www.samajalive.in
Saturday, December 13, 2025
26.1 C
Bhubaneswar

ଅବ୍ୟବସ୍ଥା ଘେରରେ ଆଠଗଡ ଥାନା ; ଆଇଆଇସି ପଦବୀ ଦେଢମାସ ହେବ ଖାଲି

ଆଠଗଡ :  କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଆଠଗଡ ଥାନାଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଗତ ଦେଢମାସ ହେବ ଏଠାରେ ଭାରପ୍ରାପ୍ତ ନିରୀକ୍ଷକ ପଦବୀ ଖାଲି ରହିଥିବାବେଳେ ଅନ୍ୟାନ୍ୟ ବହୁ ପଦବୀ ମଧ୍ୟ ଖାଲି ପଡିଛି । ଆଠଗଡ ବ୍ଲକର ୧୮ଟି ପଞ୍ଚାୟତ ଓ ଏନଏସିର ୧୮ଟି ୱାର୍ଡରେ ବସବାସ କରୁଥିବା ପ୍ରାୟ ଦେଢ ଲକ୍ଷରୁ ଅଧିକ  ଲୋକ ଏହି ଥାନା ଉପରେ ନିର୍ଭରଶୀଳ। ରାଜନୈତିକ ଦୃଷ୍ଟିକୋଣରୁ ଆଠଗଡ ଥାନା ଅଞ୍ଚଳ ବେଶ୍‌‌ ସମ୍ବେଦନଶୀଳ। ଅଧିକାଂଶ ସମୟରେ ବିଭିନ୍ନ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ବୋମାମାଡ ଓ ବିଭିନ୍ନ ଗଣ୍ଡଗୋଳ ଘଟୁଥିବା ଦେଖାଯାଉଛି । ଏହାଛଡା ଆଠଗଡ ସହରକୁ ଯୋଗାଯୋଗ ବ୍ୟବସ୍ଥା ବହୁ ଉନ୍ନତ ହୋଇଥିବାବେଳେ ବିଭିନ୍ନ ବଡ ବଡ ସହରରୁ ଆଠଗଡକୁ ସଂଯୋଗୀ ରାସ୍ତା ରହିଥିବାବେଳେ ସେ ସବୁ ରାସ୍ତାରେ ପ୍ରାୟ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟୁଛି । ତତ୍‌‌ସହିତ ଏହି ସବୁ ରାସ୍ତାରେ ଚୋରି, ରାହାଜାନୀ, ଡକାୟତି ଭଳି ଅପରାଧ ବଢି ଚାଲିଛି । ଆଠଗଡ ସହର ଓ ବିଭିନ୍ନ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ମଧ୍ୟ ବଢିଚାଲିଛି । ଏହାଛଡା ଏ ଅଞ୍ଚଳରେ ଚୋରା ଦେଶୀମଦ ପ୍ରସ୍ତୁତି ଏକ କୁଟୀର ଶିଳ୍ପରେ ପରିଣତ ହେବା ସହିତ ଚୋରା ମାଦକ ଦ୍ରବ୍ୟ ଯଥା ଗଞ୍ଜେଇ ଓ ଧଳା ଜହର କାରବାର ବଢିଚାଲିଛି । ଏ ସବୁ ମଧ୍ୟରେ ଗତ ଜୁଲାଇ ୧୨ତାରିଖରୁ ଏଠାରେ ଆଇଆଇସି ପଦବୀ ଖାଲି ରହିଛି। ଏଠାରେ କାର୍ଯ୍ୟରତ ଆଇଆଇସି ବାମଦେବ ସ୍ୱାଇଁଙ୍କର ପୁରୀ ଜିଲ୍ଲା ନିମାପଡାକୁ ବଦଳି ହେବା ପରେ ଏଠାରେ କାହାକୁ ନୂତନ ଆଇଆଇସି ଭାବେ ନିଯୁକ୍ତି ମିଳିନାହିଁ । ଜଣେ ଉପନିରୀକ୍ଷକ ଦୀର୍ଘ ଦେଢମାସ ହେଲା ଥାନାର ଭାରପ୍ରାପ୍ତ ନିରୀକ୍ଷକ ଦାୟିତ୍ୱ ତୁଲାଉଛନ୍ତି । ଏହି ଥାନାରେ ଗୋଟିଏ ଉପନିରୀକ୍ଷକ ପଦବୀ ସମେତ ୮ଟି କନେଷ୍ଟବଳ ପଦବୀ ମଧ୍ୟ ଦୀର୍ଘକାଳ ହେଲା ଖାଲି ପଡିଛି । ଥାନା ଗୃହରେ ସ୍ଥାନାଭାବ ଦେଖା ଦେଇଥିବାବେଳେ ଥାନା ଛାତରୁ ବର୍ଷା ସମୟରେ ଅହରହ ପାଣି ଝରଉଛି । ଥାନା ଅଧିକାରୀ ଓ କର୍ମଚାରୀଙ୍କ ବସିବା ପାଇଁ ସ୍ଥାନାଭାବ ସାଙ୍ଗକୁ ସେମାନଙ୍କ ରହିବା ପାଇଁ ମଧ୍ୟ ସରକାରୀ ଆବାସ ଯଥେଷ୍ଟ ନାହିଁ । ବିଭିନ୍ନ ସମୟରେ ଜିଲ୍ଲା ମୁଖ୍ୟାଳୟରୁ ଆସୁଥିବା ପୁଲିସ ଫୋର୍ସଙ୍କ ରହିବା ପାଇଁ ବାରାକ୍‌‌ ଘର ନଥିବାରୁ ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରାଯାଉଥିବାରୁ ବିଦ୍ୟାଳୟରେ ମଧ୍ୟ ସ୍ଥାନାଭାବ ଦେଖା ଯାଉଛି । ଆଠଗଡ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ମୁଖ୍ୟ ଦପ୍ତରର ନୂତନ ଥାନା ଗୃହ ନିର୍ମାଣ ପାଇଁ ରାଜସ୍ୱ ପ୍ରଶାସନକୁ ସହର ମଧ୍ୟରେ ବା ଅତି ନିକଟରେ ଜମି ଯୋଗାଇ ଦେବା ପାଇଁ ପୁଲିସ ବିଭାଗ ପକ୍ଷରୁ ଆଠଗଡ ରାଜସ୍ୱ ପ୍ରଶାସନକୁ ଆବେଦନ କରାଯାଇଥିଲେ ମଧ୍ୟ ଉପଯୁକ୍ତ ଜମି ଯୋଗାଇ ଦିଆଯାଇ ନଥିବାରୁ ଥାନା ଗୃହ ନିର୍ମାଣ ହୋଇପାରୁନାହିଁ। ଥାନାର ଆଇଆଇସି ପଦବୀ ସହିତ ଖାଲିପଡିଥିବା ଅନ୍ୟାନ୍ୟ ପଦବୀ ଯଥାଶୀଘ୍ର ପୂରଣ କରିବା ଏବଂ ନୂତନ ଥାନା ଗୃହ ପାଇଁ ଆବଶ୍ୟକୀୟ ଜମି ଯୋଗଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories