ରାସରସିକପୁର ଦୁର୍ଗାପୂଜା ଭସାଣୀ ସଂପନ୍ନ
ଆଠଗଡ ଦଶହରାରେ ପ୍ରବଳ ଜନସମାଗମ
ଆଠଗଡ : ଆଠଗଡ ସହରରେ ଦଶହରା ଉତ୍ସବ ବେଶ୍ ଯାକଜମକରେ ସଂପନ୍ନ ହୋଇଥିବାବେଳେ ପାଗ ଅନୁକୁଳ ଥିବାରୁ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା। ଆଠଗଡ ଓ କନ୍ତୋଲର ସମସ୍ତ ପ୍ରମୁଖ ବଜାର ସୁନ୍ଦର ଆଲୋକ ତୋରଣ ଓ ଆଲୋକମାଳାରେ ଝଲସୁଥିଲା। ଭଳିକି ଭଳି ଅସ୍ଥାୟୀ ଦୋକାନ ରାସ୍ତାର ଦୁଇପାର୍ଶ୍ବରେ ପସରା ମେଲାଇ ଭଲ ବ୍ୟବସାୟ କରିଥିଲେ । ଆଠଗଡର ଦୁର୍ଗାବଜାର, ରଘୁନାଥ ବଜାର, ଲକ୍ଷ୍ମୀବଜାର, ଚାନ୍ଦବାଲିଛକ ବଜାର, ନୂଆବସଷ୍ଟାଣ୍ଡ ବଜାର ଓ କନ୍ତୋଲ ମୁଖ୍ୟ ବଜାରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସନ୍ଧ୍ୟା ୬.୦୦ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଆଠଗଡ ସହର ତଥା ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ପ୍ରାୟ ୪୦ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଯଥେଷ୍ଟ ସଂଖ୍ୟାରେ ପୁଲିସ ଫୌଜ ମୁତୟନ ହୋଇନଥିଲା। ଫଳରେ କିଛି ସ୍ଥାନରେ କାଁ ଭାଁ ଉତ୍ତେଜନା ଓ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ରଘୁନାଥ ବଜାରରେ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବାବେଳେ ସହରର ଦୁଇଟି ସାହିର କିଛି ଲୋକ ନିଶା ସେବନ କରି ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିଥିଲେ। ସେଠାରେ ପୁଲିସର ଅନୁପସ୍ଥିତି ଯୋଗୁଁ ପରିସ୍ଥିତି ଅଣାୟତ ହେବାକୁ ଯାଉଥିବାବେଳେ ବଜାର କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ସୁଦ୍ଧା ସଂଗୀତ କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଯାଇଥିଲା।
ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ମାଜିଷ୍ଟ୍ରେଟ ଦାୟିତ୍ୱ ନିର୍ବାହ କରିଥିବା ତହସିଲଦାର ପ୍ରିୟବ୍ରତ ଦାସ ଏବଂ ଉପଖଣ୍ଡ ପୁଲିସ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ସମେତ ଅନ୍ୟ ପ୍ରଶାସନିକ ଓ ପୁଲିସ ଅଧିକାରୀ ଦଶହରା ଯାତ୍ରା କୁ ଯଥାସାଧ୍ୟ ଶୃଙ୍ଖଳିତ ପରିଚାଳନା ଲାଗି ପଦକ୍ଷେପ ନେଇଥିଲେ। ଆସନ୍ତା ୨୭ତାରିଖରେ ଆଠଗଡର ସମସ୍ତ ବଜାରର ଭସାଣି ଉତ୍ସବ ଅନୁଷ୍ଠିତ ହେବ।
ବୁଧବାର ଆଠଗଡର ସହରର ରାସରସିକପୁର ଦୁର୍ଗାମେଢ ଭସାଣି ଉତ୍ସବ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପିତ ହୋଇଛି। ରାସରସିକପୁର ପୂଜା କମିଟିର ସଭାପତି ମିହିର କୁମାର ତ୍ରିପାଠୀ, ସଂପାଦକ ଦିଲ୍ଲୀପ କୁମାର ବାରିକ, ବରିଷ୍ଠ ସଦସ୍ୟ ନବକିଶୋର ରାଉତ, ଧର୍ମାନନ୍ଦ ସାହୁ, ଲକ୍ଷ୍ମୀଧର ସ୍ୱାଇଁ, ଦାଶରଥି ସାହୁ, ଶୁଶିଲ କୁମାର ରାଉତ, ରତ୍ନାକର ବାରିକ, ପଠାଣୀ ଦଳାଇଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସାହିର ସ୍ୱେଚ୍ଛାସେବୀ ଯୁବକ ଭସାଣି ଉତ୍ସବ ପରିଚାଳନା କରିଥିଲେ।
Comments are closed.