www.samajalive.in
Saturday, December 6, 2025
19.1 C
Bhubaneswar

ଶହେବର୍ଷ ତଳର ହାଟ ବଦଳାଇଛି ଠିକଣା; କର୍ପୂର ଉଡ଼ିଛି କନା ପଡ଼ିଛି

ପାତ୍ରପୁର: ବ୍ରିଟିଶ ଶାସନ କାଳରେ ପାତ୍ରପୁର ଅଞ୍ଚଳର ସୁରଙ୍ଗୀ ଏବଂ ଜରଡ଼ା ଅଞ୍ଚଳରେ ଦୁଇ ଜଣ ଗଡ଼ଜାତ ରାଜା(ଜମିଦାର) ଶାସନ କରୁଥିଲେ। ସେହି ସମୟରେ ଅଞ୍ଚଳର ଲୋକଙ୍କ ପାଇଁ ବଜାର ସୁବିଧା ନଥିବା ଫଳରେ ଜିନିଷ କିଣା ବିକାରେ ଅସୁବିଧା ଦେଖା ଦେଉଥିଲା। ଯାହାକୁ ନେଇ ଶହେ ବର୍ଷ ପୂର୍ବେ ଦୁଇ ରାଜା ନିଜ ଅଞ୍ଚଳରେ ସାପ୍ତାହିକ ହାଟ ପ୍ରତିଷ୍ଠା କରି ଲୋକଙ୍କ ପାଇଁ ବଜାର ସୁବିଧା କରିଥିଲେ। ହାଟ ପ୍ରତିଷ୍ଠାର କିଛି ବର୍ଷ ମଧ୍ୟରେ ଦୁର୍ଗମ ଅଞ୍ଚଳରୁ ବିକ୍ରି ନିମନ୍ତେ ଆସୁଥିବା ସୁରଙ୍ଗୀ କମଳା ଦେଶରେ ଖ୍ୟାତି ଅର୍ଜନ କରିଥିଲା। ସୁରଙ୍ଗୀରେ ସୋମବାର ଏବଂ ଜରଡ଼ାରେ ଗୁରୁବାର ହାଟ ବସୁଥିଲା। ସେହି ସମୟରେ ଅଂଚଳର ବିଭିନ୍ନ ଗ୍ରାମକୁ ରାସ୍ତାଟିଏ ନଥିଲା। ଏପରିକି ରାସ୍ତାରେ ନଦୀ ନାଳ ପାର କରିବା ସହ ହିଂସ୍ର ଜନ୍ତୁଙ୍କ ଆକ୍ରମଣ ଭୟ ଥିଲା। ଫଳରେ ଲୋକମାନେ ନିଜର ଉତ୍ପାଦିତ ପନିପରିବାଠାରୁ ଆରମ୍ଭକରି ବିଭିନ୍ନ ଜିନିଷ ଏହି ହାଟରେ ବିକ୍ରି କରିବା ସହ ନିଜର ଆବଶ୍ୟକ ଜିନିଷ କିଣି ସପ୍ତାହକ ପାଇଁ ନେଉଥିଲେ। ବିଶେଷ କରି ଦୁର୍ଗମ ଅଂଚଳର ଲୋକମାନେ ଏହି ହାଟ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରୁଥିଲେ। ସୁରଙ୍ଗୀ ଗ୍ରାମଠାରୁ ଅନତି ଦୂର ବଗୀ ନଦୀ ଅପର ପାର୍ଶ୍ୱ ତୋଟାରେ ହାଟ ବସୁଥିଲା।

ସେହିପରି ଜରଡ଼ା ଗ୍ରାମରେ ପୁଲିସ ଥାନା ନିକଟରେ ହାଟ ବସୁଥିଲା। ଲୋକମାନେ ମୁଣ୍ଡ ବୋଝ ଭାର ଶଗଡ଼ ଯୋଗେ ନିଜର ଜିନିଷ ବୋହି ଆଣି ବିକ୍ରି କରୁଥିଲେ। ଉଭୟ ହାଟକୁ ପଡୋଶୀ ଆନ୍ଧ୍ରର ବେପାରୀମାନେ ବିଭିନ୍ନ ସାମଗ୍ରୀ ଯେପରିକି ଶୁଖୁଆ, ପଘା, ଦଉଡି, ନଡ଼ିଆ ଆଦି ଆଣି ବିକ୍ରି କରୁଥିଲେ। ଏପରିକି ଅଂଚଳର ଚାଷୀମାନେ ନିଜ ଉତ୍ପାଦିତ ପନିପରିବାଠାରୁ ଆରମ୍ଭ କରି ଫଳମୂଳ, ଦେଶୀ କୁକୁଡା ବିକ୍ରି କରି ଭଲ ଦି ପଇସା ରୋଜଗାର କରୁଥିଲେ। ଅଞ୍ଚଳରେ ଥିବା କୁଟୀର ଶିଳ୍ପରୁ ମାଟି ତିଆରି ଜିନିଷ ଲୁଗା ପଟା କଂସା ବାସନ ସାମଗ୍ରୀଠାରୁ ଆରମ୍ଭ କରି ଯାବତୀୟ ଘର କରଣା ଜିନିଷ ବିକ୍ରି ହେଉଥିଲା। ଲୋକମାନେ ମାଙ୍ଗଳିକ କାର୍ଯ୍ୟ ହୋମ ଯଜ୍ଞ ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଏହି ହାଟରୁ ସଂଗ୍ରହ କରୁଥିଲେ। ତେବେ ଏହି ଦୁଇ ହାଟରେ ପ୍ରସିଦ୍ଧ ସୁରଙ୍ଗୀ କମଳା ରାଜ୍ୟ ତଥା ରାଜ୍ୟ ବାହାରର ଲୋକମାନେ କିଣିବା ପାଇଁ ମାର୍ଗଶୀର ମାସକୁ ଅପେକ୍ଷା କରୁଥିଲେ। ଅଞ୍ଚଳର ଦୁର୍ଗମ ପାହାଡ଼ରେ ଥିବା ଆଦିବାସୀ ଗ୍ରାମ ତିତିରି ସିଙ୍ଗି, ଆଙ୍କୁଲି, ଅଲିଅର, ଜଳିଅର, ବୁରସାହି, କୁରୁଗୁଡ଼, ମହାଲିମ୍ବ ପ୍ରଭୃତି ଗ୍ରାମମାନଙ୍କରେ ପ୍ରଚୁର ମାତ୍ରାରେ କମଳା ଆଦାୟ ହେଉଥିଲା। ଲୋକମାନେ ସୁରଙ୍ଗୀ ହାଟ ପୂର୍ବ ଦିନ ମୁଣ୍ଡ ବୋଝରେ ଗାଁରୁ କମଳା ଟୋକେଇରେ ଭରି ଦୁର୍ଗମ ଅଞ୍ଚଳରୁ ବୋହି ଆଣି ସନ୍ଧ୍ୟାରେ ଖାରିଆଗୁଡା ପହଞ୍ଚି ରାତ୍ରୀ ରହଣି କରି ବିଶ୍ରାମ ନେଇଥା’ନ୍ତି। ଏହାପରେ ଭୋର ସମୟରେ ଉଠି ରୋଷେଇ କରି ଖାଇବା ପରେ ସୁରଙ୍ଗୀ ହାଟକୁ କମଳା ଧରି ଯାଇ ଥାଆନ୍ତି। ଏପରିକି ପ୍ରକୃତିର ଦାନ ମହୁଲ, ଟୋଲ, କରଞ୍ଜ, ତେନ୍ତୁଳି, ଫୁଲ ଝାଡୁ, ଅଳା, ହରଡ଼ା, ବାହାଡ଼ା, ଭାଳିଆ ପ୍ରଭୃତି ଜଙ୍ଗଲଜାତ ଜିନିଷ ହାଟରେ ଆଦିବାସୀମାନେ ବିକୁଥିଲେ। ଲୋକମାନେ ହାଟରୁ କମଳା କିଣି ବଡ଼ ବଡିଆ ରାଜନେତା ପଦାଧିକାରୀଙ୍କୁ ଭେଟି ଆକାରରେ ଦେଉଥିଲେ। ଯାହା ଫଳରେ ଦୁର୍ଗମ ଆଦିବାସୀ ଅଂଚଳର ଲୋକମାନେ ଭଲ ଦି ପଇସା ରୋଜଗାର କରୁଥିଲେ। ତେବେ ଆଦିବାସୀ ଅଂଚଳରେ ପନିପରିବା ଅଭାବ ଯୋଗୁଁ ଲୋକମାନେ ଆନ୍ଧ୍ରରୁ ଆସୁଥିବା ଶୁଖୁଆ ସଂଗ୍ରହ କରି ବ୍ୟବହାର ପାଇଁ ନେଉଥିଲେ। ଜିନିଷ ବିକ୍ରି ପାଇଁ(ପାନୁ) କର ଆଦାୟ କରିବା ସହିତ ସେହି ସ୍ଥାନର ଉନ୍ନତି ନିମନ୍ତେ ବିନିଯୋଗ ହେଉଥିଲା।

