ସଙ୍କଟରେ କୁମ୍ଭକାର ପରିବାର…… ମଉଳି ଯାଇଛି କୂଳ ବେଉସାର ନିଶା
ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ୱାର୍ଡ ନଂ ୩ ଭାଲୁପାଲି ଗାଆଁରେ ରୁହନ୍ତି ୭ରୁ ଆଠ କୁମ୍ଭକାର ପରିବାର । କୂଳବେଉସାକୁ ପାଥେୟ କରି ବଞ୍ଚିବାର ଆଶା ଆଜି ଏମାନଙ୍କ ମନରୁ ମଉଳି ଯାଇଛି । ସମୟର ପରିବର୍ତ୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା । ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତ୍ତା ହରାଇ ବସିଛି । ଫଳରେ ଏମାନେ ବିକାଶର ବିପରୀତ ଦିଗକୁ ଗତି କରି ବସିଲେଣି । ମାଟିରେ ତିଆରି ଦ୍ରବ୍ୟ ଗୁଡିକର ଅତ୍ୟାଧିକ ଗୁଣବତ୍ତା ଥିଲେ ବି ଏଗୁଡିକର ଚାହିଦା ଦିନକୁ ଦିନ କମିବାରେ ଲାଗିଛି। ଏଣୁ ଅନେକ କୁମ୍ଭାର ବଂଚିବା ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି ।
କେତେକ ମାଟି ସହ ମାଟି ହୋଇ ମରିବାକୁ ବସିଲେଣି ହେଲେ କିଛି ପୁରୁଣା ଖିଆଲର ଲୋକେ କୌଳିକ ବୃତ୍ତିକୁ ଆପଣେଇ ଶାଗ ପଖାଳରେ ବି ଚଳେଇ ନିଅନ୍ତି ପରିବାର । ଏପରି ଏକ ପରିବାର ଏହି ଗ୍ରାମରେ ଆଜି ବି ନିଜର କୁଳ ବେଉସାକୁ ଛାଡି ନାହାନ୍ତି।ବଞ୍ଚାଇ ରଖିଛନ୍ତି ତାଙ୍କର ପୂର୍ବ ପୁରୁଷର ବୃତ୍ତିକୁ । ଏଇ ପରିବାରର ମୁଖ୍ୟ ନନ୍ଦଳାଳ ରଣା,ବୟସ ୪୮ ବର୍ଷ । ତାଙ୍କୁ ଯେତେବେଳେ ୧୨ ବର୍ଷ ହେଉଥିଲା ,ପିତାଙ୍କର ଆର୍ଥିକ ସ୍ଵଛଳତା ବଢ଼େଇବା ପାଇଁ ସେ ବାପାଙ୍କ ପାଖରେ ରହି ସବୁ କାମ ଶିଖୁଥିଲେ ଓ ତାଙ୍କୁ ସାହାଯ୍ୟ କରୁଥିଲେ । ପାଠ ପଢାରେ ଇଚ୍ଛା ଥିଲେ ମଧ୍ୟ ପରିବାରର ପରିସ୍ଥିତି ତାଙ୍କୁ ଅଧିକ ପଢ଼ିବା ପାଇଁ ସୁଯୋଗ ଦେଇ ନଥିଲା । କିନ୍ତୁ ସେତେବେଳେ ମାଟିରେ ତିଆରି ଜିନିଷର ବେଶ୍ ଚାହିଦା ଥିଲା । ଲୋକମାନେ କାଠ ଚୁଲିରେ ରୋଷେଇ କରୁଥିଲେ। ହାଣ୍ଡିରେ ମୁଢ଼ି ଭାଜୁଥିଲେ । ବାହାଘର ବ୍ରତ ଘର ସମୟରେ ମିଠା ,ଖଜା ଆଦି ବଡ ବଡ଼ ହାଣ୍ଡି ମାନଙ୍କରେ ରଖୁଥିଲେ । ଛୋଟ ଛୋଟ ଝିଅ ମାନେ ମାଟି କଣ୍ଢେଇ ଖେଳୁଥିଲେ । ତେଣୁ ଦି ପଇସା ରୋଜଗାର ହେଉଥିଲା । ଗାଆଁର ପୋଖରୀ ହୁଡ଼ାରୁ ସହଜରେ ମାଟି ମିଲିଯାଉଥିଲା । ତେଣୁ କିଛି ଅସୁବିଧା ନଥିଲା । ତାଙ୍କ ପିତା ରାଜେନ୍ଦ୍ର ରଣା ୭୦ ବର୍ଷ ବୟସ ପର୍ୟ୍ୟନ୍ତ ଏହି କାମ କରୁଥିଲେ । ଏବେ ସେ ଆଉ କରିପାରୁ ନାହାନ୍ତି। ଚାଳ ଛପର ଘରରେ ଏକ କୁମ୍ଭାର ଶାଳ ନିର୍ମାଣ କରି ଏବେ ଏହାକୁ ସେ ସମ୍ଭାଳିଛନ୍ତି।
ମାଟିକୁ ବହୁ ପରିଶ୍ରମ ବଳରେ ବିଭିନ୍ନ ଆକୃତିରେ ରୂପାନ୍ତର କରି , ହାଣ୍ଡି , କଳସି ,ଦୀପ , ରୁଖା , ଉମ୍ଭେଇ ଆଦି ସାମଗ୍ରୀ ତିଆରି କରନ୍ତି । ତାକୁ ନିଆଁରେ ପୋଡି ଥଣ୍ଡା ହେଲେ ଦ୍ରବ୍ୟ ଗୁଡିକ ସାଇତି ରଖନ୍ତି ଶାଳରେ । କିନ୍ତୁ ଆଜି ମାଟି ବି କିଣିବାକୁ ପଡୁଛି । ଖରମୁଣ୍ଡା, କମଗାଁ ଆଦି ଗାଆଁ ରୁ ମାଟି କିଣିବାକୁ ପଡୁଛି । ଗୋଟିଏ ଟଳି ମାଟିର ଦ।ମ୍ ୫୦୦୦ ଟଙ୍କା । ଦୁଇ ଟଳି ମାଟିରେ ବର୍ଷ ସାରା କାମ କରୁଛନ୍ତି । ସେଥିରୁ ଯାହା ମିଳୁଛି।
ଆଜିକାଲି ଆଉ କେହି ଖପର ଘରେ ରହୁ ନାହାନ୍ତି । ତେଣୁ ମାଟି ହାଣ୍ଡି , ଖପର ତିଆରି ବନ୍ଦ ହୋଇ ଯାଇଛି । କେବଳ ଗଣେଶ ପୂଜା,ସରସ୍ଵତୀ ପୂଜା ,ବିଶ୍ଵକର୍ମା ପୂଜା ତଥା ବାହାଘର ବ୍ରତଘରରେ ଲାଗୁଥିବା ମାଟି ଦୀପ ଆଦି ସାମଗ୍ରୀ ମାତ୍ର ତିଆରି କରୁଛନ୍ତି । ଫ୍ରିଜ୍ ଯୋଗୁଁ ମାଠିଆ ର ଚାହିଦା ମଧ୍ୟ କମିଯାଇଛି । ବର୍ଷକୁ ମାତ୍ର ୭୦ ହଜାର ଟଙ୍କା ଆୟ କରୁଛନ୍ତି । ସେଥିରୁ ମାଟି ତଥା ଅନ୍ୟ ଖର୍ଚ୍ଚକୁ କାଟି ବାକି ଯାହା ମିଳୁଛି କଷ୍ଟେ ମଷ୍ଟେ ପରିବାର ଚଳୁଛନ୍ତି । ପୁଅ ଏବେ ମାଟ୍ରିକ ପାସ କରିଛି । କଲେଜରେ ପାଠ ପଢେଇବା ପାଇଁ ବାପା ଇଚ୍ଛା କରିଛନ୍ତି ,ହେଲେ ଅର୍ଥ ବାଧକ ହେଉଛି ।
ଦର ଦମ୍ ବୃଦ୍ଧିକୁ କୁଳ ବେଉସା ଉପରେ ସମୟର ତାଡନା ତାଙ୍କର ଜୀବନ ଜୀବିକା କୁ ଏବେ ବେଶ୍ ପ୍ରଭାବିତ କରିଛି । ରାସନ୍ କାର୍ଡ ରେ ମିଳୁଥିବା ସରକାରୀ ଦେୟ ଚାଉଳ ସାଙ୍ଗକୁ ଟିକିଏ ଲୁଣ ଲଙ୍କାରେ ସରୁଛି ଏମାନଙ୍କ ଦିନ । କିନ୍ତୁ ଅଧୁନା ନିଜ ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପରିବାରର ମୁରବି ନନ୍ଦଲାଲ। ଦୁର୍ଦଶା ଭିତରେ ରହି ସରକାରଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ।
Comments are closed.