www.samajalive.in
Sunday, December 14, 2025
23.1 C
Bhubaneswar

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଆଲୋଚନା ବିଫଳ : ବାହାନା ଦେଖାଇଲା ଆନ୍ଧ୍ର

ନନ୍ଦପୁର : କୋରାପୁଟ ଜିଲା ନନ୍ଦପୁର ବ୍ଲକର ରାଇପାହାଡ଼କୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରି ନାହିଁ। ଗୁରୁବାର ଚାଟୁଆଠାରେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଦ୍ୱିତୀୟ ବୈଠକ ହୋଇଥିଲା। ଓଡ଼ିଶା ସହ ପୁଣି ବାହାନା ଦେଖାଇ ଖେଳ ଖେଳିଛି ଆନ୍ଧ୍ର। ଆୟୋଜିତ ବୈଠକକୁ କୌଣସି କାଗଜପତ୍ର ନ ଆଣି ଖାଲି ହାତରେ ଆନ୍ଧ୍ର ଅଧିକାରୀ ଆସିଥିଲେ। ଯାହା ଓଡ଼ିଶା ପ୍ରଶାସନର ତତ୍ପରତାକୁ ଶିଥିଳ କରି ଦେଇଛି। ଅଳ୍ପଦିନ ମଧ୍ୟରେ ଆବଶ୍ୟକ ଓଡ଼ିଶା-ଆନ୍ଧ୍ର ସୀମାନ୍ତର ଜଙ୍ଗଲ ଓ ରାଜସ୍ବ ମାନଚିତ୍ର ଯୋଗାଡ଼ କରିବେ ଓ ନିଜ ଆଡ଼ୁ ତୃତୀୟ ବୈଠକ ପାଇଁ ଖବର ଦେବେ ବୋଲି ଆନ୍ଧ୍ର ଅଧିକାରୀମାନେ କହିଛନ୍ତି। ଫଳରେ ନନ୍ଦପୁର ବ୍ଲକ ସୀମାନ୍ତରେ ଚାଟୁଆ ଫରେଷ୍ଟ ରେଷ୍ଟ୍ ହାଉସରେ ଆୟୋଜିତ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ବୈଠକ ବିଫଳ ହୋଇଛି। ରାଇପାହାଡ ଗଁାରେ ଆନ୍ଧ୍ର ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ କାର୍ଯ୍ୟ ଓ ମନରେଗା ଯୋଜନାରେ କରାଯାଉଥିବା ବିଭିନ୍ନ କାର୍ଯ୍ୟ ବନ୍ଦ କରିବାକୁ ଓଡ଼ିଶା ପ୍ରଶାସନିକ ଅଧିକାରୀମାନେ ଆନ୍ଧ୍ର ଅଧିକାରୀଙ୍କୁ କହିଥିଲେ। ଅନ୍ୟପଟେ ଉକ୍ତ ଉନ୍ନୟନ କାର୍ଯ୍ୟ ବନ୍ଦ କରିବାକୁ ଆମର ଅଧିକାର ନାହିଁ। କାର୍ଯ୍ୟ ବନ୍ଦ କରିବାର କର୍ତ୍ତୃପକ୍ଷ ଆମେ ନୁହେଁ ବୋଲି ଆନ୍ଧ୍ରର ଅଧିକାରୀମାନେ କହିଥିଲେ। ସୀମାନ୍ତ ଗ୍ରାମରେ ଅନୁପ୍ରବେଶ ଓ ଉନ୍ନୟନ କାର୍ଯ୍ୟ ବନ୍ଦ କରିବାକୁ ଆନ୍ଧ୍ର ଅଧିକାରୀମାନେ ନିଜର ଅସହାୟତା ପ୍ରକାଶ କରିଥିଲେ। ଆଲୁରୀ ସିଥାରମଣ ଜିଲାପାଳଙ୍କ ସମେତ ଅନ୍ୟ ଉପରିସ୍ଥ ଅଧିକାରୀଙ୍କୁ ମାନଚିତ୍ର ଦେବାକୁ ଅନୁରୋଧ କରିଛୁ। ମାନଚିତ୍ର ଦେଲେ ଆପଣଙ୍କୁ
ଆଣି ଦେଖାଇବୁ ବୋଲି କହିଥିଲେ। ରାଇପାହାଡ ଗ୍ରାମରେ ଓଡ଼ିଶାର ଗ୍ରାମବାସୀଙ୍କୁ ଆନ୍ଧ୍ର ତରଫରୁ କେଉଁ କେଉଁ ଯୋଜନାରେ ସାମିଲ କରାଯାଇଛି ସେହି ତାଲିକା ଆନ୍ଧ୍ର ଅଧିକାରୀମାନେ ପ୍ରଦାନ କରିଥିଲେ। ଯାହାକୁ ​‌ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଉପସ୍ଥିତ ଓଡ଼ିଶା ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧିମାନେ ନିନ୍ଦା କରିଥିଲେ। ବାହାନା ଦେଖାଇ ଆନ୍ଧ୍ର ପ୍ରଶାସନ ବିନା କାଗଜପତ୍ରରେ ବୈଠକକୁ ଆସି ଓଡ଼ିଶା ପ୍ରଶାସନ ଓ ସୀମାନ୍ତ ଗ୍ରାମବାସୀଙ୍କ ସହ ଛଳନା କରି ଖେଳୁଥିବା ଜଳଜଳ ହୋଇ ବାରି ହୋଇପଡିଛି। ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ କିଏ ଦାୟୀ ରହିବ ସେହି ପ୍ରଶ୍ନର ଉତ୍ତର ମଧ୍ୟ ଆନ୍ଧ୍ର ଅଧିକାରୀ ଦେଇପାରି ନ ଥିଲେ। ଆଗକୁ କୌଣସି ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ପଡିଲେ ଅନୁପ୍ରବେଶ କରୁଥିବା ଆନ୍ଧ୍ର ଅଧିକାରୀଙ୍କୁ ପୁଲିସର ଜିମା ଦେବାକୁ ଓଡ଼ିଶା ପ୍ରଶାସନ ତରଫରୁ କୁହାଯାଇଛି।
ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତର ରାଇପାହାଡ଼ ଗ୍ରାମରେ ଆନ୍ଧ୍ର ତରଫରୁ ୬ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୃହ ନିର୍ମାଣ କରାଯାଉଛି। ଓଡ଼ିଶା ଜଙ୍ଗଲରେ ଆନ୍ଧ୍ରର କଫି ଚାଷ, ଓଡ଼ିଶା ଜଙ୍ଗଲକୁ ନିଜର କହି ଆନ୍ଧ୍ରର ଜଙ୍ଗଲ ଜମିପଟ୍ଟା ପ୍ରଦାନ, ଆଧାର, ​‌େ​‌ରସନ୍, ଭତ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ପାଣି ଆଦି ସହାୟତା ରାଇପାହାଡ ଗ୍ରାମର ୧୫ ପରିବାରକୁ ଦେଇ ପ୍ରଲୋଭିତ କରୁଛି। ଏନେଇ କୋରାପୁଟ ଜିଲାପାଳ ଆନ୍ଧ୍ର ଆଲୁରୀ ସିଥାରମଣ ଜିଲାପାଳଙ୍କୁ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ କରି ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରିବାକୁ ପତ୍ର ଲେଖିଥିଲେ। ଗତ ୧୨ ତାରିଖରେ ରାଇପାହାଡ ଗ୍ରାମ ସୀମାରେ ଦୁଇ ପକ୍ଷର ଉପସ୍ଥିତରେ ହୋଇଥିବା ଆଲୋଚନାରେ କୌଣସି ସମାଧାନ ବାହାରି ପାରି ନ ଥିଲା। ଗୁରୁବାର ଦ୍ବିତୀୟ ବୈଠକରେ ମଧ୍ୟ ସାମାଧାନର ପନ୍ଥା ବାହାରିପାରି ନାହିଁ। ଆୟୋଜିତ ବୈଠକରେ ଓଡ଼ିଶା ତରଫରୁ କୋରାପୁଟ ଉପଜିଲାପାଳ ବେଣୁଧର ଶବର, ନନ୍ଦପୁର ତହସିଲଦାର ନରସିଂହ ଗାଦବା ଓ ରାଜସ୍ବ ଦଳ, ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଓ ପାଡୁଆ ପୁଲିସ ଦଳ, ବିଡିଓ ସୁଜିତ କୁମାର ମିଶ୍ର ଓ ବ୍ଲକ ପ୍ରଶାସନିକ ଦଳ, ବାଲଡ଼ା ବନାଞ୍ଚଳ ଅଧିକାରୀ ବାଦଲ କୁମାର ମହାନ୍ତି ଓ ଜଙ୍ଗଲ ବିଭାଗ କର୍ମଚାରୀ, ପଟାଙ୍ଗି ବିଧାୟକ ପ୍ରତିନିଧି ଗୋପାଳ କୃଷ୍ଣ ବେବର୍ତ୍ତା, ଜଗନ୍ନାଥ ପାଙ୍ଗି, କାମେସ କାମୁଡ଼ି ଗୋଲୁର ସରପଞ୍ଚ ସାବିତ୍ରୀ ବୁରୁଡି, ଚାଟୁଆ ସମିତି ସଭ୍ୟ କୃଷ୍ଣ ପାଙ୍ଗି ପ୍ରମୁଖ ଓଡ଼ିଶା ସୀମାନ୍ତରେ ଜଙ୍ଗଲ ଓ ରାଜସ୍ବ ବିଭାଗର ମାନଚିତ୍ର ଧରି ଉପସ୍ଥିତି ଥିଲେ। ଆନ୍ଧ୍ର ତରଫରୁ ଡୁମୁରିଗୁଡା ତହସିଲଦାର ସିଏଚ ନାଗାମା, ଅତିରିକ୍ତ ତହସିଲଦାର ଏସକେ ମୁଜିବ, ଡୁମୁରିଗୁଡା ଫରେଷ୍ଟ ସେକ୍ସନ ଅଧିକାରୀ ବି ପଥାଲୁରାଜୁ ପଡ଼ାଲ, ଏଫବିଓ ପି ଉଦୟ, ଡୁମୁରିଗୁଡା ଏସଏଚଓ କେ ସନ୍ତୋଷ ଓ କିଛି ରାଜସ୍ବ କର୍ମଚାରୀ ଆସିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories