www.samajalive.in
Saturday, December 13, 2025
26.1 C
Bhubaneswar

ପାର୍ବଣ ପ୍ରାରମ୍ଭରୁ ଟ୍ରାଫିକ ଅବ୍ୟବସ୍ଥା, ଜାମରେ ବେହାଲ ଜନତା

ସମ୍ବଲପୁର: ସମ୍ବଲପୁରର ଫାଟକ ଠାରେ ଥିବା ରେଳବାଇ ଓଭରବ୍ରିଜ ଠାରେ ପ୍ରାୟତଃ ପ୍ରତି ଦିନ ଟ୍ରାଫିକ ଜାମ ହେଉଥିବା ବେଳେ ସହରର ଅନ୍ୟତମ ପ୍ରମୁଖ ସ୍ଥାନ ଅଇଁଠାପାଲି ଛକ ଠାରେ ମଙ୍ଗଳବାର ଅପରାହ୍ନରେ ଉତ୍କଟ ଟ୍ରାଫିକ ଜାମ ହୋଇଥିଲା। ଏହି ଚର୍ତୁକୋଣୀୟ ଛକ ଦେଇ ଯାଇଥିବା ଜାତୀୟ ରାଜପଥ ଠାରେ ପ୍ରାୟ ୩୦ ଫୁଟ ଲମ୍ବର ଏକ ଟ୍ରଲର ସିନ୍ଦୁରପଙ୍କ ଛକ ପଟରୁ ଆସି ଝାରସୁଗୁଡା ପଟକୁ ଯିବା ସମୟରେ ଅଟକି ଯାଇଥିଲା। ଉକ୍ତ ଟ୍ରଲର ଚାଳକ ଗାଡିଟି ଅଧିକ ଲମ୍ବ ଥିବାରୁ ମାଁ ବାଟମଙ୍ଗଳା ମନ୍ଦିର ସମ୍ମୁଖରେ ଭୁଲ ରୁଟରୁ ଡାହାଣ ପଟକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ତାହା ପ୍ରାୟ ୩ ଘଣ୍ଟା ଧରି ଫଶି ରହିଥିଲା। ଫଳରେ ଜାତୀୟ ରାଜପଥ ୫୩ ସମେତ ବିଜୁ ଏକ୍ସପ୍ରେସ ୱେ ଏକ ସଙ୍ଗରେ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା ଏବଂ ଚାରି କୋଣରୁ ଆସୁଥିବା ହଜାର ହଜାର ଯାନବାହନ ଅଟକି ଯାଇ ଭୟଙ୍କର ଜାମ ସୃଷ୍ଟି ହୋଇଥିଲା। ଜାତୀୟ ରାଜପଥରେ ଅନେକ ଭାରୀଯାନ ସମେତ ଅଧିକ ଲମ୍ବର ଯାନବାହନ ଗୁଡିକ ଚଳାଚଳ କରୁଥିବା ବେଳେ ଅଇଁଠାପାଲି ଛକରେ ଫଶି ରହିବା ନିୟମିତ ହୋଇଯାଇଛି। ଛକରେ ୪ଟି ରାସ୍ତା ଆସି ଏକ ସଙ୍ଗରେ ମିଶିଥିବା ବେଳେ ଛକଟି ଆବଶ୍ୟକତାରୁ କମ ଚୌଡା ରହିଥିବାରୁ ସବୁ ସମୟରେ ଗାଡି ଗୁଡିକ ମୋଡାଣିରେ ବୁଲି ନ ପାରି ଫଶି ଯାଉଛନ୍ତି ଏବଂ ଟ୍ରାଫିକ ଜାମ ସହିତ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନିର ଅନେକ ନଜୀର ରହିଛି। ଏହି ଅଞ୍ଚଳରେ ଟ୍ରାଫିକ ପୁଲିସ ନିୟୋଜିତ ହୋଇଥିଲେ ସୁଦ୍ଧା ସେମାନେ ସିଂହଭାଗ ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବାରେ ବିଫଳ ରହୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଜନତା ହନ୍ତସନ୍ତ ହେବାକୁ ବାଧ୍ୟ ହେଉଛନ୍ତି। ଆଉ ୧୩ ଦିନ ପରେ ପାର୍ବଣ ଋତୁ ପବିତ୍ର ଗଣେଶ ପୂଜାରୁ ଆରମ୍ଭ ହେବାକୁ ଥିବା ବେଳେ ସଂସ୍କୁତି ଓ ଐତିହ୍ୟ ସମ୍ପନ୍ନ ସମ୍ବଲପୁର ସହରର ଜନସଂଖ୍ୟା ଓ ଯାନବାହନକୁ ଦେଖିଲେ ଏହି ପୁରାତନ ସହର ମଧ୍ୟରେ ସ୍ଥାନାଭାବ ଦେଖାଦେଉଛି। ଏଥି ସହ ସହର ମଧ୍ୟରେ ବହୁ ସ୍ଥାନ ଜବରଦଖଲକାରୀଙ୍କ କବଜାରେ ରହିଥିବାରୁ ଟ୍ରାଫିକ ସମସ୍ୟା ଦିନ କୁ ଦିନ ଭୟଙ୍କର ରୁପ ନେବାରେ ଲାଗିଛି। ସହରରେ ଶୈବ ଓ ଶକ୍ତି ପୂଜାର ପରମ୍ପରା ସହିତ ବୈଷ୍ଣବ ପୂଜାର ପରମ୍ପରା ରହିଛି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏବେ ଲୋକେ ଆଗକୁ ଥିବା ବିଭିନ୍ନ ପର୍ବପର୍ବାଣ ଗୁଡିକୁ ପାଳନ ନିମନ୍ତେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ତେବେ ଖୁସି ମନରେ ଘରୁ ବାହାରୁଥିବା ଜନତା ସହରର ଟ୍ରାଫିକ ବ୍ୟବସ୍ଥା ଓ ଜାମରେ ଫଶି ରହି ବେହାଲ ହେବାର ଆଶଙ୍କାରେ ରହିଛନ୍ତି। ପୁଲିସ ଖାମଖିଆଲୀ ଓ ଢ଼ିଲା ମନୋବୃତ୍ତି ଯୋଗୁଁ ଲୋକେ ଟ୍ରାଫିକ ଜାମରେ ଫସି ହନ୍ତସନ୍ତ ହେଉଥିବା ବେଳେ ପାର୍ବଣ ଋତୁର ଆରମ୍ଭରୁ ଯଦି ଏଭଳି ଅବସ୍ଥା ରହିଛି, ତାହା ହେଲେ ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିବ ବୋଲି ଜନତା ଚିନ୍ତାରେ ରହିଛନ୍ତି। ଏଣୁ ଜନତାଙ୍କ ସୁବିଧା ପାଇଁ ପାର୍ବଣ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସବୁ ମହଲରେ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories