ଆଠଗଡ଼: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୧୪ତାରିଖରେ ଆଠଗଡ଼ରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟ ସରକାର ଓ ଆଠଗଡ଼ ବିଷୟରେ ଯେଉଁ ଆରୋପ ଲଗାଇଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ। ମନ୍ତ୍ରୀ ମିଛ ଗପ କହି ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଛନ୍ତି ବୋଲି ଆଠଗଡ଼ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ଅଭିଯୋଗ କରିଛନ୍ତି। ଆଠଗଡ଼ରେ ଶୀତଳଭଣ୍ଡାର ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। କିନ୍ତୁ ଆଠଗଡ଼ ସମେତ ରାଜ୍ୟର ୧୯ଟି ସ୍ଥାନରେ ନୂତନ ଶୀତଳଭଣ୍ଡାର ନିର୍ମାଣ ପାଇଁ ଟେଣ୍ଡର କରାଯାଇଛି। ଏହାଛଡା ରାଜ୍ୟର ପଞ୍ଚାୟତସ୍ତରରେ ୧ ହଜାରଟି କ୍ଷୁଦ୍ର ସୌରଚାଳିତ କୋଲ୍ଡ ରୁମ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେବା ସହିତ ରାଜ୍ୟ ସରକାର ଏବେ ପ୍ରାୟ ୨୦୦ଟି କୋଲ୍ଡ ରୁମ୍ ପ୍ରତିଷ୍ଠା କରି ସାରିଥିବା ବେଳେ ଆଠଗଡ଼ ଅଞ୍ଚଳରେ ମଧ୍ୟ କେତୋଟି କୋଲ୍ଡରୁମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଚାଷୀଙ୍କୁ ଜଳସେଚନ ସୁବିଧା ମିଳୁନାହିଁ ବୋଲି ଶ୍ରୀ ପ୍ରଧାନ ଯେଉଁ ଅଭିଯୋଗ କରିଛନ୍ତି ତାର ଉତ୍ତରରେ ବିଜେଡି ନେତା ୨ହଜାର ମସିହା ସୁଦ୍ଧା ରାଜ୍ୟରେ ୩୦ଲକ୍ଷ ହେକ୍ଟର ଜମି ଜଳସେଚିତ ଥିବାବେଳେ ଏବେ ତାହା ୬୭ଲକ୍ଷ ହେକ୍ଟରରେ ପହଞ୍ଚିଛି ବୋଲି କହିଛନ୍ତି। ରେଙ୍ଗାଲି ଦକ୍ଷିଣ କେନାଲ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଆଠଗଡ଼ ଅଞ୍ଚଳର ଚାଷୀଙ୍କ ସହିତ ଅନ୍ୟ ଅଞ୍ଚଳର ହଜାର ହଜାର ଚାଷୀ ଉପକୃତ ହେବାକୁ ଯାଉଛନ୍ତି। ରାଜ୍ୟ ସରକାର କୃଷି ବଜେଟ୍ରେ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି କରିଥିବାବେଳେ କେନ୍ଦ୍ର ସରକାର ବଜେଟରୁ ଅର୍ଥ କାହିଁକି କାଟୁଛନ୍ତି ତାର ଉତ୍ତର କେନ୍ଦ୍ରମନ୍ତ୍ରୀ ଦେବା ଦରକାର ବୋଲି ବିଜେଡି ନେତା ପ୍ରକାଶ କରିଥିଲେ। ଓଡ଼ିଶାରେ ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଫସଲ ଋଣ ଦିଆଯାଉଥିବା ବେଳେ କେଉଁ କେଉଁ ବିଜେପି ଶାସିତ ରାଜ୍ୟରେ ଏପରି ଋଣ ଦିଆଯାଉଛି ତାର ଜବାବ୍ ଦେବା ଲାଗି ସେମାନେ ଆହ୍ୱାନ ଜଣାଇଥିଲେ। ସେହିପରି ପାନୀୟ ଜଳ ପାଇଁ ରାଜ୍ୟ ସରକାର ଆସନ୍ତା ୨୦୨୪ ସୁଦ୍ଧା ପ୍ରତ୍ୟେକ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ଲାଗି ମେଗା ପ୍ରକଳ୍ପମାନ ନିର୍ମାଣ କରିଥିବା ସେମାନେ ସୂଚନା ଦେଇଥିଲେ। ସବୁ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୋଦି ପଇସା ଦେଉଛନ୍ତି ବୋଲି ଯାହା କହୁଛନ୍ତି ମୋଦି କ’ଣ ନିଜ ଘରୁ ଆଣି ପଇସା ଦେଉଛନ୍ତି କି ବୋଲି ବିଜେଡି ନେତା ପ୍ରଶ୍ନ କରିଥିଲେ। ଆଠଗଡ଼ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଅନିୟମିତତା ବିଷୟରେ ଯାହା କିଛି କେନ୍ଦ୍ରମନ୍ତ୍ରୀ ଆରୋପ କରିଛନ୍ତି ତାହା ସଂପୂର୍ଣ୍ଣ ଭୁଲ୍ ତଥ୍ୟ ଉପରେ ପର୍ଯ୍ୟବେଶିତ। ଏହାଛଡା ବାହାର ରାଜ୍ୟରେ ଓଡ଼ିଶା ଲୋକ ଦାଦନ ଖଟିବା ପାଇଁ ଯିବା ସଂପର୍କରେ ସେ ଦେଇଥିବା ମନ୍ତବ୍ୟର ଉତ୍ତରରେ ବିଜେଡି ନେତା ଓଡ଼ିଶାରେ ମଧ୍ୟ ବାହାର ରାଜ୍ୟର ଲୋକ କାମ କରୁଛନ୍ତି ଠିକ୍ ଯେପରି ଆମ ରାଜ୍ୟର ଲୋକ ବାହାର ରାଜ୍ୟରେ କାମ କରିବାକୁ ରହିଛନ୍ତି ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ସମବାୟବିତ୍ ଲଳିତେନ୍ଦୁ ସେନାପତି, ନଗରପାଳ ସସ୍ମିତା ରାଉତ, କୁଲାଇଲୋ ସମବାୟ ସମିତି ସଭାପତି ସୁବାସ ଭୋଇ ଓ ବିଜେଡି କାର୍ଯ୍ୟାଳୟ ସଂପାଦକ ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



