ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଶିକ୍ଷା ପାଇଁ ଟାବଲେଟ ବଣ୍ଟନ

ଆଠଗଡ : ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କରେ ଶିକ୍ଷାଦାନକୁ ସହଜ କରିବା ପାଇଁ ଟାବଲେଟ ବଣ୍ଟନ କରାଯାଇଥିଲା । ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନଗରପାଳ ସସ୍ମିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷାଦାନ ସହିତ କୋମଳମତି ଛାତ୍ରଛାତ୍ରୀ କିପରି ସୁନାଗରିକ ହେବେ ସେଥିପାଇଁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମ ଠାରୁ ୩ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମନ୍ତେ ଏଫଏଲଏନ ଅର୍ଥାତ୍‌‌ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏହି ଟାବଲେଟ ବଣ୍ଟନ କରାଯାଉଥିବା ବିଇଓ ଶ୍ରୀମତୀ ସାମଲ ସୂଚନା ଦେଇଥିଲେ। କମ୍ପ୍ୟୁଟର ଭଳି ଏହି ଟାବଲେଟ ବ୍ୟବହାର କରି ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ସହଜରେ ମୌଳିକ ସାକ୍ଷରତା ସହିତ ସଂଖ୍ୟାଜ୍ଞାନ ଶିକ୍ଷା ଦେଇପାରିବେ ଏବଂ ସେଥିରେ ସେମାନଙ୍କର ବିବରଣୀ ମଧ୍ୟ ରଖିପାରିବେ ବୋଲି ବିଇଓ ଶ୍ରୀମତୀ ସାମଲ ପ୍ରକାଶ କରିଥିଲେ। ପରିଶେଷରେ ଶିକ୍ଷକ ଶଶଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.