କେନ୍ଦୁଝରଗଡ଼: ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁରସ୍ଥିତ ବଟକୃଷ୍ଣ ବିଦ୍ୟାପୀଠରେ ଶନିବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ୪ଜଣ ଛାତ୍ରଛାତ୍ରୀଙ୍କୁ ବିଷାକ୍ତ ଚିତି ସାପ କାମୁଡିବାରୁ ୨ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ରାତି ପ୍ରାୟ ୩ଟାରେ ଏକ ବିଷାକ୍ତ ଚିତି ସାପକୁ ଛାତ୍ରଛାତ୍ରୀ ଶୋଇଥିବା ଘରେ ପଶିଥିବା ଜଣେ ଶିକ୍ଷୟିତ୍ରୀ ପ୍ରଥମେ ଦେଖିବା ପରେ ଉକ୍ତ ସାପଟିକୁ ପରବର୍ତ୍ତୀ ସମୟରେ ଖୋଜି ବାହାର କରି ମାରି ଦେଇଥିଲେ। ଏହାର କିଛି ସମୟ ପରେ ଭୋର ପ୍ରାୟ ୪ଟା ସମୟରେ ପ୍ରଥମେ ପଞ୍ଚମଶ୍ରେଣୀ ଛାତ୍ର ରାଜା ନାଏକ(୧୨) ମୋର ଦେହମୁଣ୍ଡ କ’ଣ ହୋଇଯାଉଛି କହିବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାର କିଛି ସମୟ ପରେ ତୃତୀୟଶ୍ରେଣୀ ଛାତ୍ରୀ ଏଲିନା ନାୟକ(୧୦) ଓ ସ୍ନେହାଶ୍ରୀ ନାଏକ(୧୧) ଅସୁସ୍ଥ ଅନୁଭବ କରିବା କହିବାରୁ ସେମାନଙ୍କୁ ମଧ୍ୟ କେନ୍ଦୁଝର ଅଣାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ରାଜା, ଏଲିନା ଓ ସ୍ନେହାଶ୍ରୀଙ୍କ ମୃତ୍ୟୁ ହେବାପରେ ପଞ୍ଚମଶ୍ରେଣୀ ଛାତ୍ର ଆକାଶ କୁମାର ନାଏକ ମଧ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି। ମୃତ ଛାତ୍ର ରାଜା ବାମେବାରୀ ଥାନା ଅଧିନ ନୟାଗଡ଼ ଗ୍ରାମର ମନୋଜ କୁମାର ନାଏକଙ୍କ ପୁଅ ହୋଇଥିବା ବେଳେ ଏଲିନା ଘଟଗାଁ ଥାନା ଅଧିନ ବରଗୁଡା ଚାନ୍ଦପଶି ସାହିର ଗୋବର୍ଦ୍ଧନ ନାୟକଙ୍କ ଝିଅ ଓ ସ୍ନେହାଶ୍ରୀ ବାରିଆ ଥାନା ଅଧିନ ପଦ୍ମପୁର ଗ୍ରାମର ଛତିଶ କୁମାର ନାଏକଙ୍କ ଝିଅ। ସେହିଭଳି କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଆକାଶ ବଡବିଲ ଥାନା ଅଧିନ ଠାକୁରାଣୀ ଗ୍ରାମର ଗୋଲକ ବିହାରୀ ନାଏକଙ୍କ ପୁଅ ବୋଲି ଜଣାପଡ଼ିଛି।
ଏହି ଘଟଣା ରବିବାର ସକାଳୁ ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଅଭିଭାବକ ପହଞ୍ଚି ନିଜ ନିଜ ପିଲାମାନଙ୍କୁ ନେଇ ପଳାଇ ଯାଇଥିବା ବେଳେ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣ ଛାତ୍ରଛାତ୍ରୀ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି। ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଚମ୍ପୁଆ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାୟକ ଓ ଚମ୍ପୁଆ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସାହୁ ନିଶ୍ଚିନ୍ତପୁରଠାରେ ପହଞ୍ଚି ଉକ୍ତ କୋଚିଂ ସେଣ୍ଟର ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ନିଶ୍ଚିନ୍ତପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଖଗେଶ୍ୱର ମହାନ୍ତଙ୍କ ମାଲିକାନାରେ ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲି ଆସୁଥିବା ଏହି କୋଚିଂ ସେଣ୍ଟରରେ ଆଦୌ ଶୈକ୍ଷିକ ପରିବେଶ ନଥିବା ବେଳେ ପିଲା ପ୍ରତି ବାର୍ଷିକ ୨୦ହଜାର ଟଙ୍କା ନେଇ ମୋଟ ୬ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀଙ୍କୁ ଆବାସିକ ଶିକ୍ଷାଦାନ ଦିଆଯାଇ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଉକ୍ତ କୋଚିଂ ସେଣ୍ଟରର ମାଲିକ ଖଗେଶ୍ୱର ସାପ କାମୁଡାରେ ଗୁରୁତର ଛାତ୍ର ଆକାଶଙ୍କୁ ସଙ୍ଗରେ ଧରି କଟକ ବଡ଼ ମେଡିକାଲକୁ ଯାଇଥିବାରୁ ସେ ଆସିବା ପରେ କୋଚିଂ ସେଣ୍ଟର ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ନାୟକ କହିଛନ୍ତି। ସବୁଠାରୁ ବଡ଼କଥା, ଉକ୍ତ କୋଚିଂ ସେଣ୍ଟରରେ କୋମଳମତି ଶିଶୁମାନଙ୍କୁ ରଖି ଆବାସିକ ଶିକ୍ଷାଦାନ କରାଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ରାତ୍ରିଯାପନ ନିମନ୍ତେ ଆଦୌ ଖଟ ନଥିବାରୁ ସମସ୍ତ ଛାତ୍ରଛାତ୍ରୀ ରାତିରେ ଭୂଇଁରେ ଶୋଉଥିବାରୁ ବିଷାକ୍ତ ସାପ କାମୁଡ଼ାର ଶିକାର ହୋଇଥିବା ଜଣାପଡ଼ିଛି। ଆଦୌ ଶୈକ୍ଷିକ ପରିବେଶ ନଥାଇ ବିନା ଅନୁମତିରେ କିଭଳି ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଭଳି ଏକ କୋଚିଂ ସେଣ୍ଟର କାର୍ଯ୍ୟକ୍ଷମ ହୋଇ ଆସୁଥିଲା ତଦନ୍ତରେ ଯାଇଥିବା ଦୁଇ ପ୍ରଶାସନିକ ଅଧିକାରୀଙ୍କ ନଜରରେ ଆସିବା ପରେ ଉକ୍ତ କୋଚିଂ ସେଣ୍ଟରକୁ ବନ୍ଦ ପାଇଁ ଚମ୍ପୁଆ ଉପଜିଲାପାଳଙ୍କୁ ସୁପାରିଶ କରିଥିବା ଅତିରିକ୍ତ ତହସିଲଦାର ଶ୍ରୀ ନାୟକ କହିଛନ୍ତି।



