ବିଶ୍ୱ ଗଣ୍ଠିବାତ ଦିବସରେ ସଚେତନତା
ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଯୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁରଠାରେ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ ହୋଇଯାଇଛି । ଏଥିରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଗଣ୍ଠିବାତ ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ। ଗଣ୍ଠିବାତ ରୋଗରେ ଶରୀରର ଗଣ୍ଠି ବା ସନ୍ଧି ପ୍ରଦାହ ସୃଷ୍ଟି ହୋଇଥାଏ । ଏହି ଗଣ୍ଠିବାତର ଅନ୍ୟନାମ ସନ୍ଧିପ୍ରଦାହ, ସନ୍ଧିଶୋଧ, ଗଣ୍ଠିପୀଡା ଓ ଗଣ୍ଠିଫୁଲା ଇତ୍ୟାଦି । ଏହି ରୋଗଦ୍ୱାରା ସହଜରେ ଚଳପ୍ରଚଳ କରିହୁଏ ନାହିଁ । ଏକ୍ସ-ରେ ଓ ରକ୍ତ ପରୀକ୍ଷା ଦ୍ୱାରା ଏହି ରୋଗ ଚିହ୍ନଟ କରାଯାଇଥାଏ । ଉଚ୍ଚତା ଅନୁଯାୟୀ ଶରୀରର ଓଜନ ନିୟନ୍ତ୍ରଣରେ ରହିଲେ ଗଣ୍ଠିବାତ ରୋଗ ହୋଇନଥାଏ ବୋଲି ଶ୍ରୀ ଅସଲମ କହିଥିଲେ । ସହରୀ ଜୀବନଶୈଳୀକୁ ତ୍ୟାଗ କରି ନିୟମିତ ବ୍ୟାୟାମ ଓ ଯୋଗ କରିବା, ତେଲ ଓ ଚର୍ବିଜାତୀୟ ଖାଦ୍ୟ ନଖାଇ ତନ୍ତୁଜାତୀୟ ଖାଦ୍ୟ ଖାଇବା ଦରକାର ବୋଲି ସେ କହିଥିଲେ । ଏହିି ରୋଗର ଲକ୍ଷଣ ଦେଖାଦେଲେ ଦେଶୀ ଚିକିତ୍ସା ନକରି ତୁରନ୍ତ ଅସ୍ଥିଶଲ୍ୟ ବିଶେଷଜ୍ଞ ବା ଅନ୍ୟ ଡାକ୍ତରଙ୍କୁ ପରାମର୍ଶ କରି ଆବଶ୍ୟକୀୟ ଚିକିତ୍ସା କରାଇବାକୁ ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତି, ଆଶାକର୍ମୀ ବନିତା ରାଉତ, ସଂଜୁଲତା ରଥ, ଅଙ୍ଗନବାଡି କର୍ମୀ ସୁନିତା ଦାସ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.