ମହିଳା ଡିଗ୍ରୀ କଲେଜରେ ଶିକ୍ଷା ବିଭାଗ ପାଠଚକ୍ର
ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଶିକ୍ଷା ବିଭାଗ ଆନୁକୁଲ୍ୟରେ ସୋମବାର ‘ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକକୁ ନେଇ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପାଠଚକ୍ରରେ କେନ୍ଦୁଝର ଜିଲ୍ଲା ରିମୁଳି ମହାବିଦ୍ୟାଳୟର ଶିକ୍ଷାବିଭାଗ ଅଧ୍ୟାପକ ବଳଭଦ୍ର ସେନାପତି ମୁଖ୍ୟଅତିଥି ତଥା ବିଷୟ ଭିତ୍ତିକ ବକ୍ତା ଭାବେ ଯୋଗଦେଇ ବିଷୟବସ୍ତୁ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ମହତ୍ତ୍ୱ ସଂପର୍କରେ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇବା ସହ ଏହାର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରୀମାନଙ୍କ ସହ ଆଲୋଚନା ଓ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ମନରେ ଥିବା ଦ୍ୱନ୍ଦ ଓ ସମସ୍ୟା ଦୂର କରିଥିଲେ । କଲେଜର ଶିକ୍ଷା ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପାଠଚକ୍ରରେ +୩ ୨ୟ ବର୍ଷ ଛାତ୍ରୀ ଅଶାନ୍ତି ବେହେରା ଓ ସୁନିତା ନାୟକ ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଭୂମିକାକୁ ନେଇ ପ୍ରସ୍ତୁତ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଅଧ୍ୟାପିକା ସ୍ୱର୍ଣ୍ଣଲିସା ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.