ଗୁରୁଡିଝାଟିଆ : ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀଜୀଙ୍କ ଜୀବନର ଆଧାର ଥିଲା ତ୍ୟାଗ ଓ ସେବା । ଦେଶ ଓ ଦଶର ଉନ୍ନତି ପାଇଁ ନିଜକୁ ସମର୍ପି ଦେଇଥିଲେ । ସେଭଳି ମନିଷୀ ସମୟର ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ଯୁଗସ୍ରଷ୍ଟା ଭାବେ ଆବିର୍ଭୂତ ହୋଇଥାନ୍ତି ବୋଲି ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବରେ ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ କହିଥିଲେ ଅହିଂସାକୁ ଜୀବନର ବ୍ରତ କରି ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ପ୍ରତିକୂଳ ପରିବେଶରେ ବିଚ୍ୟୁତ ନହୋଇ ଆଗକୁ ଗତି କରି ଇତିହାସ ରଚିଥିଲେ ଗାନ୍ଧୀଜୀ। ଯହାଦ୍ୱାରା ଇଂରେଜମାନଙ୍କୁ ମଧ୍ୟ ସେ ଥରହର କରି ଦେଇଥିଲେ। ଶାନ୍ତିର ଦୂତ ଶାସ୍ତ୍ରୀଜୀ ନିଜର ସଚ୍ଚୋଟତା, କର୍ମପ୍ରବଣତା ଓ ଦେଶ ପ୍ରତି ଅନୁରାଗ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିଛନ୍ତି । ବିଦ୍ୟାର୍ଥୀମାନେ ଉଭୟ ମନିଷୀଙ୍କ ଜୀବନାଦର୍ଶକୁ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଜିମସାରର ଉଜ୍ୱଳ ଭବିଷ୍ୟତ କାମନା କରି କରୋନା ମହାମାରୀ ସମୟରେ ଯୋଗାଇଥିବା ସେବା ଅବିଶ୍ୱାସନୀୟ ବୋଲି ତହସିଲଦାର ଶ୍ରୀ ଦାସ କହିଥିଲେ।

ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ ସେବା ଓ ତ୍ୟଗର ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣିଙ୍କ ନାମରେ ନାମିତ ଏହି ପ୍ରତିଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ସେବିକା ବିଦ୍ୟାର୍ଥୀ ଭାଗ୍ୟବାନ। ସେବାରୁ ପୂଣ୍ୟତା ମିଳେ। ପିତାମାତାଙ୍କ ଆଶୀର୍ଦାଦ ଜୀବନର ଚଲାପଥକୁ କୁସୁମିତ କରିଥାଏ। ଯାହା ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନଚିତ୍ରକୁ ବାରିହୋଇପଡେ ବୋଲି କହିଥିଲେ। ବୈଜ୍ଞାନିକ ଡଃ ରାଧାଚରଣ ଦାସ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କହିଥିଲେ ପ୍ରତ୍ୟେକ ଭଲକାମ ପଛରେ ବିଭୂ ଆଶୀର୍ବାଦ ରହିଥାଏ। ତେଣୁ ପ୍ରତ୍ୟେକ ବିଦ୍ୟାର୍ଥୀ ଜୀବନରେ ଭଲକାମ କରି ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହ ଅନ୍ୟପାଇଁ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି କହିଥିଲେ। ଯେପରି ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଆମ ସମସ୍ତଙ୍କ ପାଇଁ ବନ୍ଦନୀୟ,ପୂଜନୀୟ ଓ ପ୍ରେରଣାର ଉତ୍ସ ଅଟନ୍ତି। ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ତଥା ଜିମସାର ପରିଚାଳନା କମିଟିର ସଭାପତି ନିରଞ୍ଜନ ରଥ ଜୟନ୍ତୀ ଉତ୍ସବରେ ଯୋଗଦେଇ କହିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ ,ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀ ଥିଲେ ଯୁଗସ୍ରଷ୍ଟା। ସେମାନଙ୍କ ଜୀବନ ଥିଲା ତ୍ୟାଗ ଓ ସେବାର ଆଧାରରେ ପର୍ଯ୍ୟବେସିତ । ଆଗନ୍ତୁକ ଅତିଥି ଜିମସାର ପରିବେଶକୁ ଅଧିକ ରୁଧିମନ୍ତ କରି ଗଢିତୋଳିବା ବୋଲି କହିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର ନିରୁପମା ଦାସ ,ଜିମସାର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର, ସାମାଜିକ କର୍ମୀ ସଂଯୁକ୍ତା ମହାପାତ୍ର, ନର୍ସିଂ କଲେଜର ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନାଦର୍ଶରେ ନିଜକୁ ଗଢିତୋଳିବା ପାଇଁ କହିଥିଲେ।

ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାର୍ଥୀମାନେ ମୁରୁଜରେ ମହାତ୍ମାଗାନ୍ଧୀ ଙ୍କ ଚିତ୍ର ଆଙ୍କି ଅତିଥିମାନଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ ପ୍ରତିଷ୍ଠାନକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ନର୍ସିଂ କଲେଜର ଛାତ୍ରୀମାନେ ଗାନ୍ଧୀଜୀଙ୍କ ଉପରେ ନିଜସ୍ୱ ମତ ବ୍ୟକ୍ତ କରିଥିଲେ। ଛାତ୍ରୀ ସଂଗୀତା ସାହୁ, ସ୍ମୃତି ଶତଭିଷା, ଶୁଭଶ୍ରୀ ଓ ପ୍ରୀତିରାଜ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଉପରେ ମତ ରଖିଥିଲେ। ପ୍ରତିଷ୍ଠାନ ପକ୍ଷରୁ ତହସିଲଦାର ଶ୍ରୀ ଦାସଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନୀତ କରାଯାଇଥିଲା



