ଗ୍ୟାସ୍ ଟାଙ୍କି ଫାଟି ପୁଅ ମୃତ, ବାପା-ମାଆ ଗୁରୁତର
ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଭୟାବହ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏତେ ଭୟାନକ ଥିଲା ଯେ, ଘରର ଛପର ଉଡ଼ିଯାଇ ଗଛରେ ଲଟକି ରହିଛି। ବିସ୍ଫୋରଣରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା, ମାଆ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବ୍ଲକର ନରସିଂହପୁର ପଞ୍ଚାୟତ ଅଧୀନ ପୁରୁଣା ଗାଁର ହରିହର ବେହେରାଙ୍କ ୨ ବଖରା ଘରକୁ ଲାଗି ଦୋକାନ ଘରଥିଲା। ଗୁରୁବାର ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ପରେ ପରେ ଉକ୍ତ ଦୋକାନ ଭିତରେ ଥିବା କେତେକ ପୁରୁଣା ବାଣ, ପେଟ୍ରୋଲ ଓ ବାଇକରେ ଅଗ୍ନି ସଂଯୋଗ ହେବାରୁ ଭୟଙ୍କର ବିସ୍ଫୋରଣ ଘଟିଛି। ଘରର ଛପର ସବୁ ଛିନ୍ ଭିନ୍ ହୋଇ ୩୦/୪୦ ଫୁଟ ଦୂରରେ ପଡ଼ିଥିବା ବେଳେ ଛପର ଓ ଅନ୍ୟ କେତେକ ସାମଗ୍ରୀ ଗଛ ଉପରେ ଝୁଲିଥିଲା। ଘର ଭିତରେ ବସିଥିବା ପୁଅ ଭାଗବତ ବେହେରା, ବାପା ହରିହର ଓ ମାଆ ସୁକାନ୍ତି ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ବାଲେଶ୍ଵର ଡ଼ାକ୍ତରଖାନା ନିଆ ଯାଇଥିଲା। କିନ୍ତୁ ଓଟିକୁ ପଶିବା ପୂର୍ବରୁ ପୁଅ ଭାଗବତ ବେହେରାଙ୍କ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ରେମୁଣା ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
Comments are closed.