ଅତାବିରା କୁଷ୍ଠାଶ୍ରମରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ
ରେଙ୍ଗାଲିକ୍ୟାମ୍ପ: ସମାଜର କ୍ରୁର ଅନ୍ଧ ବିଶ୍ବାସର ତାଡନାରେ ଭାଗ୍ୟକୁ ନିନ୍ଦି ସମାଜ ତଥା ପରିବାରରୁ ବାସନ୍ଦ ହୋଇ କୌଣସି ରାସ୍ତାକଡ, ରେଳ ଲାଇନ କଡ ଆଦି ଅପନ୍ତରା ସ୍ଥାନରେ ରହୁଥିବା ଓ ପରେ କୁଷ୍ଠାଶ୍ରମରେ ଆଶ୍ରୟ ନେଇଥିବା ଅନ୍ତେବାସୀଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଅତିବାହିତ କରି ତାଙ୍କୁ ସହାୟତାର ହାତ ବଢ଼ାଉଥିବା ବିଭିନ୍ନ ସଂଗଠନମାନଙ୍କ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସଂଗଠନର ଭୂମିକା ଅନ୍ୟତମ । ଆଜି ପବିତ୍ର ନବରାତ୍ର ନବମୀ ତିଥିରେ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସଂଘର ସଭାପତି ନାସିର ଖାଁଙ୍କ ସଭାପତିତ୍ବରେ ଅତାବିରା ଏନଏସି ୱାର୍ଡ ନଂ ୪ସ୍ଥିତ କୁଷ୍ଠାଶ୍ରମରେ ୧୭ତମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ବିଧାୟିକା ତଥା ସଭାପତି ନାସିର ଖାଁଙ୍କ ସହପାଠିନୀ ସ୍ନେହାଙ୍ଗିନୀ ଛୁରିଆ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏନଏସି ଅଧ୍ୟକ୍ଷ ବନମାଳୀ ବରିହା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସଂଘର ସମ୍ପାଦକ ସାମ୍ବାଦିକ ବିପିନ ଦାଶ ଅତିଥି ପରିଚୟ ପ୍ରଦାନ ତଥା ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦର୍ଶ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ କବୟିତ୍ରୀ ଭାବେ ଶିକ୍ଷୟିତ୍ରୀ ଅନସୂୟା ଦେବତା, ଶବ ସତ୍କାର କରି ସମାଜ ସେବା କ୍ଷେତ୍ରରେ ସଂଘମିତ୍ରା ପଟେଲ, ବରଗଡ଼ରେ ନିଶା ନିବାରଣ ପାଇଁ କାର୍ଯ୍ୟ କରୁଥିବା ବୁଧରାମ ସାହୁ, ପାଣିମୋରାର ସ୍ଵାଧୀନତା ସଂଗ୍ରାମୀର ଦାୟଦ ରୂପେ ରମାକାନ୍ତ ପଟେଲ, ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜର ପ୍ରତିଷ୍ଠାତା ଫକୀର କର୍ଣ୍ଣ ଏବଂ ଆଦର୍ଶ କାଉନସିଲର ଭାବରେ ୱାର୍ଡ ନଂ ୭ର କାଉନସିଲର ବିନୋଦ ଯୋନପୁରୀଙ୍କୁ ଟ୍ରଫି ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ୨୦ ଜଣଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ କୁଷ୍ଠାଶ୍ରମର ୨୦ ଜଣ ଅନ୍ତେବାସୀଙ୍କୁ କମ୍ବଳ, ଶାଢ଼ୀ, ଗାମୁଛା, ଗଞ୍ଜି, ପିଲାଙ୍କୁ ପ୍ୟାଣ୍ଟ୍ ସାର୍ଟ ଆଦି ବଣ୍ଟନ କରାଯାଇଥିଲା । ବରଗଡ଼ର ସାମ୍ବାଦିକ ଅସଲମ ଖାଁ, ନରେନ୍ଦ୍ର ନାଏକ ଓ ଅନ୍ୟାନ୍ୟ ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସଂଘର ସମ୍ପାଦକ ଶ୍ରୀ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Comments are closed.