ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମାଲକାନଗିରି ବିଜେପିକୁ ଶକ୍ତ ଝଟ୍କା
ବାଲିମେଳା ବିଜ୍ଞାପିତ ଅଞ୍ଚଳର ଆଗ ଧାଡ଼ିର ବିଜେପି ନେତାଙ୍କ ସମୂହ ଇସ୍ତଫା
ମାଲକାନଗିରି: ଆସନ୍ତା ୧୨ ତାରିଖରେ ଲକ୍ଷ୍ମୀ ବସ୍ର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତ କରୁଥିବାବେଳେ ଏହାର ଠିକ ଦୁଇ ଦିନ ପୂର୍ବରୁ ଆଗ ଧାଡ଼ିର ୨୦ଜଣ ବିଜେପି ନେତା ସମୂହ ଇସ୍ତଫା ଦେଇଛନ୍ତି। ସୋମବାର ମାଲକାନଗିରି ଜିଲ୍ଲା ବିଜେପିର ଉପସଭାପତି ଚିତ୍ରସେନ ସ୍ୱାଇଁ, ବାଲିମେଳାର ନଗର ଉପସଭାପତି ବିଜୟକ୍ରିଷ୍ଣା ଦାସ, ସାଧାରଣ ସମ୍ପାଦକ ସିମାଞ୍ଚଳ ପ୍ରଧାନ, କୃଷକ ମୋର୍ଚା ସଭାପତି ତ୍ରିନାଥ ସାହୁ, ଏସଟି ମୋର୍ଚା ସଭାପତି ପୂର୍ଣ୍ଣ ଚନ୍ଦ୍ର ଚାଲାଣଙ୍କ ସମେତ ସାଧାରଣ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ପୁରୁଷୋତ୍ତମ ମୁଦୁଲି, ରମେଶ କୁମାର ଯାନୀ, ସୁଦର୍ଶନ ଡାକୁଆ, ସାଇ କୁମାର ପାତ୍ର, ଆଶୁ କନଜେରିଆ, ରାମ ଖରା, ସୋନୁ ନାଗ, ସୁରେନ୍ଦ୍ର ସୋଡି, ଅମୁଲ୍ୟ ମାଛ, ଉତ୍କଳ ଚରଣ ମୁଦୁଲି, କୁନୁ ପାଙ୍ଗି, ବଳରାମ ସ୍ୱାଇଁ, ରଂଜିତ ବେହେରା, ରାହୁଲ ବାଘ ପ୍ରମୁଖ ବିଜେପି ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରେରଣା କରିଥିବା ପ୍ରକାଶ କରିଛନ୍ତି। ବାଲିମେଳା ନଗର ବିଜେପି ଉପସଭାପତି ବିଜୟ କହିଛନ୍ତି ଯେ, ଦୀର୍ଘ ୧୩ ବର୍ଷ ଧରି ବିଜେପିରେ ସାଂଗଠନିକ କାର୍ଯ୍ୟ କରୁଥିବା ବେଳେ କୌଣସି ଜନସାଧାରଣଙ୍କୁ ଆମେ ସାହାଯ୍ୟ କରିପାରିଲୁ ନାହିଁ, ବିଜେପିର ସବୁବେଳେ ମିଥ୍ୟା ପ୍ରତିଶୃତି ଦ୍ୱାରା ଜନତା ଦୂରେଇ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ମାଲକାନଗିରି ଜିଲ୍ଲାକୁ ଯାହା କହିଛନ୍ତି ତାହା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଲକ୍ଷ୍ମୀ ଯୋଜନାରେ ଗ୍ରାମରୁ ସହର ପର୍ଯ୍ୟନ୍ତ ବସ୍ ସେବା ଯୋଗାଇ ଦେଉଛନ୍ତି। ଏହା ସାଧାରଣ ଗରିବ ଜନତାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ବଡ଼ ସହାୟକ ହୋଇପାରିବ। ଏସବୁ ଲୋକାଭିମୁଖୀ କାମ ଦେଖି ମୁଁ ଏବଂ ମୋ ସହ ବହୁ ବିଜେପି ନେତା ସମୂହ ଇସ୍ତଫା ଦେଲୁ ବୋଲି ପ୍ରକାଶ କରିଛନ୍ତି ବିଜୟ। ଏମାନଙ୍କ ଇସ୍ତଫା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଘୋର କ୍ଷତି ହେବା ସହ ବିଜେପି ସଂଗଠନକୁ ଶକ୍ତ ଝଟକା ଲାଗିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି।
Comments are closed.