ଦେଶ ଓ ରାଜ୍ୟର ଗୌରବ ଓଡ଼ିଆ ପୁଅ କିଶୋର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ଜିତି ଦେଶ ଓ ରାଜ୍ୟକୁ ସେ ଗୌରବାନ୍ବିତ କରିଛନ୍ତି। ତେବେ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାଗ ନେଇ କିଶୋର ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣାମାଧ୍ୟମ ଜରିଆରେ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


ମୋଦୀ କହିଛନ୍ତି, ‘‘ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍‌ରେ ଆମର ସଫଳତା ଉଲ୍ଲେଖନୀୟ। ରୌପ୍ୟ ମଧ୍ୟ ଭାରତ ପାଖକୁ ଆସିଲା। ଇଭେଣ୍ଟରେ ଏହି ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ କିଶୋରଙ୍କୁ ଅଭିନନ୍ଦନ। ଦେଶ ଏହି ବିଜୟକୁ ସମ୍ମାନ କରୁଛି।’’


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋରଙ୍କ ଏହି ବିଜୟରେ ଉଲ୍ଲସିତ ହୋଇ ସାମାଜିକ ଗଣାମାଧ୍ୟମ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ‘‘ଓଡ଼ିଶାର ତାରକା ଜାଭେଲିନ୍‌ ଫିଙ୍ଗାଳି କିଶୋର କୁମାର ୮୭.୫୪ ମିଟର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ସହିତ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବାରୁ ଅଭିନନ୍ଦନ। ଏହା ରାଜ୍ୟ ପାଇଁ ଗୌରବର ମୁହୂର୍ତ୍ତ। ତାଙ୍କ ଚମକ୍‌ ଆହୁରି ଉଜ୍ଜ୍ଵଳମୟ ହେଉ ଏବଂ ରାଜ୍ୟ ତଥା ଦେଶକୁ ଆହୁରି ପଦକ ଆଣି ଦିଅନ୍ତୁ। ଭବିଷ୍ୟତ ଚାମ୍ପିଅନସିପ୍ ପାଇଁ ତାଙ୍କୁ ଶୁଭେଚ୍ଛା।’’


ସେହିପରି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣାମାଧ୍ୟମ ଜରିଆରେ ସେ କହିଛନ୍ତି, ‘‘କିଶୋର ଭାରତକୁ ଦ୍ବିଗୁଣା ଖୁସି ପ୍ରଦାନ କଲେ। ପୁରୁଷ ଜାଭେଲିନ୍‌ରେ ରୌପ୍ୟ ଜିତିଥିବାରୁ କିଶୋରଙ୍କୁ ହୃଦୟରୁ ଅଭିନନ୍ଦନ।’’

Comments are closed.