି। ବୈଦ୍ୟନାଥ ମନ୍ଦିର (ବାଙ୍କୀ) ଡାହାଳିଆ ରାଜାଙ୍କର କୀର୍ତ୍ତି ବୋଲି କିମ୍ବଦନ୍ତୀ ଅଛି। ମନ୍ଦିର ବେଢାଠାରୁ ୧୦୦ ମିଟର ଉଚ୍ଚତା ଦୂରରେ ଚକାପଥର ସ୍ଥଳୀରେ ଆହ୍ନିକ ଚାଷୀଙ୍କର ଆଶ୍ରମ ଥିଲା ବୋଲି ସୁନାମ ଧନ୍ୟ ପୂଜକ ପ୍ରହଲ୍ଲାଦ ରଣା ( ବୈଦ୍ୟେଶ୍ୱର ) କହିଛନ୍ତି। ମଧୁମାସ (ଚୈତ୍ର ) କୃଷ୍ଣପକ୍ଷ ତ୍ରୟୋଦଶି ତୀଥି ସୌରି ବାସରେ ଶତ ଭିକ୍ଷା ନକ୍ଷେତ୍ର ଯୋଗରେ ଏଠାରେ ବାରୁଣି ସ୍ନାନ ପଡେ। ବହୁତ ଲୋକ ମହାନଦୀରେ ବାରୁଣୀ ସ୍ନାନ ପୂର୍ବକ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅସ୍ତି ବିସର୍ଜନ ଓ ପିଣ୍ଡଦାନ କରିଥା’ନ୍ତି।
ମହାନଦୀ ଗର୍ଭରେ ସିଂହ ସଦୃଶ ଦଣ୍ଡାୟମାନ ହୋଇଥିବା ପାହାଡର ପଶ୍ଚିମ ପାଦଦେଶରେ ସୁମିତ୍ରା ନନ୍ଦନ ସୌମିତ୍ରୀ ସିଂହନାଥ ମହାଦେବଙ୍କୁ ସ୍ଥାପନ କରିଥିଲେ। ସିଂହ ଯେପରି ସଞ୍ଜମ ତଥା ବୈରାଗ୍ୟ ସ୍ୱରୂପ ଲକ୍ଷ୍ମଣ ସେପରି ପ୍ରଚଣ୍ଡ ବୈରାଗ୍ୟର ଅବତାର ପ୍ରତୀକ। ଶିବ ମଧ୍ୟ ଅନାସକ୍ତ, ଅକାମ ମନ ଓ ବୈରାଗ୍ୟର କାରଣ। ମନ୍ଦିରର କାରୁ କାର୍ଯ୍ୟ ଅତ୍ୟନ୍ତ ଚିତାକର୍ଷକ ଓ ମନରୋମ। ମନ୍ଦିର ବେଢାର ଚତୁର୍ପାଶ୍ୱରେ ଅଷ୍ଟଶମ୍ଭୁ ଅବସ୍ଥିତ। ଉତ୍ତର ପାଶ୍ୱର୍ରେ ସୀତା କୁଣ୍ଡ ଅଛି। ଫୁଲ ପକାଇ ହୁଳହୁଳି ଦେଲେ କୁଣ୍ଡରୁ ଜଳ ନିର୍ଗତ ହୁଏ । ବଙ୍ଗ ନବାବଙ୍କ ସେନାପତି କଳାପାହାଡ ସିଂହନାଥ ମନ୍ଦିର ଧଂଶ କରିବା ଯୋଜନା ବିଫଳ ହେଲା। ଠାକୁରଙ୍କ ପ୍ରକୋପରୁ ପଥର ମଧ୍ୟରେ ମହାମହା ସର୍ପମାନଙ୍କର ଲହଲହ ଜିହ୍ୱାକୁ ଦେଖି ଯବନ ସେନାପତି ଭିତ୍ତିତ୍ରସ୍ତ ହେଲେ। ଶ୍ରୀ ଶ୍ରୀ ସିଂହନାଥ ଦେବଙ୍କୁ ଦୂରରୁ ପ୍ରଣାମକରି ବାଙ୍କୀପଟେ ଫେରିଯିବାର ଜନ ଶ୍ରୁତିରୁ ଜଣାପଡେ। ବଡମ୍ବା ଗଡର ରାଜା ମାଧବ ରାଉତଙ୍କ ସମୟରୁ ମକର ମେଳା ଆରମ୍ଭ ହୋଇଥିଲା। ନବେ ଦଶକରୁ ‘‘ ସିଂହନାଥ ଉନ୍ନୟନ ପରିଷଦ’’ ଆନୁକୁଲ୍ୟରେ ତିନିଦିନ ବ୍ୟାପି ପବିତ୍ର ମାଘମାଷରେ ମକର ତିଥିରେ ଏହି ମେଳା ଅନୁଷ୍ଠିତ ହେଉଅଛି।
ଏଭଳି ଯେଉଁ ପରମ ପାବନ ପୀଠ ବୈଦ୍ୟେଶ୍ୱର ଗ୍ରାମରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅବସ୍ଥିତ ଯାହାକି ସରକାରଙ୍କର ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପ୍ରାପ୍ତ ହୋଇଛି। ଏବଂ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ମଧ୍ୟ ଏଠାକୁ ଆସନ୍ତି। ଅନେକ ଭକ୍ତ ଦୁଃଖ, ସୁଖ ଓ ରୋଗ ରିହିତ ହୋଇଥା’ନ୍ତି। ତାହା ଅବହେଳିତ ଅବସ୍ଥାରେ ପଡି ରହିଥିବାରୁ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ପୀଠର ସୁରକ୍ଷା ନିମିତ୍ତ ସରକାର ବିହିତ ବ୍ୟବସ୍ଥା କଲେ ସରକାର ତଥା ସମାଜର ଅନେକ ଅନେକ କଲ୍ୟାଣ ସାଧନ ହୋଇପାରନ୍ତା ବୋଲି ତ୍ରୀକୁଟ ଧାମର ଇଶ୍ୱଙ୍କ ଉପରେ ଅଖଣ୍ଡ ବିଶ୍ୱାସର ବାରିଧାରା ବର୍ଷଣ କରୁଛନ୍ତି।
ରିପୋର୍ଟ – ମାନସ ରଂଜନ ସାହୁ
Comments are closed.