ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ: ଜିଲାପାଳ ବିମଳେନ୍ଦୁ ରାୟ

ସୁବର୍ଣ୍ଣପୁରଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’

ଭୁବନେଶ୍ୱର/ସୁବର୍ଣ୍ଣପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଞ୍ଚଳିକ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ତଥା ଜନ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବାର୍ତ୍ତାଳାପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ଯୋଗଦେଇ କହିଛନ୍ତି, ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ସେ ଆହୁରି କହିଛନ୍ତି, ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ। ଗଠନମୂଳକ ସମାଲୋଚନା ଏବଂ ତୃଣମୂଳସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗରେ ଖବର ପ୍ରସାରଣ ଜରିଆରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଯୁଗରେ ଡିଜିଟାଲ ମିଡିଆ ଓ ସାମାଜିକ ଗଣମାଧ୍ୟମ ଦ୍ରୁତ ଓ ପ୍ରଭାବୀ ସୂଚନା ପ୍ରସାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଜିଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ ଅଞ୍ଜଳିନା ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମକୁ ଏକ ସମ୍ପର୍କର ସେତୁ ଭାବେ ଅଭିହିତ କରିଥିଲେ। ସାଧାରଣ ଜନତା ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ଖବର ପରିବେଷଣ କରିବା ଲାଗି ସେ ଗ୍ରାମୀଣ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ। ସରକାରୀ ଯୋଜନା, ସେଗୁଡ଼ିକର ପ୍ରମୁଖ ବୈଶିଷ୍ଟ୍ୟ, ସଫଳତାର କାହାଣୀ ସମ୍ପର୍କରେ ଅଧିକ ଖବର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଥିଲେ ଯଦ୍ବାରା ହିତାଧିକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାର୍ତ୍ତାଳାପ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପିଆଇବି ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ସେ ସୂଚନା ଦେଇଥିଲେ। ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଭାଗକୁ ପରିଚାଳନା କରିଥିଲେ।

ପିଏମ୍ ଫସଲ ବୀମା ଯୋଜନା ଓ ମିଲେଟ୍ ମିଶନ୍ ଉପରେ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ବିଭୂତି ଭୂଷଣ ମିଶ୍ର, ଜାତୀୟ ଶିକ୍ଷା ନୀତି ଉପରେ ସୁବର୍ଣ୍ଣପୁର ଡିଆଇଇଟି ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ସାହୁ, ମେରୀ ମାଟି ମେରା ଦେଶ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ସୁବର୍ଣ୍ଣପୁର ନେହେରୁ ଯୁବା କେନ୍ଦ୍ର ସଂଗଠନର ଯୁବ ସ୍ବେଚ୍ଛାସେବୀ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲାର ପ୍ରାୟ ଶହେ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ମତ ବିନିମୟ କରିଥିଲେ ।

Comments are closed.