- Advertisement -

ପରବର୍ତ୍ତୀ ସମୟରେ ଗତ କିଛି ବର୍ଷ ପୂର୍ବେ ସରକାର ଖରା ବର୍ଷାରେ ହାଟକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ବିକ୍ରି ବଟା ପାଇଁ ପକ୍କା ଘର ନିର୍ମାଣ କରିଥିଲେ। ବିଭିନ୍ନ ଗ୍ରାମକୁ ରାସ୍ତା ଖୋଲିବା ପରେ ଜିନିଷ ଗାଡ଼ିରେ ନେଇ ଘର ଦୂଆରେ ବିକ୍ରି ହେଉଛି। ଏପରିକି ଅଞ୍ଚଳର ପାହାଡ଼ ତଳରେ ତିନୋଟି ନୂଆ ହାଟ ଖୋଲିଛି। ଯାହା ଫଳରେ ଏହି ହାଟରେ ପୂର୍ବ ପରି ଭିଡ ଦେଖିବାକୁ ମିଳୁ ନଥିବା ବେଳେ ଏବେ ଦୁଇ ହାଟର ବିକ୍ରି କମିବା ସହ ସ୍ଥାନ ବଦଳି ନୂଆ ଠିକଣା ରାଜ ଦାଣ୍ଡ ପାଲଟିଛି । ତେବେ ପୂର୍ବ ଭଳି ବର୍ଷା ଶୀତର ପରିମାଣ କମିବା ପରେ ପାହାଡ଼ ଉପରେ ଆଦାୟ ହେଉଥିବା କମଳା ଆଦାୟ ହ୍ରାସ ପାଇଛି। ଅଞ୍ଚଳରେ କୁଟୀର ଶିଳ୍ପ ହଜିବାକୁ ବସିଥିବା ବେଳେ କିଛି ଗ୍ରାମରେ ମାଟିରେ ଜିନିଷ ନିଜ କୌଳିକ ବୃତ୍ତି ଜାରି ରଖି ହାଟକୁ ନେଉଛନ୍ତି। ଆନ୍ଧ୍ରର କିଛି ବୟସ୍କାଙ୍କ ସହିତ କଲେଜ ପଢୁଆ ଝିଅ ପୂର୍ବ ଭଳି ନିଜର ବେପାର ଜାରି ରଖିଛନ୍ତି। ଶହେ ବର୍ଷ ପୂର୍ବେ ରଜା ରାଜୁଡା ଅମଳରୁ ଆରମ୍ଭ ହୋଇ ସୁରଙ୍ଗୀ କମଳା ପାଇଁ ଦେଶରେ ଖ୍ୟାତି ଅର୍ଜନ କରିଥିବା ହାଟ ଏବେ କନା ପଡ଼ି କର୍ପୂର ଉଡ଼ି ଯାଇଥିବା ବେଳେ ପୁରୁଣା ସ୍ମୃତିକୁ ମନେ ପକାଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories