ଚୌଦ୍ୱାର : ଚୌଦ୍ୱାର ପ୍ରେସକ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଦାସଙ୍କର ଗୁରୁବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଗତ ରବିବାର ଦିନ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ପ୍ରଗତିବାଦୀ, ଧରିତ୍ରୀ, ସମ୍ବାଦ ଓ ପରେ ଅନୁପମ ଭାରତ ଆଦି ଖବର କାଗଜ ମାନଙ୍କରେ ଗତ ୨୮ ବର୍ଷ ଧରି ସାମ୍ବାଦିକତା କରୁଥିଲେ। ତାଙ୍କର ଆମାୟିକ ବ୍ୟବହାର, ସେବା ମନୋଭାବ ଓ ଉତ୍ତମ ଜନ ସମ୍ପର୍କ ପାଇଁ ଅଞ୍ଚଳରେ ସେ ଖୁବ୍ ଜନପ୍ରିୟ ଥିଲେ। ତାଙ୍କ ମର ଶରୀରକୁ ଚୌଦ୍ୱାର ଅଣାଯିବା ପରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହିସ୍ଥିତ ତାଙ୍କ ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା। ସାନଭାଇ ତଥା ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ଚୌଦ୍ୱାର ପ୍ରେସ୍ କ୍ଲବ୍ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।
Popular Categories



