ବାଘ ଆକ୍ରମଣରେ ୫ ଛେଳି ମୃତ ! ଲୋକେ ଆତଙ୍କିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ମୂଷାନାଳ ସେକ୍ସନ ତୁର୍କା ଗାଁରେ ବାଘ ଆକ୍ରମଣରେ ୫ଟି ଛେଳିର ମୃତ୍ୟୁକୁ ନେଇ ଭୟର ବାତାବରଣ ଦେଖାଦେଇଛି। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ତୁର୍କା ଗାଁର ଲୋକେ ଶନିବାର ନିକଟରେ ଥିବା କାସ୍ପାତ୍ରେଇଂ ଜଙ୍ଗଲକୁ ନିଜ ଛେଳି ଚରାଇବାକୁ ଯାଇଥିଲେ। ଘରକୁ ସନ୍ଧ୍ୟାରେ ଛେଳି ଆଣିବା ସମୟରେ ସେଥି ମଧ୍ୟରୁ ୫ଟି ଛେଳି ଘରକୁ ଫେରିନ ଥିଲେ। ଆଜି ସକାଳେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିବା ବେଳେ କୁମୁଟି ମାଝୀଙ୍କ ୧ ଛେଳି, ବୁଟେ ମାଝୀଙ୍କ ୨ଟି ଛେଳି, ଟୁମା ମାଝୀଙ୍କ ୨ଟି ଛେଳିଙ୍କ ଶରୀର ଖଣ୍ଡବିଖଣ୍ଡ ହୋଇ ଜଙ୍ଗଲ ମଧ୍ୟରେ ପଡିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ମୂଷାନାଳ ବନ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ପହଞ୍ଚି ନଥିବା ବେଳେ ବାଘ କି କୌଣସି ହିଂସ୍ରଜନ୍ତୁଙ୍କ ଆକ୍ରମଣ ଯୋଗୁ ଛେଳିଙ୍କ ମୃତ୍ୟୁ ଘଟିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏଠାକାର ଆଦିବାସୀମାନେ ବାଘ ଆକ୍ରମଣରେ ଛେଳିଙ୍କ ମୃତ୍ୟୁ ଘଟିଛି ବୋଲି ଦାବୀ କରୁଥିବା ବେଳେ ଏମାନେ ଛେଳି ଚାଷ କରି ନିଜ ପେଟପୋଷଣ କରୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଏନେଇ ବିଶ୍ୱନାଥପୁର ରେଞ୍ଜର ନରତ୍ତମ ମାଝୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନଟିକୁ ଗ୍ରହଣ କରିନଥିଲେ। ବର୍ତ୍ତମାନ ବାଘ ଆତଙ୍କ ଯୋଗୁଁ ତୁର୍କା ଗାଁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

Comments are closed.