ରାସ୍ତା ନିର୍ମାଣ ଓ ପାଣି ସିଞ୍ଚନ ଦାବିରେ କଣ୍ଡରାପଶି ପଞ୍ଚାୟତବାସୀଙ୍କ ଆନ୍ଦୋଳନ

କେନ୍ଦୁଝରଗଡ : କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ପଳାଶପଙ୍ଗା-ବାମେବାରୀ ୨୭କି.ମି. ରାସ୍ତା ଦେଇ ଜିଲା ଓ ଜିଲା ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବନ୍ଦରକୁ ଖଣିଜସମ୍ପଦ ପରିବହନ ହୋଇ ଆସୁଥିବାରୁ ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ପୂର୍ତ୍ତ ବିଭାଗକୁ ଏହି ରାସ୍ତା ହସ୍ତାନ୍ତର ପରେ ଏହି ରାସ୍ତାକୁ ଦୁଇଭାଗରେ ବିଭାଜନ କରି କାଳିମାଟି ଠାରୁ ବାମେବାରୀ ପର୍ଯ୍ୟନ୍ତ ୫.୬୨୦କି.ମି. ରାସ୍ତା ୪ଥାକିଆ ନିର୍ମାଣ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌‌) ପାଣ୍ଠିରୁ ୬୯କୋଟି ୫୩ଲକ୍ଷ ୪୫ହଜାର ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ଆହ୍ୱାନ ଶେଷ ହୋଇଛି। ପଳାଶପଙ୍ଗା ଠାରୁ କାଳିମାଟି ପର୍ଯ୍ୟନ୍ତ ଅବଶିଷ୍ଟ ୨୨ କି.ମି. ରାସ୍ତା ପ୍ରଶସ୍ତିକରଣ କରାନଯାଇ କେବଳ ଉନ୍ନତିକରଣ ଓ ମରାମତି ପାଇଁ ନିକଟରେ ଠିକାଦାର ସଚ୍ଚିଦାନନ୍ଦ ଖିଲାରଙ୍କ ସହ ଚୁକ୍ତି ସ୍ୱାକ୍ଷର ହୋଇଥିବା ବେଳେ ଅଦ୍ୟାବଧି କାର୍ଯ୍ୟାରମ୍ଭ ହୋଇନାହିଁ। ଫଳରେ ଉକ୍ତ ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଖଣିଜସମ୍ପଦ ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଧୂଳି ଧୁଆଁ ଯୋଗୁଁ ଅଞ୍ଚଳବାସୀ ବିଶେଷଭାବେ ପ୍ରଭାବିତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ସହ ପାଣି ସିଞ୍ଚନ କରାନଗଲେ ବୁଧବାର ଠାରୁ ରାସ୍ତାରୋକ କରାଯାଇ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କଣ୍ଡରାପଶିର ପୂର୍ବତନ ସରପଞ୍ଚ ଅଯୋଧ୍ୟା ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଲିଖିତ ଭାବେ ଜଣାଇଥିଲେ। ରାସ୍ତା ନିର୍ମାଣ କିମ୍ବା ପାଣି ସିଞ୍ଚନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ପୂର୍ବ ଘୋଷିତ ଅନୁଯାୟୀ ବୁଧବାର ସକାଳୁ କଣ୍ଡରାପଶିଛକ ଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତାକୁ ଅବରୋଧ କରାଯାଇ ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ଖଣିକ୍ଷେତ୍ରକୁ ଚଳାଚଳ କରୁଥିବା ଶତାଧିକ ଭାରିଯାନ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିବା ଦେଖିବାକୁ ମିଳିଛି। ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ରାସ୍ତା ଅବରୋଧ ପ୍ରତ୍ୟାହାର ପାଇଁ କହିଥିଲେ ହେଁ ରାସ୍ତା ନିର୍ମାଣ ଏବଂ ପାଣି ସିଞ୍ଚନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବୁ ନାହିଁ ବୋଲି ଆନ୍ଦୋଳନରତ ଅଞ୍ଚଳବାସୀ ସ୍ପଷ୍ଟ  କରିଥିଲେ। ଏହାପରେ ଅପରାହ୍ନରେ ପୂର୍ତ୍ତ ବିଭାଗ ଏସ୍‌‌ଡିଓ ବିକ୍ରମ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାର୍ଯ୍ୟାରମ୍ଭ ନିମନ୍ତେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିବା କହିଥିଲେ ହେଁ ଯେ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ପାଣି ସିଞ୍ଚନ ହୋଇ ନାହିଁ ସେହିଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିବାରୁ ପ୍ରଥମ ଦିନର ଆଲୋଚନା ବିଫଳ ହୋଇଛି। ଫଳରେ ଏହି ଆନ୍ଦୋଳନ ଜାରି ରହିଥିବା ନେଇ ସ୍ଥାନୀୟ ଯୁବ ନେତା ସୁନାରାମ ମାଝୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆହାରପଶି ଛକ ଠାରୁ ଜଗଦଳା ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଯାତାୟାତ ଯୋଗ୍ୟ ହୋଇ ରହିନଥିବାରୁ ଗତ କିଛି ମାସ ଧରି ଉକ୍ତ ରାସ୍ତାରେ ଯାତ୍ରିବାହୀ ଯାନ ସମ୍ପୂର୍ଣ୍ଣ ଭାବେ ଚଳାଚଳ ବନ୍ଦ କରି ୨୦ନଂ ଜାତୀୟ ରାଜପଥ କଟଲପଶି ଛକ ଠାରୁ ଧାତିକା ଦେଇ ଯାତାୟାତ କରୁଥିବାରୁ କଣ୍ଡରାପଶି ଓ ପର୍ଜନପୁର ପଞ୍ଚାୟତବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତାରୁ ଉଡୁଥିବା ଧୂଳି ସାଙ୍ଗକୁ ଯାନବାହାନର ବିଷାକ୍ତ ଧୂଆଁରେ ଅଞ୍ଚଳବାସୀ ଆକ୍ରାନ୍ତ ହୋଇ ଯକ୍ଷ୍ମା, କାଶ ଓ ଥଣ୍ଡା ଜ୍ୱରରେ ପୀଡିତ ହୋଇ ଆସୁଥିବା ବେଳେ ରାସ୍ତା ମରଣଯନ୍ତା ପାଇଁ ଆମ୍ବୁଲାନ୍ସ ସେବା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ପାରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି।

Comments are closed.