ଫୁଲବାଣୀ/ଦାରିଙ୍ଗବାଡ଼ି:କନ୍ଧମାଳ ଜିଲା ସ୍ଥିତ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଭ୍ରମରବାଡି ଠାରେ ସ୍କୁଲ ଅଫ ଟ୍ରାଇବାଲ ଷ୍ଟଡିଜ ଏଣ୍ଡ ଇଣ୍ଡିଜିନସ ରିସର୍ଚ, ଭୁବନେଶ୍ଵର ତରଫରୁ “ଜନଜାତି ଲୋକ କଥା ଓ ଲୋକ ପରମ୍ପରା” ଶୀର୍ଷକ ଏକ-ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ପରିଚାଳନା କରିଥିଲେ। ଉକ୍ତ କାର୍ମଶାଳାରେ ଅଜୟ କୁମାର ନାୟକ, ଅତିରିକ୍ତ ନିର୍ଦେଶକ, ଗୋପବନ୍ଧୁ ଏକାଡେମି, କର୍ମଶାଳାର ଉଦ୍ଦେଶ୍ୟ ବିଷୟ ଉପସ୍ଥାପନା କରି, କିଭଳି ମୁଖ୍ୟ ଶ୍ରୋତ ସଂସ୍କୃତି ଦ୍ବାରା ଆଦିବାସୀ ସଂସ୍କୃତି ପ୍ରଭାବିତ ହୋଇ ଧୀରେ ଧୀରେ ଲୋପ ପାଇବାକୁ ବସିଛି ଓ ଏହାର ପୁନୋରୁଦ୍ଧାର ନହେଲେ, ହଜାର ହଜାର ବର୍ଷର ସଂସ୍କୃତି ଓ ପରମ୍ପରା କାଳର କରାଳ ଗର୍ଭରେ ବିଲୀନ ହୋଇଯିବାର ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ। ଜନଜାତି ଲୋକ କଥା ଓ ଲୋକ ପରମ୍ପରା ଉପରେ ଆଲୋଚନାରେ ଭାଗନେଇ ଭ୍ରମରବାଡି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତିଲମା ପ୍ରଧାନ ଓ ପର୍ତ୍ତମାହ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜ୍ୟୋତିରାଜ ପ୍ରଧାନ, କୁଇ ସଂସ୍କୃତି ର ମହାନତା ଓ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ନାରିନେତ୍ରୀ ଶ୍ରୀମତୀ ନମଜିନୀ ମଲିକ, ନୂତନ ପିଢୀ ନିଜ ସଂସ୍କୃତି ଠାରୁ ଦୂରେଇ ଯାଇ ବାହାରେ ଦାଦନ ଖଟିବାକୁ ଅଧିକ ପସନ୍ଦ କରୁଥିବା କଥା ତଥା ଆଦିବାସୀ ସମାଜ, କ୍ଷୁଦ୍ର ଦାନା ଶସ୍ୟ, ଯାହାକି ତାଙ୍କର ମୁଖ୍ୟ ଖାଦ୍ୟ ଥିଲା, ତାହା ସ୍ଥାନରେ ଭାତ ମୁଖ୍ୟ ଖାଦ୍ୟ ହୋଇ, ଆମ ଲୋକ କିଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି, ସେ ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ଡଃ ମିହିର କୁମାର ଜେନା, ଆଦିବାସୀ ସଂସ୍କୃତି ଗବେଷକ, ଖାଲି କନ୍ଧମାଳ କାହିଁକି ରାଜ୍ୟର ଅନ୍ୟ ଜନଜାତି ସଂସ୍କୃତି ଧୀରେ ଧୀରେ ଲୋପ ପାଇବା କଥା ବିଭିନ୍ନ ଉଦାହରଣ ଦେଇ କହିଥିଲେ। କିଭଳି ଏହାକୁ ଲୋପପାଇବା ପୂର୍ବରୁ ବିଦ୍ଧିବଦ୍ଧ ଭାବେ ଲିପିବଦ୍ଧ କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ ଶାନ୍ତନୁ କୁମାର ଦାସ, ଅବସରପ୍ରାପ୍ତ ସରକାରୀ ଅଧିକାରୀ, ଭ୍ରମରବାଡି ପଞ୍ଚାୟତ ର ସରପଞ୍ଚ ନରୋତ୍ତମ ପ୍ରଧାନ ଲୋପପାଇ ଯାଉଥିବା ମହନୀୟ ପରମ୍ପରାକୁ ବଞ୍ଚାଇରଖିବା ର ଉଦ୍ୟମ ହେବା ଉପରେ ଗୁରୁତ୍ଵ ଦେଇଥିଲେ। ଶେଷରେ ଜାଗୃତି ସମ୍ପାଦକ ଏହି ପୁନୋରୁଦ୍ଧାର ପର୍ୟ୍ୟାୟ ଭ୍ରମରବାଡି ଠାରୁ ଆରମ୍ଭ ହେବାପାଇଁ ପ୍ରସ୍ତାବ ରଖିଥିଲେ। ଏହି ସମନ୍ଧରେ ଆବଶ୍ୟକୀୟ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେଓ ମହନୀୟ ସଂସ୍କୃତି ର ବିଦ୍ଧିବଦ୍ଧ ଭାବେ ଲିପିବଦ୍ଧ କରାଯାଇପାରିବ ସେ ବିଷୟରେ ଗୁରୁତ୍ଵ ଦେଇଥିଲେ। ଶେଷରେ ରାମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଆଦିବାଦୀ ସଙ୍ଗୀତ ଓ ନୃତ୍ୟ ସହିତ କାର୍ୟ୍ୟକ୍ରମ ଶେଷ ହୋଇଥିଲା।



