www.samajalive.in
Sunday, December 14, 2025
14.1 C
Bhubaneswar

ସାପ କାମୁଡ଼ାରେ ବର୍ଷକୁ ଯାଉଛି ୧୦୦୦ ଜୀବନ

ଭୁବନେଶ୍ବର : ରାଜ୍ୟରେ କ୍ରମାଗତ ଭାବେ ଉଭୟ ସାପ କାମୁଡା ଓ ତଜ୍ଜନିତ ମୃତ୍ୟୁ ବୃଦ୍ଧି ପାଉଥିବା ଜଣାପଡ଼ିଛି। ବର୍ଷା ଦିନ ଆସିବା ପରେ ଏବେ ସାପ କାମୁଡା ଭୟ ବଢିଛି। ରାଜ୍ୟରେ ପ୍ରତିବର୍ଷ ସାପ କାମୁଡା ଦ୍ବାରା ପ୍ରାୟ ୮୦୦ରୁ ୧୦୦୦ ଜୀବନ ଯାଉଛି। ସାପ କାମୁଡ଼ିବା ପରେ କାଳବିଳମ୍ବ ନ କରି ତୁରନ୍ତ ଚିକିତ୍ସା ପାଇଁ ‘ଗୋଲ୍‌ଡେନ ଆୱାର’ ଉପରେ ଗୁରୁତ୍ବ ଦିଆଯାଉଛି। ‌େକୗଣସି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ନ ହୋଇ ପୀଡ଼ିତଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟ ନେବା ଉଚିତ। ଏହାଦ୍ବାରା ମୂଲ୍ୟବାନ ଜୀବନ ବଞ୍ଚିଯାଇପାରିବ।
ବର୍ଷା ଦିନେ ଅଧିକ ସଂଖ୍ୟାରେ ସାପ ଦେଖାଦିଅନ୍ତି। ବାଡ଼ିବଗିଚା ଓ ଗାତରେ ବର୍ଷା ଜଳ ପଶିବା ଦ୍ବାରା ବାହାରକୁ ଆସନ୍ତି ଏବଂ ଘରେ ପଶିଥାନ୍ତି। ଏହାଛଡା ବନ୍ୟା ଓ ବାତ୍ୟା ସମୟରେ ଅଧିକ ସଂଖ୍ୟାରେ ସାପ ବାହାରିଥାନ୍ତି। ଆଘାତ ପାଇବା ପରେ ସାପ କାମୁଡ଼ିଥାନ୍ତି। ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ୮୦ ପ୍ରଜାତିର ସାପ ଦେଖା ଦେଇଥାନ୍ତି। ସେଥିମଧ୍ୟ‌ରୁ ୮ରୁ ୧୦ ପ୍ରକାର ବିଷଧର ଥାନ୍ତି। ଯେଉଁଥିରେ ନାଗ, ଚିତି, ରଣା, ଧୁଳିଆ ବୋଡା, ଚନ୍ଦନ ବୋଡା, ନାଉଡଙ୍କିଆ ଅଛନ୍ତି। ଏହି ସାପ କାମୁଡିବା ଦ୍ବାରା ମୃତ୍ୟୁ ଘଟିବାର ଶତ ପ୍ରତିଶତ ସମ୍ଭାବନା ଥାଏ। ସେହିପରି ସମୁଦ୍ର ସାପ ମଧ୍ୟ ଅତ୍ୟନ୍ତ ବିଷଧର। ସାପ କାମୁଡିବା ପରେ ତୁରନ୍ତ କାମୁଡ଼ିଥିବା ସ୍ଥାନକୁ ସଫା କରି ଶୀଘ୍ର ଡାକ୍ତରଖାନା ନେବା ଆବଶ୍ୟକ। ଡାକ୍ତରଖାନାରେ ମଧ୍ୟ ବିଷଧର ସାପ କି ନାହିଁ ଏହାର ଚିହ୍ନଟ ପ୍ରକ୍ରିୟା ପାଇଁ ପ୍ରାୟ ୩୦ ମିନିଟ ଲାଗିଥାଏ। ତେଣୁ ଅବହେଳା ନ କରି ତୁରନ୍ତ ଡାକ୍ତରଖାନା ଯିବା ଆବଶ୍ୟକ। ରାଜ୍ୟ ସରକାରଙ୍କ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ମାଗଣା କରାଯାଇଛି। ପରୀକ୍ଷାରୁ ନେଇ ଆଣ୍ଟିଭେନମ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଦିଆଯାଉଛି। ତେଣୁ କୌଣସି ଝଡ଼ାଫୁଙ୍କା ବା ଗୁଣିଗାରେଡ଼ି ନ କରି ଡାକ୍ତରଙ୍କ ନିକଟକୁ ନେବା ଉଚିତ୍‌। ରାଜ୍ୟରେ ଗଞ୍ଜାମ, ମାଲକାନଗିରି, ଦେବଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ମୟୂରଭଞ୍ଜ ଆଦି ଜିଲାରେ ସାପକାମୁଡା ଅନ୍ୟ ଜିଲା ଅପେକ୍ଷା ଅଧିକ ଦେଖାଯାଇଥାଏ। ଅନ୍ୟପକ୍ଷରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ତଥ୍ୟ ଅନୁସାରେ ୨୦୧୫-୧୬ରେ ସାପକାମୁଡ଼ା ଜନିତ ମୃତ୍ୟୁ ୫୨୨ ଥିବାବେଳେ ୨୦୨୦-୨୧ ସୁଦ୍ଧା ଏହି ସଂଖ୍ୟା ୧୧୫୯ରେ ପହଞ୍ଚିଛି। ସେହିପରି ୨୦୨୧-୨୨ରେ ମୃତ୍ୟୁ ସଂଖ୍ୟା ହଜାରେ ଉପରେ ଥିବା ଜଣାପଡ଼ିଛି। ୨୦୧୫ରୁ ୨୦୨୨ ସୁଦ୍ଧା ପାଖାପାଖି ୭ ହଜାରରୁ ଅଧିକ ଲୋକ ସାପକାମୁଡ଼ାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏନେଇ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ବର୍ଷର ସବୁ ସମୟରେ ସାପ କାମୁଡା ମାମଲା ଆସିଥାଏ। କିନ୍ତୁ ବର୍ଷା ଦିନେ ଅଧିକ ରହିଥାଏ। ସାପ କାମୁଡିବା ପରେ ତୁରନ୍ତ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ଦରକାର। ବିଶେଷ କରି ସୁବର୍ଣ୍ଣ ଘଣ୍ଟାକୁ ଦୃଷ୍ଟି ରଖି ରୋଗୀଙ୍କୁ ଚିକିତ୍ସା ସେବା ଦିଆଯିବା ଉଚିତ୍‌। ନ ହେଲେ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। କ୍ୟାପିଟାଲ ହସ୍ପିଟାଲ ଉପ-ଅଧୀକ୍ଷକ ଡା. ଧନଞ୍ଜୟ ଦାସ କହିଛନ୍ତି ବର୍ତ୍ତମାନ ସାପକାମୁଡ଼ା ଔଷଧ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଛି। ପ୍ରତିଦିନ ହସ୍ପିଟାଲକୁ ୪ ରୁ ୫ ସାପକାମୁଡା ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି। ଉପଯୁକ୍ତ ଚିକିତ୍ସା ଦିଆଯାଉଛି। ସାପ କାମୁଡିବା ମାତ୍ରେ ବିଳମ୍ବ ନ କରି ହସ୍ପିଟାଲ ଆଣି ଚିକିତ୍ସା କରିବା ଉଚିତ୍‌।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories