ଭୋକର ଭୂଗୋଳରେ ବିକାଶର ଚିତ୍ରକଳ୍ପ
‘ଭୋକର ଭୂଗୋଳ’ ଭାବେ ଦିନେ ଜନସାଧାରଣରେ ଓ ସରକାରରେ ଭ୍ରୂକୁଞ୍ଚିତ ଭାବ ଓ ଖେଦ ସୃଷ୍ଟି କରିଥିବା ଆଜିର ‘କଳାହାଣ୍ଡି’ ଆଉ ସେ ଦୟନୀୟ ଅବସ୍ଥାରେ ନାହିଁ, ଅବଶ୍ୟ ଆହୁରି ବହୁତ କିଛି କରିବାକୁ ବାକି ରହିଛି। ସେ ଦିନର ଏ ଅବହେଳିତ ଅନ୍ଧାର ମୁଲକକୁ ଯିବା ପୁଣି ସେଠି କିଛି ବିକାଶର ବିହନ ବୁଣିବା ବଡ଼ ଦୁଷ୍କର ବ୍ୟାପାର ଥିଲା। ଉପକୂଳ ଅଞ୍ଚଳର ଲୋକଙ୍କୁ କଳାହାଣ୍ଡି ଆଦି ଅଞ୍ଚଳକୁ ବଦଳି ଏକ ଦୁର୍ଯୋଗ ଓ ଦଣ୍ଡ ଭାବେ ବିବେଚିତ ହେଉଥିଲା। ଏ ଭାବ, ଅବସ୍ଥା ପଚାଶ ବର୍ଷ ତଳ ପର୍ଯ୍ୟନ୍ତ ବି ଥିଲା; ମାତ୍ର କଳାହାଣ୍ଡି ଗଲେ କିଏ ଆଜି ସେ କଥାରେ ବିଶ୍ବାସ କରିବ! ଏ ମୁଲକରେ ବିକାଶର ଭାଗୀରଥି ବୁହାଇଥିବା, ଏଠି ନିରାଶାରେ ଆଶା ଭରି ଦେଇଥିବା, ସୁନେଲି ସ୍ବପ୍ନର ପ୍ରେରଣା ଭରି ଦେଇଥିବା ବହୁ ବ୍ୟକ୍ତି ଓ ବ୍ୟକ୍ତିତ୍ବଙ୍କ ପାଖେ ଏ ମୁଲକ କେବଳ ନୁହେଁ, ଏ ରାଜ୍ୟ ବି କୃତଜ୍ଞ। ମହାଭାରତ ଯୁଦ୍ଧରେ ବିଜୟର ଶ୍ରେୟ ତ ଅନେକଙ୍କର, ମାତ୍ର ଏଥିରେ ନିର୍ଦିଷ୍ଟ ଦାବି କରି ଯେତେବେଳେ ବାକ୍ ବିତଣ୍ଡା ହେଲା ଓ ସ୍ବୟଂ କୃଷ୍ଣଙ୍କୁ ଏହାର ସମାଧାନ ଦାୟିତ୍ବ ପଡ଼ିଲା, ସେ ଅନନ୍ୟୋପାୟ ହୋଇ ପାଣ୍ଡବ ପାଞ୍ଚଭାଇଙ୍କ ସହ ସଭିଙ୍କୁ, ଖୁଣ୍ଟ ଉପରେ ଥୁଆ କଟାମୁଣ୍ଡର ବେଲାଳସେନଙ୍କ ପାଖୁ ନେଇଗଲେ। ପଚାରିଲେ ଏ ଯୁଦ୍ଧରେ ସବୁଠୁ ବେଶୀ କାହାର ଅବଦାନ ଏମାନଙ୍କ ଭିତରେ ଅଛି? ସେ ଆଖି ତରାଟି ସଭିଙ୍କୁ ନିରେଖି ଚାହିଁ କହିଲା, ‘‘କାଇଁ ମ ତମ ହାତର ଏ ଚକ୍ରଟା ତ ଏ ପଟରୁ ସେ ପଟକୁ ବୁଲି ମୁଣ୍ଡମାନ କାଟୁଥାଏ।’’ ସଭିଏଁ ତଟସ୍ଥ। ସେମିତି ଏ ମୁଲକର ବହୁ ବ୍ୟକ୍ତି ଓ ନେତାଙ୍କ ଅବଦାନକୁ ଅସ୍ବୀକାର କରି ନ ହେଲେ ବି, ସୁଦର୍ଶନ ଚକ୍ର ପରି, ଆଜି ବି ଅସ୍ବୀକୃତ ରହିଯାଇଥିବା ଜଣଙ୍କ କଥା ମନକୁ ଆସେ। ନଜିର ପ୍ରତିଷ୍ଠା କରିଥିବା ଦୀର୍ଘ ୨୦ବର୍ଷର ନବୀନଙ୍କ ଶାସନର ଏବେ ସଫଳତା ଓ ସ୍ବପ୍ନର ମୌସୁମୀ ବୁହାଉଥିବା ଭି.କେ. ପାଣ୍ଡିଆନ୍ଙ୍କ ଏ ପ୍ରତିଭାର ପରିଚୟ ତାଙ୍କ କଳାହାଣ୍ଡି ସେବାରୁ ମିଳେ। ସେଠି ସେତେବେଳେ ସେ ଉପଜିଲାପାଳ ଥିଲେ।
ଯିଏ ସର୍ବାଧିକ ଲୋକପ୍ରିୟ ଜନନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ତଥା ‘୫-ଟି’ ସଚିବ ଏବଂ ବର୍ତ୍ତମାନର ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଅଛନ୍ତି। ଓଡ଼ିଶା ରୂପାନ୍ତରଣ ଧାରାର ସଫଳ ବିନ୍ଧାଣି ଶ୍ରୀ ପାଣ୍ଡିଆନ ସାରା ଓଡ଼ିଶାର ସର୍ବାଧିକ ଅଞ୍ଚଳ ବୁଲିଥିବା, ୩୦ ଜିଲାର ୩୧୪ ବ୍ଲକ୍କୁ ଦେଖିବାରେ ସେ ସମ୍ଭବତଃ ରାଜ୍ୟର ଏକମାତ୍ର ପ୍ରଶାସନିକ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଲେଫ୍ଟନାଣ୍ଟ ଭାବରେ ଶାସନିକ ସଂସ୍କାର ଓ ରାଜ୍ୟର ରୂପାନ୍ତରଣର ପ୍ରମୁଖ ସେନାପତି। ସ୍ବାଧୀନୋତ୍ତର ଓଡ଼ିଶାରେ ଅନେକ ସର୍ବଭାରତୀୟ ସେବାର ଅଧିକାରୀ କାର୍ଯ୍ୟ କରିଛନ୍ତି। ମାତ୍ର ଭି.କେ.ପାଣ୍ଡିଆନ ଜଣେ ଭିନ୍ନ ଧରଣର ପ୍ରଶାସକ ଭାବରେ ସେ ତାଙ୍କର ପରିଚୟ ସୃଷ୍ଟି କରିଛନ୍ତି। ଧର୍ମଗଡ଼ର ଉପଜିଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ଯେଉଁମାନେ ତାଙ୍କୁ ଅତି ନିକଟରୁ ଦେଖିଛନ୍ତି, ସେମାନେ ସମସ୍ତେ ପାଣ୍ଡିଆନଙ୍କ ଦକ୍ଷତା ସମ୍ପର୍କରେ ଜାଣିଛନ୍ତି । ସରକାରୀ କାର୍ଯ୍ୟରେ ସ୍ବଚ୍ଛତା, ସମୟାନୁବର୍ତ୍ତିତା ଓ ପ୍ରଶାସନକୁ ଲୋକାଭିମୁଖୀ କରିବାରେ ତାଙ୍କର ଅନନ୍ୟ ଭୂମିକା ଏବେ ବି ଅବିସ୍ମରଣୀୟ । ସେ ସମୟରେ କଳାହାଣ୍ଡିର ପରିଚୟ ଥିଲା ‘ଭୋକର ଭୂଗୋଳ’। ଏବେ ସେଠି ଦୃଶ୍ୟମାନ ହୁଏ ବିକାଶର ଚିତ୍ରକଳ୍ପ। ଧର୍ମଗଡ଼ ଉପଖଣ୍ଡର ୫୦.୩୩% କୃଷି ଶ୍ରମିକ, ୨୯.୬୩% କୃଷକଙ୍କ କୃଷି ଉତ୍ପାଦର ହିତାଧିକାରୀ ପାଲଟିଥିଲେ ମୁଷ୍ଟିମେୟ ମିଲର । ତତ୍କାଳୀନ ସମୟରେ କଳାହାଣ୍ଡି ଜିଲାରୁ ଉତ୍ପାଦିତ ପ୍ରାୟ ବାର୍ଷିକ ୫.୫ ଲକ୍ଷ ଟନ୍ ଧାନର ସିଂହଭାଗ ଧର୍ମଗଡ଼ ଜିଲାରୁ ଉତ୍ପାଦିତ ହେଉଥିଲେ ହେଁ ଏହାର ଲାଭରୁ ଚାଷୀମାନେ ବଞ୍ଚିତ ହେଉଥିଲେ। ପରିପୂର୍ଣ୍ଣ ଧର୍ମଗଡ଼ ଉପଖଣ୍ଡର କୋକସରା, କଲମପୁର, ଜୁନାଗଡ଼, ଜୟପାଟଣା, ଗୋଲାମୁଣ୍ଡା ଓ ଧର୍ମଗଡ଼ ବ୍ଲକ୍ରେ ସାକ୍ଷରତା ହାର ଥିଲା ମାତ୍ର ୪୬.୨% ଓ ମୋଟ ଲୋକସଂଖ୍ୟା ମଧ୍ୟରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଜନସଂଖ୍ୟା ଥିଲା ଯଥାକ୍ରମେ ୨୮% ଓ ୧୭%। ଏହାର ଫାଇଦା ଉଠାଉଥିଲେ ଧୂର୍ତ୍ତ ଚାଉଳ କଳ ମାଲିକ। ବର୍ତ୍ତମାନ ପରି ସେତେବେଳେ ସ୍ୱଚ୍ଛ ଧାନ କ୍ରୟ ବ୍ୟବସ୍ଥା ନ ଥିଲା। କିଣା ଧାନର ଏକ ଦଶମାଂଶ ଟିକସ ଦାଖଲ କରି ଅବଶିଷ୍ଟ ଅର୍ଥ ଚଳୁ କରି ଦେଉଥିଲେ। ଏ ସମ୍ପର୍କରେ ଚାଷୀ ଅଜ୍ଞ ଥିଲେ ଓ ସରକାରଙ୍କ ନିକଟରେ ଏ ସୂଚନା ପହଞ୍ଚିପାରୁ ନ ଥିଲା। ମହାବାତ୍ୟା ପର ବିପର୍ଯ୍ୟସ୍ତ ଓଡ଼ିଶାର ଆର୍ଥିକ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା ସମୟରେ ମିଲରମାନେ ଚାଷୀଙ୍କ ରକ୍ତ ଶୋଷି ଚାଲିଥିଲେ ଓ ରାଜକୋଷକୁ ମଧ୍ୟ ଲୁଟ୍ କରୁଥିଲେ। ଧର୍ମଗଡ଼ରେ ଯୋଗଦେବା ପରେ ଏ ସବୁକୁ ଦୂର କରିବାରେ ସଫଳ ହୋଇଥିଲେ। ଜୟପାଟଣା ଓ ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଜରିଆରେ ଧାନ ମଣ୍ଡି ଓ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରି ସେ ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ। ପ୍ରଥମଥର ପାଇଁ ମିଲରମାନଙ୍କୁ ଧାନସଂଗ୍ରହ ପାଇଁ ବଡ଼ବଡ଼ ଗାଁ ଓ ପଞ୍ଚାୟତ ସହ ସଂଯୋଗ କରାଯାଇଥିଲା। ମିଲରମାନେ ଗାଁରୁ ସିଧାସଳଖ ଧାନ ସଂଗ୍ରହ କରିଥିଲେ। ଯେଉଁ ମିଲରମାନେ ଧାର୍ଯ୍ୟ ଲକ୍ଷ୍ୟ ପୂରଣରେ ସଫଳ ହେଉଥିଲେ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଥିଲାବେଳେ ଠକୁଥିବା ଲୋକଙ୍କୁ ଦଣ୍ଡିତ କରାଯାଇଥିଲା। ନିୟନ୍ତ୍ରିତ ବଜାର କମିଟି ଓ କୃଷିବିଭାଗର ମିଳିତ ସହଯୋଗରେ ଶ୍ରୀ ପାଣ୍ଡିଆନ ପ୍ରତି ମଣ୍ଡି ଓ ସାପ୍ତାହିକ ହାଟରେ ସ୍ଥାପନ କରିଥିଲେ ‘‘ଏଗ୍ରୋକ୍ଲିନିକ’’। ଯେଉଁଠି ଚାଷୀଙ୍କୁ ମାଗଣା ପରାମର୍ଶ ଦିଆଯିବା ସହ ରୋଗପୋକ ସମସ୍ୟାଠୁ ଆରମ୍ଭ କରି ଚାଷ ସଂକ୍ରାନ୍ତ ପରାମର୍ଶ ମିଳୁଥିଲା। ଫଳରେ ଚାଷୀଙ୍କୁ କୃଷି କାର୍ଯ୍ୟାଳୟ ବା ବ୍ଲକକୁ ଦୌଡ଼ିବାକୁ ପଡ଼ୁ ନ ଥିଲା। ପ୍ରତି ପଞ୍ଚାୟତର ମୁଖ୍ୟ ଗାଁମାନଙ୍କରେ ସିମେଣ୍ଟ ଚଟାଣ ନିର୍ମାଣ କରାଯାଇ ଧାନ ଅମଳ ଓ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରାଯାଇଥିଲା। ଚାଷୀଙ୍କୁ ଆଧୁନିକ ଚାଷ ପଦ୍ଧତି, ରୋଗପୋକ ନିୟନ୍ତ୍ରଣ ଆଦି ସମ୍ପର୍କରେ ଅବଗତ କରିବାକୁ ନିଜସ୍ବ ସମ୍ପାଦନାରେ ପ୍ରକାଶ କରିଥିଲେ ’ସବୁଜ ଇନ୍ଦ୍ରାବତୀ’ ପତ୍ରିକା। ଧାନ ଓ କୃଷିଜାତ ସାମଗ୍ରୀ ସଂଗ୍ରହ କରି ନିୟନ୍ତ୍ରିତ ବଜାର କମିଟିକୁ ଟିକସ ପ୍ରଦାନ କରୁ ନ ଥିବା ବ୍ୟବସାୟୀଙ୍କ ବିରୋଧରେ ସେ କଠୋର ମନୋଭାବ ଗ୍ରହଣ କରିଥିଲେ। ତାଙ୍କ ଉଦ୍ୟମରେ ଗୋଟିଏ ଦିନରେ ଆରଏମସିକୁ ୭୦ ଲକ୍ଷ ଟଙ୍କା ଟିକସ ଆସିବା ଏକ ସର୍ବକାଳୀନ ନଥିପତ୍ର ହୋଇ ରହିଛି। ଯଦିଓ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ‘୫-ଟି’ ଉପକ୍ରମକୁ ରାଜ୍ୟ ପ୍ରଶାସନରେ ଅନ୍ତର୍ଭୁକ୍ତ କରାଯାଇଥିଲା, ତା’ ‘ମୋ ସରକାର’ ରୂପ ପରିଗ୍ରହ କରିଥିଲା; ମାତ୍ର ୨୧ ବର୍ଷ ତଳେ ଏହା ଧର୍ମଗଡ଼ରୁ ଆରମ୍ଭ ହୋଇଥିଲା। ଧାନ କିଣାରେ ସ୍ୱଚ୍ଛତା ଓ ଜ୍ଞାନକୌଶଳ ଉପଯୋଗ, ଗୋଷ୍ଠୀଗତ କାର୍ଯ୍ୟ ସହ ଚାଷୀଙ୍କୁ ଧାର୍ଯ୍ୟ ଅବଧିରେ ଧାନର ମୂଲ୍ୟ ପ୍ରଦାନ ପାଇଁ ଶ୍ରୀ ପାଣ୍ଡିଆନ ନେଇଥିଲେ ପଦକ୍ଷେପ । ମିଲରମାନଙ୍କ ବିରୋଧରେ ନିଆଯାଇଥିଲା ‘ଶୂନ୍ୟ ସହନଶୀଳ’ ପଦକ୍ଷେପ।
