କୁମାରୋତ୍ସବ ପାଇଁ ସମନ୍ୱୟ ବୈଠକ

ଚୌଦ୍ୱାର :ଐତିହାସିକ କୁମାରୋତ୍ସବ ଓ ରୂପଯାତ୍ରା ଆୟୋଜନ ପାଇଁ ପୌରପାଳିକା, ରୂପଯାତ୍ରା କମିଟି, କମିସନରେଟ ପୁଲିସ୍ ଓ ସେବା ଯୋଗାଉଥିବା ସମସ୍ତ ସରକାରୀ ବିଭାଗର ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ସଭାପତିତ୍ୱରେ ପୌର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ରୂପଯାତ୍ରାକୁ ଶାନ୍ତି ଶୃଂଖଳାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଦରକାର ହେଉଥିବା ସମସ୍ତ ବ୍ୟବସ୍ଥା ସୁଚାରୁରୂପେ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ପୌର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ।ପୌର ପାଳିକା ତରଫରୁ ମେଢ଼ ଭସାଣି ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥାକୁ ଜରୁରୀ କାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ରଙ୍କୁ ଶ୍ରୀ ବିଶ୍ୱାଳ ନିର୍ଦ୍ଦେଶ ଦେଇଥିଲେ। ଯାତ୍ରା କମିଟି ସଭାପତି ସୁବୋଧ କୁମାର ନାୟକ, ସମ୍ପାଦକ ନାରାୟଣ ସ୍ୱାଇଁ, ପ୍ରେମଚାନ୍ଦ ନାୟକ, ବିଷ୍ଣୁ ଚରଣ ପରିଡ଼ା, ତହସିଲଦାର ପ୍ରଜ୍ଞାନନ୍ଦ ଦାସ, ଚୌଦ୍ୱାର ଆଇଆଇସି ବିଶ୍ୱରଞ୍ଜନ ସାହୁ, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଶମ୍ଭୁନାଥ ସେଠୀ, ଟାଟା ପାୱାର ଏସଡ଼ିଓ ସମୀରକାନ୍ତ ପଡ଼ିହାରୀ, ଡୁଡ଼ା ଅଧିକାରୀ ଅକ୍ଷୟ ମିଶ୍ର, ରାସ୍ତା ଓ ଗୃହ ନିର୍ମାଣ ଏସ୍ଡ଼ିଓ ବସନ୍ତ କୁମାର ବେହେରା, ଏନ୍ଏଚଆଇ,ଏନ୍ଏଚ୍ ନିର୍ମାଣ ଠିକାସଂସ୍ଥା, ଦମକଳ ବିଭାଗ ଆଦିର ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ ।

Comments are closed.