ମେଧାବୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଶୋକ

ନର୍ଲା : ନର୍ଲା ବ୍ଲକ ବାଲିସିଙ୍ଗା ପଞ୍ଚାୟତର ଭିର୍କାପଡା ଗ୍ରାମର ୧୮ ବର୍ଷୀୟ ମେଧାବୀ ଛାତ୍ର ଇଶ୍ଵର ପଧାନଙ୍କ ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି । ସେ ଯୁକ୍ତ ୩  ଦ୍ବିତୀୟ ବର୍ଷ ଛାତ୍ର ଭାବେ ଅଧ୍ୟୟନରତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ନିଜ ଅଧ୍ୟୟନ ଜୀବନରେ କୃତିତ୍ୱ ପାଇଁ ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିବା ଵେଳେ ଇଶ୍ବରଙ୍କ ଦୈନନ୍ଦିନ  ଜୀବନ ଥିଲା ଅତ୍ୟନ୍ତ ଦୁଃଖମୟ । ବାପା ମଙ୍ଗଳୁ ପଧାନ ଆରପାରିକୁ ଯିବି ପରେ ଅନେକ ଦୁଃଖକଷ୍ଟ ତଥା ଆର୍ଥିକ ଅନାଟନରେ ଗତି କରି ସୁଦ୍ଧା ସମସ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିପାଇଁ ତାଙ୍କୁ ରାଜ୍ୟ ସରକାର ଏକ ଲାପଟପ୍ ପ୍ରଦାନ କରିଛନ୍ତି । ନିଜ ଗ୍ରାମରେ ଅବସ୍ଥିତ ସ୍ବର୍ଗତ ଗିରୀଶଚନ୍ଦ୍ର ପାଠାଗାରର ସମ୍ପାଦକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ମିଷ୍ଟଭାସୀ, ଅନୁଷ୍ଠାନ ପ୍ରେମୀ, ଆଧ୍ୟାତ୍ମିକ ବାଦୀ ଓ ସୁ-ସଂଗଠକ ଥିଲେ । ତାଙ୍କ ଠାରୁ ଗ୍ରାମବାସୀ ବହୁତ ଆଶା କରିବା ସହ ତାଙ୍କର କ୍ୟାରିଅରକୁ ନେଇ ଅନେକ ସ୍ବପ୍ନ ଦେଖିଥିବା ବେଳେ ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଦୁଃଖିତ କରିଛି। ଏହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସ୍ଥାନୀୟ ଶ୍ମସାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

Comments are closed.