ତତ୍କାଳୀନ ସମୟରେ ଧର୍ମଗଡ଼ ଉପଖଣ୍ଡରେ ରକ୍ତଶିକୁଳି ରୋଗୀଙ୍କ ସଂଖ୍ୟା ଥିଲା ଢ଼େର। ଜରୁରୀ ସମୟରେ ରୋଗୀଙ୍କୁ ରକ୍ତ ନ ମିଳିବାରୁ ଅନେକ ମୃତ୍ୟୁମୁଖରେ ପଡ଼ୁଥିଲେ ଯାହା ତାଙ୍କୁ ବିଚଳିତ କରିଥିଲା। ଧର୍ମଗଡ଼ରେ ଏକ ରକ୍ତଭଣ୍ଡାର ସ୍ଥାପନ ପାଇଁ ସେ ଉଦ୍ୟମ ଆରମ୍ଭ କଲେ ମଧ୍ୟ ବହୁ ଅର୍ଥର ଆବଶ୍ୟକତା ରହିଥିଲା। ଚାଷୀଙ୍କଠାରୁ ଧାନ ସଂଗ୍ରହ କରୁଥିବା ମିଲରମାନେ ସେମାନଙ୍କର ପୂର୍ବ ତ୍ରୁଟିର ସଂଶୋଧନ କରି ରାଜକୋଷକୁ ବକେୟା ଟିକସ ଦେବା ସହ ରକ୍ତଭଣ୍ଡାର ପାଇଁ ବସ୍ତା ପିଛା ୧ ଟଙ୍କା ଲେଖାଏଁ ସହଯୋଗ ରାଶି ଦେବାକୁ ପ୍ରସ୍ତାବ ଦେଲେ। ରେଡ଼କ୍ରସ ସଂସ୍ଥା ଓ ସରକାରଙ୍କ ବିନା ଆର୍ଥିକ ସହାୟତାରେ ୨୪ ଦିନ ମଧ୍ୟରେ ୨୨ ଲକ୍ଷ ଟଙ୍କା ସଂଗ୍ରହ ହୋଇପାରିଲା। ଏହି ଅର୍ଥେର ଧର୍ମଗଡ଼ ରକ୍ତଭଣ୍ଡାର ନିର୍ମାଣ ଆରମ୍ଭ ହେଲା। ଠିକାଦାର ନିଯୁକ୍ତ କରା ନ ଯାଇ ରେଡ଼କ୍ରସ କର୍ମୀ ହୃଷିକେଶ ମିଶ୍ରଙ୍କ ତତ୍ତ୍ବାବଧାନରେ ରକ୍ତଭଣ୍ଡାର ନିର୍ମାଣ କାର୍ଯ୍ୟ ଚାଲିଲା। ୨୦୦୪ ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। ସେହି ସମୟରେ ଜୁନାଗଡ଼ ଏନଏସିରେ କେହି ନିର୍ବାଚିତ ଅଧ୍ୟକ୍ଷ ନ ଥିଲେ। ତେଣୁ ଉପଜିଲାପାଳ ଭାବରେ ଏହାର ପରିଚାଳନା ଦାୟିତ୍ବ ଶ୍ରୀ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ ଥିଲା। ଏହି ସମମୟରେ ସହରର ଉଠାଦୋକାନୀଙ୍କ ସମସ୍ୟା, ସଡ଼କର ପ୍ରଶସ୍ତୀକରଣ, ବସ୍ଷ୍ଟାଣ୍ଡର ଉନ୍ନତିକରଣ ଆଦି ଅନେକ କାର୍ଯ୍ୟକରି ସେ ପ୍ରଶଂସା ଅର୍ଜନ କରିଥିଲା। ଜୁନାଗଡ଼ ସହରରେ ଶିଶୁ ଉଦ୍ୟାନ ଓ ଲଙ୍କେଶ୍ବରୀ ମନ୍ଦିର ସମ୍ମୁଖରେ ପ୍ରମୋଦ ଉଦ୍ୟାନ, ଯୁବକମାନଙ୍କ ବ୍ୟାୟାମ ପାଇଁ ଜିମ୍ ନିର୍ମାଣ କରାଯାଇଥିଲା। ଶ୍ରୀ ପାଣ୍ଡିଆନ୍ ଉପଜିଲାପାଳ ଥିବାବେଳେ ସାଧାରଣ ଲୋକଙ୍କ ସହ ଆଲୋଚନା କରି ବିଭିନ୍ନ ମାମଲାର ଆପୋଷ ସମାଧାନ କରିବାରେ ସଫଳ ହୋଇଥିଲେ। ତାଙ୍କ ପ୍ରତି ଲୋକଙ୍କର ଆସ୍ଥା ଏତେ ପରିମାଣରେ ବଢ଼ି ଯାଇଥିଲା ଯେ, ସେ ଯାହା କହୁଥିଲେ ଲୋକମାନେ ତାହାକୁ ଆଦର ଓ ସମ୍ମାନର ସହ ନିଃସଙ୍କୋଚରେ ଗ୍ରହଣ କରୁଥିଲେ। ରାସ୍ତାରେ କେହି ଜଣେ ଛାଡ଼ି ଯାଇଥିବା ନବଜାତ ଶିଶୁକନ୍ୟାକୁ ସେ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଥିଲେ ଓ ଯଶୋଦା ଅନାଥାଶ୍ରମର ତତ୍କାଳୀନ ତତ୍ତ୍ବାବଧାରକ ଶ୍ୟାମ ଜାଲଙ୍କୁ ତା’ର ଲାଳନପୋଷଣ ପାଇଁ ଦାୟିତ୍ବ ଅର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ‘ଯଶୋଦା ଅନାଥାଶ୍ରମ’ର ଅନ୍ତେବାସୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବହୁ ସହାୟତା ପ୍ରଦାନ କରିଥିଲେ।
କଳାହାଣ୍ଡି ଉତ୍ସବ ‘ଘୁମୁରା’କୁ ଧର୍ମଗଡ଼ରେ କରାଯିବାର ଶ୍ରେୟ ଶ୍ରୀ ପାଣ୍ଡିଆନଙ୍କୁ ଯାଇଥାଏ। ୨୦୦୩ ମସିହାରେ ତାଙ୍କ ଉଦ୍ୟମ ଯୋଗୁଁ ଏକ ସମୟରେ ଜିଲା ଉତ୍ସବ ଭବାନୀପାଟଣା ଓ ଧର୍ମଗଡ଼ରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର କଳାହାଣ୍ଡି ଏକମାତ୍ର ଜିଲା ଯେଉଁଠି ଜିଲାସ୍ତରୀୟ ସାଂସ୍କୃତିକ ଉତ୍ସବ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଏକା ସଙ୍ଗରେ ଦୁଇଟି ସ୍ଥାନରେ ଅନୁଷ୍ଠିତ ହୁଏ। ଧର୍ମଗଡ଼ରୁ ହିଁ ଶ୍ରୀ ପାଣ୍ଡିଆନ ଆରମ୍ଭ କରିଥିଲେ‘୫-ଟି’ ମନ୍ତ୍ରର ସଫଳ ଉପଯୋଗ। ଏହିଠାରେ ୫-ଟିକୁ ପରୀକ୍ଷାମୂଳକ ଭାବରେ ପ୍ରୟୋଗ କରାଯାଇଥିଲା ଓ ସଫଳତା ମଧ୍ୟ ମିଳିଥିଲା। ଧର୍ମଗଡ଼ ପରେ ରାଉରକେଲାରେ ଏଡ଼ିଏମ, ମୟୂରଭଞ୍ଜ ଓ ଗଞ୍ଜାମର ଜିଲାପାଳ ଭାବରେ ତାଙ୍କର ଜନହିତକର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେଉଁଥିପାଇଁ ତାଙ୍କୁ ଜାତୀୟସ୍ତରରେ ମଧ୍ୟ ପୁରସ୍କୃତ କରାଯାଇଥିଲା। ସମ୍ପ୍ରତି ‘୫-ଟି’ ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବରେ ସେ ତାଙ୍କର ଅଭିଜ୍ଞତା ଓ ଅନୁଭବକୁ ପୂର୍ଣ୍ଣ ଉପଯୋଗ କରି ଓଡ଼ିଶାର ରୂପାନ୍ତରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଆଶାଭରସାର ପାତ୍ର ହୋଇଛନ୍ତି।
ହୃଷିକେଶ ମିଶ୍ର
ଧର୍ମଗଡ଼, କଳାହାଣ୍ଡି ଦୂରଭାଷ:୯୪୩୭୦୭୦୫୦୧
Comments are closed.